ଧ୍ୟାନକୁଦ ପୀଠରେ ବ୍ୟତିକ୍ରମ, ରାତି 9ଟା ପର୍ଯ୍ୟନ୍ତ ଚାଲିଲା ରଥଟଣା - ରାତି 9ଟା ପର୍ଯ୍ୟନ୍ତ ରଥଟଣା
ଜଗତସିଂହପୁର:ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି । ସିଦ୍ଧଳର ପ୍ରଭୁ ବଳଦେବ ଜୀଉ, ବାରଙ୍ଗ ସ୍ଥିତ ଶ୍ରୀ ଜଗନ୍ନାଥ, ଓ ସୁଭଦ୍ରା କ୍ଷେତ୍ର ଗଡ଼ କୁଜଙ୍ଗଠାରେ ଥିବା ପ୍ରଭୁ କୁଞ୍ଜ ବିହାରୀ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭୋର 5ଟା ରେ ପହୁଡ଼ ଫିଟା ନୀତି ସମ୍ପନ୍ନ ପରେ ମଙ୍ଗଳ ଆଳତୀ କରାଯାଇଥିଲା । ଏହାପରେ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାହ୍ନ ୪ଟା ସମୟରେ ରଥଟଣା କାର୍ଯ୍ୟ କରାଯାଇ ସନ୍ଧ୍ୟା ସୁଦ୍ଧା ମନ୍ଦିରରେ ରଥ ସମୂହ ଲାଗିଥିଲା । ଚଳିତ ବର୍ଷ ପଞ୍ଚସଖାଙ୍କ ଅନ୍ୟତମ ପୀଠ ବିରିଡି ସ୍ଥିତ ଧ୍ୟାନକୁଦ ପୀଠରେ ରଥ ଟଣାରେ ବ୍ୟତିକ୍ରମ ଦେଖାଦେଇଥିଲା ।
ଧ୍ୟାନକୁଦ ପୀଠରେ ନିର୍ଦ୍ଧାରିତ ସମୟରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ଶେଷ ହୋଇଥିଲେ ମଧ୍ୟ ଛେରା ପହଁରା ନୀତି ସମ୍ପାଦନ କରିବାରେ ଅହେତୁକ ବିଳମ୍ବ ହୋଇଥିଲା। ସନ୍ଧ୍ୟା 6ଟା ସମୟରେ ଛେରା ପହଁରା ନୀତି ସମ୍ପାଦନ ହେବା ପରେ ସାଢ଼େ 6ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଫଳରେ ରାତି 9 ଟା ପର୍ଯ୍ୟନ୍ତ ରଥଟଣା କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଭକ୍ତମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ରାତିରେ ରଥଟଣା ହେବାର ବିଧି ନଥିବାବେଳେ କିଭଳି ମହାପ୍ରଭୁଙ୍କ ରଥ ଟଣାଯାଇ ନିୟମ ଉଲଂଘନ କରାଗଲା ସେନେଇ ପ୍ରଶ୍ନ ଉଠିଛି। ଆସନ୍ତାକାଲି ସୁନାବେଶ ଅନୁଷ୍ଠିତ ହେବ। ଚଳିତ ବର୍ଷ ଧ୍ୟାନକୁଦ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।
ଇଟିଭି ଭାରତ, ଜଗତସିଂହପୁର