ଅଦରକାରୀରୁ ଆକର୍ଷଣୀୟ, ଦକ୍ଷତା ବିକାଶ କନକ୍ଲେଭରେ ବ୍ରହ୍ମପୁର ITI ଛାତ୍ରଛାତ୍ରୀଙ୍କ କମାଲ - ଦକ୍ଷତା ବିକାଶ କନକ୍ଲେଭ
ଭୁବନେଶ୍ବର: ଦକ୍ଷତା ବିକାଶ କନକ୍ଲେଭରେ ଛାତ୍ରଛାତ୍ରୀଙ୍କ କମାଲ । ଅଦରକାରୀ ଜିନିଷରୁ ଆକର୍ଷଣୀୟ ସୋ ପିସ୍ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ । 15 ଶହରୁ ଊର୍ଦ୍ଧ୍ବ ବେରିଂରେ ପ୍ରସ୍ତୁତ ହୋଇଛି ସୁନ୍ଦର ସୁନ୍ଦର ଜିନିଷ। ଏଠାରେ ବିରାଟ ଗାନ୍ଧୀଙ୍କ ମୂର୍ତ୍ତି ସ୍ଥାନ ପାଇଛି । ଯାହା ଆଗାମୀ ଦିନରେ ଆନ୍ତର୍ଜାତୀୟ ସ୍ତରରେ ସିଙ୍ଗାପୁରରେ ପ୍ରଦର୍ଶିତ ହେବ । ଏହି ଗାନ୍ଧୀ ମୂର୍ତ୍ତୀରେ 1500ରୁ ଅଧିକ ବେରିଂ ବ୍ୟବହାର ହୋଇଛି । ଯାହାର ଉଚ୍ଚତା ରହିଛି ପାଖାପାଖି 6 ଫୁଟ । ଏହାର ଓଜନ 170-180 କିଲୋଗ୍ରାମ ରହିଛି । ଏହାକୁ ତିଆରି କରିବା ପାଇଁ ପ୍ରାୟ 15 ଦିନ ଲାଗିଥିଲା । ଏଥିରେ 200 ଜଣ ଛାତ୍ରଛାତ୍ରୀ ସମେତ ପ୍ରଶିକ୍ଷକମାନେ ମଧ୍ୟ ସହଯୋଗ କରିଛନ୍ତି । ସେହିପରି ଭାବରେ ଅଦରକାରୀ ଜିନିଷରେ ପ୍ରସ୍ତୁତ ହୋଇଛି ଗଣେଶ ମୂର୍ତ୍ତି । ଏହା ସମ୍ପୂର୍ଣ୍ଣ ଭାବରେ ଅଟୋ ମୋବାଇଲ ପାର୍ଟରେ ପ୍ରସ୍ତୁତ କରାଯାଇଛି । ଗାଡିର ଅଦରକାରୀ ପାର୍ଟ୍ସ ଯଥା, ବାଇକର ଚେନ, କ୍ରାଙ୍କ, ସ୍ପୋକେଟ, ବେରିଂ ଆଦିରେ ପ୍ରସ୍ତୁତ କରାଯାଇଛି । ଗାଡିର ଟାୟାରରେ ତିଆରି ହୋଇଥିବା କାଉ, ହାତୀ, ଘୋଡ଼ା , କଇଁଛ ଭଳି ବିଭିନ୍ନ ଆକର୍ଷଣୀୟ ଜିନିଷକୁ ପ୍ରଦର୍ଶିତ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର