Balasore Train Tragedy: ସିନ୍ଦୁରକୁ ଖୋଜି ଖୋଜି ଏସସିବିରେ ପତ୍ନୀ, ମିଳୁନି ଖୋଜଖବର - ଏସସିବିରେ ସ୍ୱାମୀକୁ ଖୋଜୁଛି ସ୍ତ୍ରୀ
କଟକ:ବାହାନଗା ଟ୍ରେନ ଦୁର୍ଘଟଣାକୁ ବିତିଲାଣି 6 ଦିନ । କିନ୍ତୁ ଆଜି ପର୍ଯ୍ୟନ୍ତ ଅନେକ ନିଖୋଜ ଯାତ୍ରୀଙ୍କୁ ଖୋଜି ପାଇ ନାହାନ୍ତି ପରିବାର ଲୋକେ । କେଉଁଠି ଭାଇକୁ ଖୋଜିଛି ଭାଇ ଆଉ କେଉଁଠି ସ୍ବାମୀକୁ ଖୋଜୁଛି ସ୍ତ୍ରୀ । ଏ ହସ୍ପିଟାଲରୁ ସେ ହସ୍ପିଟାଲ ଦୌଡି ଦୌଡି ନୟାନ୍ତ ହୋଇଥିଲେ ବି ସମ୍ପର୍କୀୟଙ୍କୁ ଖୋଜୁ ପାଉନାହାନ୍ତି ପରିବାର ଲୋକେ । ପଶ୍ଚିମବଙ୍ଗର ଗୋପାଳ ହେମ୍ବ୍ରମ । ଯିଏ କି ପେଟପାଟଣା ଚିନ୍ତାରେ ଘର ଛାଡି କରମଣ୍ଡଳ ଏକ୍ସପ୍ରେସରେ ଚେନ୍ନାଇ ଅଭିମୁଖେ ଯାତ୍ରା କରିଥିଲେ । ଟ୍ରେନ ଦୁର୍ଘଟଣା ପରେ ତାଙ୍କୁ ଖୋଜିବା ପାଇଁ ଓଡିଆ ଆସିଛନ୍ତି ତାଙ୍କ ସ୍ତ୍ରୀ ଓ ପରିବାର ସଦସ୍ୟ । ପ୍ରଥମେ ବାଲେଶ୍ୱର ଓ ଭଦ୍ରକ ହସ୍ପିଟାଲରେ ଖୋଜିଥିଲେ । କିନ୍ତୁ ସେଠାରେ ତାଙ୍କ ସ୍ୱାମୀ ଏସସିବିରେ ଚିକିତ୍ସା ହେଉଥିବା ସୂଚନା ପାଇଥିଲେ । ଗତ ଦୁଇଦିନ ହେବ ଏସସିବି ମେଡିକାଲ ଆସି ସହାୟତା କେନ୍ଦ୍ରରେ ବୁଝିବା ପରେ ଏଠାରେ ସ୍ୱାମୀଙ୍କ ନା ଥିଲେ ମଧ୍ୟ ଗୋପାଳଙ୍କ ପତ୍ତା ପାଇ ପାରି ନାହାନ୍ତି ସ୍ତ୍ରୀ ରୂପା ହେମ୍ବ୍ରମ । ବୁଧବାର ପରିବାରର ଦୁଇ ସଦସ୍ୟ ଏମ୍ସ ହସ୍ପିଟାଲର ମୃତଦେହ ଗାରରେ ଯାଇ ଚିହ୍ନଟ କରୁଥିବା କହିଛନ୍ତି ରୂପା । ସରକାର ତାଙ୍କ ସ୍ୱାମୀକୁ ଖୋଜିବାରେ ସହାୟତା କରିବା ନେଇ ସେ ଅନୁରୋଧ କରିଛନ୍ତି । ତେବେ ବାହାନଗା ଟ୍ରେନ ଦୁର୍ଘଟଣା ପରେ ଏସସିବି ବଡ଼ ମେଡିକାଲରେ ଦୁଇ ଶହରୁ ଊର୍ଦ୍ଧ୍ବ ଆହତଙ୍କୁ ଭର୍ତ୍ତି କରଯାଇଥିଲା ।
ଇଟିଭି ଭାରତ, କଟକ