ଚୋରା ମଦ କାରବାର ଧରିଲେ ପ୍ରତାପ ଷଡ଼ଙ୍ଗୀ, କାନଧରି କରାଇଲେ ଉଠବସ - କାନଧରି ଉଠବସ କରାଇଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ବାଲେଶ୍ବର: ଚୋରା ମଦ କାରବାର ଧରିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ମଦ ବେପାରୀଙ୍କୁ କାନଧରି ଉଠବସ କରାଇଲେ ସାଂସଦ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ । ଏହି ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ନୀଳଗିରିରେ ନୂତନ କରି ଷ୍ଟେସନ ନିର୍ମାଣ ହେଉଥିବାବେଳେ ତାହା ଏବେ ଚୋରା ମଦ ବେପାରୀଙ୍କ ଆଡ୍ଡାସ୍ଥଳ ପାଲଟିଛି । ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି ।
ତେବେ ଏଭଳି ଖବର ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପାଖରେ ପହଞ୍ଚିଥିଲା । ଏହାକୁ ସାଂସଦ ଗୁରୁତ୍ବର ସହ ନେଇ ଗତକାଲି (ମଙ୍ଗଳବାର) ରାତିରେ ଘରକୁ ଫେରିବା ସମୟରେ ହଠାତ ମଦ ବେପାରୀଙ୍କ ଆଡ୍ଡା ଅଞ୍ଚଳକୁ ପଶି ଯାଇଥିଲେ । ମଦ ବେପାରୀ ଓ ପିଉଥିବା କିଛି ଗ୍ରାହକମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବାବେଳେ କିଛି ମଧ୍ୟ ଧରା ପଡ଼ିଯାଇଥିଲେ । ମଦ ବିକୁଥିବା ବେପାରୀମାନଙ୍କୁ ସାଂସଦ ଆଉ ଏଭଳି କାର୍ଯ୍ୟ ନକରି ଅନ୍ୟ କାର୍ଯ୍ୟ କରିବାକୁ ତାଗିଦ କରିଥିଲେ ଏବଂ କାନ ଧରି ଉଠବସ ମଧ୍ୟ କରାଇଥିବା ଦେଖିବାକୁ ମିଳିଛି । ପରେ ନୀଳଗିରି ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ବେପାରୀଙ୍କୁ ଥାନାକୁ ନେଇଥିଲା ।
ଇଟିଭି ଭାରତ, ବାଲେଶ୍ବର