ବିଷ ବଳୟରେ ଅନୁଗୋଳ, ଲୋକଙ୍କୁ ଘାରୁଛି ପରିବେଶ ଚିନ୍ତା
ଅନୁଗୋଳ: ଜିଲ୍ଲାରେ ବ୍ୟାପକ ଖଣି ଖାଦାନ ଓ ଶିଳ୍ପ ସଂସ୍ଥା ଯୋଗୁଁ ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ତଥାପି ସରକାର ଆଗକୁ ଆହୁରି ଅନେକ କୋଇଲା ଖଣି ଖନନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଭଳି ହେଲେ ଜିଲ୍ଲାରେ ଲୋକେ ବଞ୍ଚିବା କଷ୍ଟକର ହୋଇ ପଡି ବ। ତେଣୁ ଆଗକୁ ଆଉ ଖଣି ଖନନ ନକରି ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ବ୍ୟାପକ ପଦକ୍ଷେପ ନେବାକୁ ଦାବି କରିଛି ରାଜ୍ୟ ମହିଳା ମଞ୍ଚ ସମେତ ଅନେକ ସାମାଜିକ ଓ ପରିବେଶୀୟ ଅନୁଷ୍ଠାନ । ଏନେଇ ଗତକାଲି ଅନୁଗୋଳରେ ରାଜ୍ୟ ମହିଳା ମଞ୍ଚର ଆବାହିକା ସସ୍ମିତା ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ସଭାରେ ଲୋକ ଶକ୍ତି ଅଭିଯାନର ସଭାପତି ଗ୍ରୀନ ନୋବେଲ ପୁରସ୍କାର ପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତରା ଯୋଗ ଦେଇଥିଲେ । ଏହି ସଭାରେ ସେ କହିଥିଲେ ଯେ ବର୍ତ୍ତମାନ ସମୟରେ ଯେତିକି ଖଣି ଓ କାରଖାନା ହୋଇଛି ସେତିକିରେ ପ୍ରଦୂଷଣ ମାତ୍ରା ହୁ ହୁ ହୋଇ ବଢୁଛି । ଆଗକୁ ଆଉ ଖଣିର ଆବଶ୍ୟକତା ନାହିଁ । ସାରା ଦେଶ ଏବେ ପ୍ରଦୂଷଣ ବଳୟରେ ରହିଥିବା ବେଳେ ସରକାର ରାଜ୍ୟରେ ଆହୁରି ଖଣି ଖୋଳିବାକୁ ଯୋଜନା କରୁଛନ୍ତି । ସ୍ଥାନୀୟ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନେ ମିଶି ଲୋକଙ୍କ ଜୀବନ ସହ ଖେଳିବାକୁ ଚେଷ୍ଟା କରୁଛନ୍ତି । ଏଭଳି ହେଲେ ଆଗକୁ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ଅନୁଗୋଳ