ଆଦର୍ଶ ବିଦ୍ୟାଳୟ କର୍ମଚାରୀଙ୍କ ଆନ୍ଦୋଳନ, ୫ ଦାବି ନେଇ ଦେଲେ ଧାରଣା - ଦରମା ପାଇନାହାଁନ୍ତି ଆଦର୍ଶ ବିଦ୍ୟାଳୟ କର୍ମଚାରୀ କେନ୍ଦୁଝର
Published : Sep 21, 2023, 8:21 PM IST
କେନ୍ଦୁଝର:ସରକାର ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ପାଇଁ ଆଦର୍ଶ ବିଦ୍ୟାଳୟ ଗୁଡ଼ିକ ସ୍ଥାପନ କରିଛନ୍ତି । ଗରିବ, ଆଦିବାସୀ ଛାତ୍ରଛାତ୍ରୀ କିଭଳି ଇଂରାଜୀ ମାଧ୍ୟମରେ ଶିକ୍ଷା ଲାଭ ପାଇଁ ଏନେଇ ତତ୍ପର ଅଛନ୍ତି । କିନ୍ତୁ ସେଠାରେ କାର୍ଯ୍ୟ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦୀର୍ଘ ଦିନ ହେଲା ଦରମା ପ୍ରଦାନ କରାଯାଇଥିବା ଅଭିଯୋଗ ଆସିଛି । ତେଣୁ ୫ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।
ପ୍ରକାଶ ଯେ, କେନ୍ଦୁଝର ଜିଲ୍ଲାରେ ୯ ଗୋଟି ଆଦର୍ଶ ବିଦ୍ୟାଳୟରେ ୨୭ରୁ ଊର୍ଦ୍ଧ୍ବ ଚତୁର୍ଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟକରି ଆସୁଛନ୍ତି । ଏହି କର୍ମଚାରୀମାନେ ଠିକା ସଂସ୍ଥା ଦ୍ୱାରା ନିଯୁକ୍ତ ହେଇଥିଲେ ମଧ୍ୟ ନିଷ୍ଠାର ସହ କାର୍ଯ୍ୟ କରି ଆସୁଛନ୍ତି । ବିଡମ୍ବନାର ବିଷୟ ହେଲା କର୍ମଚାରୀମାନେ ୭ମାସରୁ ଊର୍ଦ୍ଧ୍ବ ସମୟ ଧରି ଦରମା ପାଇନାହାଁନ୍ତି । କର୍ମଚାରୀମାନେ ଚାକିରି ଯୋଗାଇଥିବା ଠିକା ସଂସ୍ଥାକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଠିକା ସଂସ୍ଥା ସମସ୍ତ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ନେଇ ଧମକ୍ ଦେଉଥିବା ଅଭିଯୋଗ କରିଛନ୍ତି । ଏନେଇ ସମସ୍ତ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବହୁବାର ଲିଖିତ ଅଭିଯୋଗ କରିଛନ୍ତି । ତଥାପି କିଛି ସୁଫଳ ନମିଳିବାରୁ ଫଳରେ ଆଜି ସମସ୍ତ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବି ନେଇ ଧାରଣା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ.....ସୁବର୍ଣ୍ଣପୁରରେ ଜନଜାଗୃତି ରଥ, ଆସନ୍ତା 5ରେ ପହଞ୍ଚିବ ଦିଲ୍ଲୀ
କର୍ମଚାରୀଙ୍କ ଦାବି ହେଲା ସର୍ଭିସ୍ ପ୍ରଦାନକାରୀଙ୍କୁ ତୁରନ୍ତ ବହିଷ୍କାର ଏବଂ ନୂତନ ସର୍ଭିସ୍ ପ୍ରଦାନକାରୀ ନିଯୁକ୍ତ, ବନ୍ଦ ଥିବା ୭ ମାସର ଦରମା ପ୍ରଦାନ, ନିଯୁକ୍ତ ଦିନ ଠାରୁ ଇପିଏଫ ପ୍ରଦାନ ଓ ୧୫ ତାରିଖ ସୁଦ୍ଧା ଇପିଏଫ୍ ଜମା ଏବଂ ପ୍ରତି ମାସ ୫ ତାରିଖ ସୁଦ୍ଧା ଦରମା ପ୍ରଦାନ । ଏହି ଦାବି ପୂରଣ ନହେଲା ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ,କେନ୍ଦୁଝର