Silk City Festival: ଉଦିତ ଓ ଆଦିତ୍ୟଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ - ସିଲ୍କ ସିଟି ମହୋତ୍ସବର ତୃତୀୟ ସନ୍ଧ୍ୟା
ବ୍ରହ୍ମପୁର: 'ପ୍ରଥମ ପ୍ରେମର ପ୍ରଥମ ଚିଠି...' ବଲିଉଡ ଲୋକପ୍ରିୟ କଳାକାର ଉଦିତ ନାରାୟଣଙ୍କ ମୁହଁରୁ ଏହି ଗୋଟିଏ ଧାଡ଼ି ଗୀତ ଶୁଣି ଝୁମି ଉଠିଥିଲା ରେଶମ ସହର । ଗୀତର ତାଳେ ତାଳେ ଠୁମକା ଲଗାଇଲେ ହଜାର ହଜାର ଦର୍ଶକ । ସବୁବର୍ଗର ନଜର ଯେପରି ଲାଖିଯାଇଥିଲା ସିଲ୍କ୍ ସିଟି ମଞ୍ଚ ଉପରେ । ବ୍ରହ୍ମପୁର ସହରରେ ଚାଲିଥିବା ସିଲ୍କ ସିଟି ମହୋତ୍ସବର ତୃତୀୟ ସନ୍ଧ୍ୟା ରହିଥିଲା ବେଶ ଚିତାକର୍ଷକ । ଖ୍ୟାତନାମା କଣ୍ଠଶିଳ୍ପୀ ଉଦିତ ନାରାୟଣ ଓ ତାଙ୍କ ପୁତ୍ର ଆଦିତ୍ୟ ନାରାୟଣଙ୍କ ସଙ୍ଗୀତର ଯାଦୁରେ ବେଶ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ ଝୁମିଥିଲେ ଦର୍ଶକ । 'ପ୍ରଥମ ପ୍ରେମର ପ୍ରଥମ ଚିଠି’ ଠାରୁ ଆରମ୍ଭ କରି ‘ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ...' ଭଳି ଗୋଟିଏ ପରେ ଗୋଟିଏ ରୋମାଣ୍ଟିକ ଓଡିଆ ସଙ୍ଗୀତ ସହିତ ହିନ୍ଦୀ ସଙ୍ଗୀତ ପରିବେଷଣ ମହୋତ୍ସବର ଶୀତୁଆ ରାତିକୁ ସରଗରମ କରିଦେଇଥିଲା । ଉଦିତଙ୍କ ସଙ୍ଗୀତକୁ ଶୁଣିବା ପାଇଁ ଅପେକ୍ଷା କରି ରହିଥିବା ଯୁବ ବର୍ଗଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଭରପୁର ମଜା ଉଠାଇଥିଲେ । ଏପରିକି ଗୋଟିଏ ମଞ୍ଚରେ ବାପା ଓ ପୁଅ ପରିବେଷଣ ବେଶ ଚିତାକର୍ଷକ ରହିଥିଲା । ଏହି ଅବସରରେ ବେଶ ଉତ୍ସାହିତ ହୋଇପଡିଥିଲେ ସହର ବାସିନ୍ଦା । ଇଟିଭି ଭାରତ, ବ୍ରହ୍ମପୁର