ଓଡିଶା

odisha

Remembering Odia Jawan Manoj Behera

ETV Bharat / videos

Pulwama attack: ଶହୀଦ ମନୋଜ ବେହେରାଙ୍କୁ ଝୁରୁଛି ନିଆଳି ମାଟି, କମ୍ ବୟସରେ ଦେଶ ପାଇଁ ଜୀବନ ଦେଇଥିଲେ - ପୁଲମାଓ୍ବା ଆକ୍ରମଣକୁ ୪ ବର୍ଷ

By

Published : Feb 14, 2023, 12:54 PM IST

ନିଆଳି: ପୁଲମାଓ୍ବା ଆକ୍ରମଣକୁ ଆଜି ପୁରିଛି ୪ ବର୍ଷ । ହେଲେ ଆଜି ବି ସେଇ ଛାତିଥରା ସବୁ ଦୃଶ୍ୟ ଭାରତୀୟଙ୍କ ହୃଦୟରେ ତାଜା ହୋଇ ରହିଛି । ଆଜିର ଦିନରେ ଭାରତ ମାଟିରେ ଆତତାୟୀଙ୍କ ବିସ୍ଫୋରଣରେ ଶହୀଦ ହୋଇଯାଇଥିଲେ ଅନେକ ବୀର ଯବାନ । ଏଥିରେ ଥିଲେ କଟକ ଜିଲ୍ଲା ନିଆଳି ଥାନା ରତନପୁର ପଞ୍ଚାୟତର ଜିତେନ୍ଦ୍ର ବେହେରାଙ୍କ ଏକମାତ୍ର ପୁଅ ମନୋଜ କୁମାର ବେହେରା । ୨୦୦୬ ମସିହାରେ ବିଏସଏଫ ଯୋଗଦେଇଥିଲେ ମନୋଜ । ୧୪/୦୨/୨୦୧୯ ମସିହାରେ ପୁଲମାଓ୍ବା ଆକ୍ରମଣରେ ସେ ବୀରଗତି ପ୍ରାପ୍ତ ହୋଇଥିଲେ ।  

ଖୁବ୍ କମ୍ ବୟସରୁ ସହିଦ ହୋଇଥିଲେ ମନୋଜ । ମାତ୍ର ୩୩ ବର୍ଷ ବୟସରେ ଦେଶ ମାତୃକାରେ ସେବାର ଜୀବନ ଉତ୍ସର୍ଗ କରିଦେଇଥିଲେ  । ମନୋଜ ପରିବାରର ଏକ ମାତ୍ର ପୁତ୍ର ଥିଲେ । ତାଙ୍କର ବାପା, ମାଆ, ପତ୍ନୀ ଓ ଛୋଟ ଝିଅଟିଏ ଅଛି  । ତାଙ୍କ ପତ୍ନୀ ଓ ଝିଅ ଏବେ ଭୁବନେଶ୍ୱରରେ ରହୁଛନ୍ତି  । ଆଜି ମନୋଜଙ୍କ ଶ୍ରାଦ୍ଧ ଦିବସରେ ତାଙ୍କର ପ୍ରତିମୂର୍ତ୍ତି ନିକଟରେ ଆତ୍ମାର ସଦଗତି ପାଇଁ ଗୀତା ପାଠ କରାଯାଉଛି । ଶହୀଦ ମନୋଜ କୁମାର ବେହେରାଙ୍କ ବାପା ପୁଅ ପାଇଁ ଦୁଃଖିତ ଥିଲେ ହେଁ ଦେଶସେବାରେ ସେ ପ୍ରାଣ ବଳି ଦେଇଥିବାରୁ ଗର୍ବିତ ମଧ୍ୟ ହୋଇଛନ୍ତି  । ଏପରିକି ଆଉ ଗୋଟିଏ ପୁଅ ଥିଲେ ତାଙ୍କୁ ମଧ୍ୟ ସେନାରେ କାର୍ଯ୍ୟ କରିବାକୁ ପଠାଇଥାନ୍ତେ ବୋଲି କହିଛନ୍ତି  ।  

୨୦୧୯ ମସିହା ଫେବୃଆରୀ ୧୪ ତାରିଖ ସମୟ ଅପରାହ୍ନ ପାଖାପାଖି ସାଢେ ୩ଟା ସମୟରେ ଘଟିଥିଲା ବିସ୍ଫୋରଣ ।  CRPF ୧୮୦ ବାଟାଲିୟନର ୮୦୦ ଯବାନ ଶ୍ରୀନଗର କ୍ୟାମ୍ପକୁ ସ୍ଥାନନ୍ତର ହେଉଥିଲେ । ଆଗ ପଛ ହୋଇ ଗଡୁଥିଲା ଯବାନଙ୍କ ବସ୍ । ୧୧ ଘଣ୍ଟାର ଯାତ୍ରା ପରେ ଯବାନଙ୍କ ଗାଡି ଜମ୍ମୁ କାଶ୍ମୀର ଟ୍ରାନ୍‌ଜିଟ କ୍ୟାମ୍ପରେ ପହଞ୍ଚିଥିଲା । ପୁଲୱାମା ମାଇଲଷ୍ଟୋନ ୨୭୨ ଅଞ୍ଚଳରେ ହଠାତ ଶେଷ ବସ୍‌ରେ ଏକ ଟାଟା ସୁମୋ ଗାଡି ଧକ୍କା ହୋଇଥିଲା ଓ ବିସ୍ଫୋରଣ ଘଟିଥିଲା । ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍‌ ଯୋଗେ ଏହି ବିସ୍ଫୋରଣ ଘଟାଯାଇଥିଲା ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ଏହି ଆତ୍ମଘାତୀ ବିସ୍ଫୋରଣରେ ୪୪ ବୀର ଯବାନ ଶହୀଦ ହୋଇଯାଇଥିଲେ  । ମନୋଜ ବେହେରାଙ୍କ ଶହୀଦ ଖବର ମିଳିବା ପରେ ଲୁହରେ ଭିଜିଥିଲା ନିଆଳି ମାଟି  । ଏହି ଆକ୍ରମଣର କିଛି ଦିନ ପୂର୍ବରୁ ମନୋଜ ଛୁଟିରେ ଘରକୁ ଆସିଥିଲେ  । ପୁଣି ଫେରିବାର ପ୍ରତିଶ୍ରୁତି ଦେଇ ଦେଶ ମାତୃକାରେ ସେବା ପାଇଁ ଚାଲିଯାଇଥିଲେ  । ହେଲେ ଆଉ ଫେରିନଥିଲେ  । ଆଜି ଶ୍ରାଦ୍ଧ ଦିବସରେ ସାରା ନିଆଳି ଶହୀଦ ମନୋଜଙ୍କୁ ମନେ ପକାଉଛି  । 

ଇଟିଭି ଭାରତ, ନିଆଳି
 

ABOUT THE AUTHOR

...view details