ଭକ୍ତି ସାଗରରେ 72ବର୍ଷୀୟ ବୃଦ୍ଧା, କାଳିଆ ସାଆନ୍ତ ଶେଷ ଆଶ୍ରା - ଏକାକୀ ଜୀବନ ବିତାଉଛନ୍ତି ପ୍ରଭାତୀ
ବାଲେଶ୍ବର: କଥାରେ ଅଛି ଯାହାର କେହି ନାହିଁ ତାହାର ଭଗବାନ ଭରସା । ଭଗବାନଙ୍କ ଭରସାରେ ଦୁନିଆ ଚାଲୁଥିବା ବେଳେ ଆଜି ବି ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜ ଜୀବନ ଯୌବନ ସବୁକିଛି ଭଗବାନଙ୍କୁ ଅର୍ପଣ କରିଦେଇଛନ୍ତି । ସେମିତି ଜଣେ ଅସହାୟ ବୃଦ୍ଧା ହେଉଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତ ପାଳସିଆ ଗ୍ରାମର ପ୍ରଭାତୀ ପଣ୍ଡା ।
ପ୍ରଭାତୀଙ୍କ ବୟସ ଆସି 72 ହେଲାଣି । ଜମିବାଡ଼ି ପିଲାପିଲି, ବନ୍ଧୁ ବାନ୍ଧବ ତାଙ୍କ ପାଖରେ କେହି ନାହାନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରଭାତୀ 15 ବର୍ଷ ହେବ ବିତାଉଛନ୍ତି ଏକାକୀ ଜୀବନ। ଘରଦ୍ୱାର କିଛି ନଥିବା ବେଳେ ଅସହାୟ ଅବସ୍ଥାରେ ଏବେ ଠାକୁରଙ୍କ ଆଶ୍ରିତ ହୋଇ ପଡି ରହିଛନ୍ତି । ଗାଁ ଗହଳିର ଯିଏ ଗଣ୍ଡେ ଖାଇବାକୁ ଦେଲା ଖାଉଛନ୍ତି ନ ହେଲେ ନାହିଁ। ଏମିତି ପରିସ୍ଥିତିରେ ଏବେ ପ୍ରଭାତୀ ସମ୍ପୂର୍ଣ୍ଣ ଭାବେ କାଳିଆ ସାଆନ୍ତ ପାଖରେ ନିଜକୁ ସମର୍ପଣ କରିଦେଇଛନ୍ତି। ପ୍ରଭାତୀ ଜନ୍ମରୁ ଦୃଷ୍ଟିହୀନ, ଦୃଷ୍ଟିହୀନ ହୋଇ ମଧ୍ୟ ସେ ସବୁ କାମରେ ବେଶ ପାରଙ୍ଗମ। ଏହାରି ଭିତରେ ଯେତେବେଳେ ଦୁନିଆ ଦାଣ୍ଡରେ ସେ ସମ୍ପୂର୍ଣ୍ଣ ଭାବେ ଏକୁଟିଆ ହୋଇ ଯାଇଛନ୍ତି ସେତେବେଳେ ସେ କେବଳ ମହାପ୍ରଭୁ ଜଗନ୍ନାଥଙ୍କ ଶରଣରେ ଓ ଭରସାରେ ବଞ୍ଚିଛନ୍ତି।
ଗ୍ରାମର ଶେଷ ଭାଗରେ ଥିବା ମଶାଣିପଦାଠାରେ ଏକ ମଠରେ ରହୁଛନ୍ତି ପ୍ରଭାତୀ ପଣ୍ଡା। ଗ୍ରାମ ର ଅନନ୍ତ ଜେନା ସାହାଯ୍ୟର ହାତ ବଢ଼ାଇ ଦୁଇଉଳା ଦୁଇମୁଠା ଖାଇବାକୁ ଦେଉଛନ୍ତି। ପ୍ରତିଦିନ ପ୍ରଭାତୀ ସକାଳ ଠାରୁ ରାତି ଯାଏ ଜଗନ୍ନାଥ ଜଗନ୍ନାଥ ଗାନ କରି ନିଜର ଅସହାୟତା ପ୍ରତିପାଦନ କରୁଛନ୍ତି। ପିଲା ବେଳୁ ବାହାଘର ହୋଇଥିଲେ ମଧ୍ୟ ଆଜି ତାଙ୍କ ପାଖରେ ସାହାରା ହେବାକୁ କେହି ନାହାନ୍ତି। ସେଥିପାଇଁ ଏବେ ପ୍ରଭାତୀ ନିଜକୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମର୍ପଣ କରିଦେଇଛନ୍ତି। ଭକତ ଭାବରେ ବନ୍ଧା ସେ କାଳିଆ ସାଆନ୍ତ ପାଖରେ ନିଇତି ପ୍ରଭାତୀ ନିଜର ଦୁଃଖ ଜଣାଉଛନ୍ତି।
ଅନେକ ସମୟରେ ବେସାହାରା ହୋଇ ବଞ୍ଚିଥିବା ପ୍ରଭାତୀ ନିଜର ଦୁଃଖ କଥା କାଳିଆ ଆଗରେ କହି ପକାନ୍ତି। ସତେ ଯେମିତି ମା ଓ ପୁଅ ଭିତରେ ସ୍ନେହ ମମତାର ଭାବ ଆଦାନ ପ୍ରଦାନ ହେଉଛି। ପ୍ରଭାତୀଙ୍କ କୌଣସି ସନ୍ତାନ ନଥିବା ବେଳେ ସେ ମହାପ୍ରଭୁଙ୍କୁ ନିଜର ସନ୍ତାନ ଭାବି ଦୁଃଖ ଜଣାଉଛନ୍ତି। ଆଖି ସିନା ଭଗବାନ ଦେଇ ନାହାନ୍ତି ହେଲେ ହୃଦୟର ଆଖିରେ ନିଇତି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପ୍ରଭାତୀ। ସକାଳ ପୂଜା ଠାରୁ ଆରମ୍ଭ କରି ସନ୍ଧ୍ୟା ଆଳତୀ ସବୁକିଛି ପ୍ରଭାତୀ ଜଗତ ଠାକୁରଙ୍କ ଆଗରେ ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି। ମନରେ ଅନେକ କୋହ, ଦୁଃଖକୁ ସେ ଚାପି ରଖି ଶେଷ ଜୀବନ କେବଳ କାଳିଆ ସାଆନ୍ତ ଭରସାରେ ହିଁ ରହିଛନ୍ତି।
ଇଟିଭି ଭାରତ, ବାଲେଶ୍ବର