ଜଳପ୍ରପାତ ଦେଖୁ ଦେଖୁ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି - ଝରଣା ଦେଖିବାବେଳେ ପର୍ଯ୍ୟଟକ ନିଖୋଜ
ବେଙ୍ଗାଲୁରୁ:ଝରଣା ଦେଖିବା ସମୟରେ ଭାସିଗଲେ ପର୍ଯ୍ୟଟକ । ଏଭଳି ଅଘଟଣ ଘଟିଛି କର୍ଣ୍ଣାଟକର ଉଡୁପିଠାରେ । ସୂଚନା ଅନୁସାରେ, ଭଦ୍ରାବତୀ ଅଞ୍ଚଳର ଶରତ କୁମାର ନାମକ ଜଣେ ଯୁବକ ତାଙ୍କ ସାଙ୍ଗମାନଙ୍କ ସହ ଆରସିନାଗୁଣ୍ଡି ଜଳପ୍ରପାତକୁ ବୁଲି ଆସିଥିଲେ । ସେଠାରେ ସେ ଝରଣା ଦେଖିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରୁଥିବାବେଳେ ହଠାତ୍ ଝରଣାର ପ୍ରଖର ସ୍ରୋତରେ ଭାସି ଯାଇଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ...ପୋଲିସ ପଞ୍ଝାରୁ ଅଭିଯୁକ୍ତ ମହାନଦୀରେ ନିଖୋଜ, ପରିବାର ଆଣିଲା ସଙ୍ଗିନ ଅଭିଯୋଗ
ଏହି ସମୟରେ ଶରତଙ୍କ ସାଙ୍ଗ ମୋବାଇଲରେ ଭିଡିଓ ସୁଟ୍ କରୁଥିବାବେଳେ ହଠାତ ଘଟିଥିଲା ଏଭଳି ଅଘଟଣ। ଆଉ ଏହି ଚିତ୍ର ମଧ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି। ଏନେଇ ଥାନାରେ ଏକ ନିଖୋଜ ମାମଲା ମଧ୍ୟ ଦାଖଲ ହୋଇଥିବା ଜଣାପଡିଛି । କୋଲୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ପର୍କରେ ପଚାରି ବୁଝିଥିବାବେଳେ ନିଖୋଜ ଯୁବକଙ୍କ ସନ୍ଧାନ ଜାରି ରହିଛି । ଏପର୍ଯ୍ୟନ୍ତ ଯୁବକଙ୍କ ସନ୍ଧାନ ମିଳିପାରିନଥିବାବେଳେ ପରିବାର ଲୋକେ ଆଶା ଆଶଙ୍କାରେ ରହିଛନ୍ତି । ତେବେ ଅସାବଧାନତା ଯୋଗୁଁ ଶରତଙ୍କ ପାଦ ଖସିଯିବାରୁ ସେ ତଳେ ପଡିଯାଇଥିବା କହିଛନ୍ତି ଶରତଙ୍କ ସାଙ୍ଗ ।