ରାଜଧାନୀର ନାକ ତଳେ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର: ରୋଗୀଙ୍କୁ ଇଞ୍ଜେକସନ ଦେଲେ ଆଟେଣ୍ଡାଣ୍ଟ
ଖୋର୍ଦ୍ଧା:ଭୁସୁଡି ପଡିଛି ସ୍ବାସ୍ଥ୍ୟ ବ୍ୟବସ୍ଥା । ସରକାର ଗ୍ରାମାଞ୍ଚଳରେ ରୋଗୀକୁ ହାତ ପାଆନ୍ତାରେ ଚିକିତ୍ସା ସୁବିଧା ଯୋଗାଇଦେବାକୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିଛନ୍ତି । ହେଲେ ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଡାକ୍ତର ନଥିବା ରୋଗୀଙ୍କୁ ଚିନ୍ତାରେ ପକାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି କିନ୍ତୁ ଡାକ୍ତର ନାହାନ୍ତି ଆଉ ରୋଗୀଙ୍କ ସାହା ଭରସା ପାଲଟିଛନ୍ତି ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟ । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ । ସ୍ବାସ୍ଥ୍ୟ ସେବାର ଏହି ବାସ୍ତବ ଚିତ୍ର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ତେବେ ଖୋର୍ଦ୍ଧା ଗୌଡ଼ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ଶତାଧିକ ରୋଗୀ ଆସୁଥିବା ବେଳେ ଡାକ୍ତର ନଥିବା କାରଣରୁ ଆଟେଣ୍ଡାଣ୍ଟ ପାଲଟିଛନ୍ତି ଡାକ୍ତର । ରୋଗୀଙ୍କୁ ମେଡ଼ିସିନ ଦେବାଠୁ ଆରମ୍ଭ କରି ଇଞ୍ଜେକସନ ଫୋଡିବା ପର୍ଯ୍ୟନ୍ତ ସବୁ ସେହିଁ କରୁଥିବା ଦେଖିବାକୁ ମିଳିଛି ଭାଇରଲ ଭିଡ଼ିଓରେ । ରାଜଧାନୀର ନାକ ତଳେ ସ୍ୱାସ୍ଥ୍ୟ ବିଭାଗର ଏପରି ଚିତ୍ର ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ବ୍ୟତିବସ୍ତ କରିଛି ସ୍ଥାନୀୟ ଲୋକଙ୍କୁ ।
ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଗୋଷ୍ଠୀ କେନ୍ଦ୍ର ଅଧିନସ୍ଥ ଗୌଡନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଆଟେଣ୍ଡାଣ୍ଟ ସୁରେଶ କୁମାର ମହାପାତ୍ର ରୋଗୀକୁ ଇଞ୍ଜେକସନ ଦେବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏନେଇ ସୁରେଶଙ୍କୁ ପଚାରିଥିବା ବେଳେ ସେ ତାଙ୍କ ପ୍ରତିକ୍ରିୟାରେ ଇଞ୍ଜେକସନ ଦେବା ଘଟଣାକୁ ସ୍ବୀକାର କରିବା ସହ ରୋଗୀଙ୍କ ଭିଡ ଏବଂ ଡାକ୍ତରଙ୍କ ଅନୁପସ୍ଥିତି ବେଳେ ମୁଁ କରୁଛି ବୋଲି କହିଛନ୍ତି । ସେପଟେ ରୋଗୀଙ୍କୁ ଆଟେଣ୍ଡାଣ୍ଟ ଇଞ୍ଜେକସନ ଦେବା ସମ୍ପର୍କରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଇଟିଭି ଭାରତ, ଖୋର୍ଦ୍ଧା