ମେଡିକାଲ କଲେଜ ସ୍ଥାପନ ପଛରେ ରହିଛି ଅନେକ ସଂଘର୍ଷ, କ୍ରିୟାନୁଷ୍ଠାନ କମିଟି ପାଳିଲା ‘ପ୍ରେରଣା ଦିବସ’ - ମେଡିକାଲ କଲେଜ୍ ଓ ହସ୍ପିଟାଲ କ୍ରିୟାନୁଷ୍ଠାନ କମିଟି
Published : Sep 5, 2023, 10:11 PM IST
ବାଲେଶ୍ଵର : ମେଡିକାଲ କଲେଜ୍ ଓ ହସ୍ପିଟାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରେରଣ ଦିବସ ପାଳିତ । ଜିଲ୍ଲାରେ ଏକ ମେଡିକାଲ କଲେଜ ନିର୍ମାଣ ପାଇଁ 2005 ମସିହାକୁ ବହୁବାର ଆନ୍ଦୋଳନ କରି ମେଡିକାଲ କଲେଜ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିଲା କ୍ରିୟାନୁଷ୍ଠାନ କମିଟି । ମେଡିକାଲ କଲେଜ ସ୍ଥାପନ ହେବା ପଛରେ ଥିବା ଅନେକ କଷ୍ଟ ଏବଂ ଯନ୍ତ୍ରଣା ବିଷୟରେ ଆଗାମୀ ପିଢିଙ୍କୁ ଜଣାଇବା ଉଦ୍ଦେଶ୍ୟରେ କମିଟି ପାଳନ କରିଛି ପ୍ରେରଣା ଦିବସ। ମଲ୍ଲିକାସପୁର ସ୍ଥିତ କବିତୀର୍ଥ ଶାନ୍ତିକାନନ ଠାରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରେରଣା ଦିବସ ସମାରୋହ ପାଳନ କରାଯାଇଛି।
କମିଟିର ସଭାପତି ନିରଞ୍ଜନ ପରିଡ଼ାଙ୍କ କହିଛନ୍ତି, ‘‘ବାଲେଶ୍ଵରରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନକାରୀମାନେ 13 ବର୍ଷଧରି ସଂଘର୍ଷ କରିଥିଲେ । ପରିଶେଷର 2018 ମସିହାରେ ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ହୋଇଥିଲା । ତେବେ ଏହି ସଂଘର୍ଷ ପାଇଁ ଆନ୍ଦୋଳନକାରୀ ଭୁବନେଶ୍ୱର ଯାଇଥିଲେ । 2012 ମସିହା ସେପ୍ଟେମ୍ବର 5ତାରିଖରେ ଫେରିବା ବାଟରେ ସୋର ଠାରେ ବସ ଦୁର୍ଘଟଣା ହୋଇଥିଲା । ଏହି ଦୁଃଖଦ ଘଟଣା ମନରୁ ଲିଭିନି । ତେଣୁ ଯୁବପିଢିଙ୍କୁ ସେମାନଙ୍କ ବଳିଦାନ ବିଷୟରେ ଅବଗତ କରାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି ।’’
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରିଟ ଅଧ୍ୟକ୍ଷ ଆଲୋକ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଲକ୍ଷ୍ମୀକାନ୍ତ ତ୍ରିପାଠୀ , ପୂର୍ବତନ ସଭାପତି ମମତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ଇଟିଭି ଭାରତ, ବାଲେଶ୍ବର