ବଜ୍ରାଘାତରେ ଚାଲିଗଲା 3 ଜୀବନ, 5 ଆହତ - lighting death news
ବାଲେଶ୍ୱର: ସବୁ କିଛି ଛାରକାର କରିଦେଲା ବଜ୍ରପାତ । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର । ବଜ୍ରାଘାତରେ ଚାଲିଗଲା ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳ 3 ଜୀବନ । ବୁଧବାର ଅପରାହ୍ନ ଠାରୁ ରାତି ଯାଏ ବାଲେଶ୍ଵରରେ ପ୍ରବଳ ଘଡଘଡି ସହ ବର୍ଷା ଓ ବଜ୍ରପାତ ହୋଇଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇ ବସ୍ତା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ....ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ବଜ୍ରପାତ,୧୮ ଛାତ୍ରଛାତ୍ରୀ ଆହତ
ସୂଚନା ଅନୁସାରେ, ବର୍ଷା ସାଙ୍ଗକୁ ଘଡଘଡି ଯୋଗୁଁ ବସ୍ତା ବ୍ଲକ ପଣସାପଡ଼ା ଗ୍ରାମର ଅନାଦି ବେହେରାଙ୍କ ପୁଅ ମକରା ବେହେରା(୪୫), ମହାଦେବ ସରାଇ ଗ୍ରାମର ଲକ୍ଷ୍ମଣ ବିନ୍ଧାଣୀଙ୍କ ପୁଅ ବିକାଶ ବିନ୍ଧାଣୀ(୪୫), ସନାତନ ମାଝୀଙ୍କ ପୁଅ କାହ୍ନୁ ମାଝୀ (୧୪) ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ । ତେବେ ସେମାନଙ୍କୁ ତୁରନ୍ତ ବସ୍ତା ଡାକ୍ତରଖାନାକୁ ଅଣାଯାଇଥିଲା, ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ମାଛିଆ ଗ୍ରାମର ନବ ସୋରେନ (୫୫), ମହାଦେବ ସରାଇ ଗ୍ରାମର ଠେଲା ମାରାଣ୍ଡି (୬୦), ନିମାଇ ମାଝୀ (୧୮), ସୁର ସୋରେନ (୧୬), ବାହାର୍ଦ୍ଦା ୟୁ ଜି ଏମ ଇ ସ୍କୁଲର ୧୨ବର୍ଷର ଛାତ୍ରୀ ଯଲେଖା ଖାତୁନ ବଜ୍ରଘାତରେ ଆହତ ହୋଇ ବସ୍ତା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ବାଲେଶ୍ଵର ଜିଲ୍ଲାର ଏଭଳି ଏକ ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି।
ଇଟିଭି ଭାରତ,ବାଲେଶ୍ୱର