ବ୍ୟାଙ୍କରେ 2000 ନୋଟ ଫେରାଇବା ପାଇଁ ଲାଇନ, ପେଟ୍ରୋଲ ପମ୍ପରେ ବଢୁଛି ନୋଟ ସଂଖ୍ୟା - ୨୦୦୦ ନୋଟ ବଦଳ ପ୍ରକ୍ରିୟା
କଟକ: ଆଜିଠୁ ଆରମ୍ଭ ହୋଇଛି ୨ ହଜାର ଟଙ୍କା ନୋଟ ବଦଳ ପ୍ରକ୍ରିୟା । ୨୦୦୦ ଟଙ୍କା ନୋଟ ଜମା କରିବା ପାଇଁ ବ୍ୟାଙ୍କରେ ଲୋକଙ୍କ ଭିଡ଼ ଲାଗିଛି । ୨ ହଜାର ଟଙ୍କିଆ ବଦଳରେ ୫୦୦ ଟଙ୍କିଆ, ୨୦୦ ଟଙ୍କିଆ ଭଳି ଅନ୍ୟ ନୋଟ ମଧ୍ୟ ଆଣୁଛନ୍ତି ଜମାକାରୀ । ଯେଉଁମାନେ ବଦଳରେ ନ ଆଣୁଛନ୍ତି ସେମାନେ ବ୍ୟାଙ୍କ ଆକାଉଣ୍ଟରେ ଲିକ୍ୱିଡ ଆକାରରେ ରଖିଛନ୍ତି । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏସବିଆଇ ବ୍ୟାଙ୍କର ମୁଖ୍ୟ ଶାଖାରେ ଟଙ୍କା ବଦଳାଇବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ପୂର୍ବରୁ ଯେତିକି ଭିଡ଼ ଦେଖିବାକୁ ମିଳିଥିଲା ତା ଅପେକ୍ଷା ଆଜି ଅଧିକ ଭିଡ଼ ପରିଲଖିତ ହୋଇଛି । ବ୍ୟାଙ୍କକୁ ଆସୁଥିବା ଜମାକାରୀଙ୍କୁ ଉତ୍ତମ ସୁବିଧା ଉପଲବ୍ଧ କରାଇବା, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଛି । ଦୈନିକ କୋଡ଼ିଏ ହଜାର ଟଙ୍କା ଲେଖାଏଁ ଟଙ୍କା ବଦଳରେ ନେଇ ପାରିବା ସହ ଜମା କରିବା ଉପରେ କୌଣସି ପ୍ରକାରର ପ୍ରତିବନ୍ଧକ ନଥିବା କହିଛନ୍ତି ମୁଖ୍ୟ ବ୍ରାଞ୍ଚର ଏଜିଏମ । ସେହିଭଳି ଦୁଇ ହଜାର ଟଙ୍କା ଜମା କରିବା ପାଇଁ ଆସିଥିବା ଜମାକାରୀ ମଧ୍ୟ ସୁରୁଖୁରରେ ଜମା କରିବା ସହ ଆଶ୍ୱସ୍ତି ଲାଭ କରିଛନ୍ତି । ଅନ୍ୟପଟେ ଦୁଇହଜାର ଟଙ୍କାର ବଦଳ ପର୍ବର ଅଜବ ପ୍ରଭାବ ଦେଖିବାକୁ ମିଳିଛି ପେଟ୍ରୋଲ ପମ୍ପ ମାନଙ୍କରେ । ପୂର୍ବରୁ ପାଞ୍ଚ ଶହ ଟଙ୍କିଆ ନୋଟ ବଦଳରେ ବେଶୀ ପେଟ୍ରୋଲ ଡିଜେଲ ପଡୁ ଥିବା ବର୍ତ୍ତମାନ ଦୁଇ ହଜାର ଟଙ୍କିଆ ନୋଟ ଧରି ଆସୁଥିବା ଗ୍ରାହକଙ୍କ ବେଶ ଭିଡ ଲାଗୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ଦୈନିକ 10 ଖଣ୍ଡ ଦୁଇ ହଜାର ଟଙ୍କିଆ ନୋଟ ଆସୁଥିଲା । ବର୍ତ୍ତମାନ 50 ରୁ 60 ଖଣ୍ଡ ନୋଟ ଆସୁଥିବା ପମ୍ପର କ୍ୟାସିୟର କହିଛନ୍ତି ।
ଇଟିଭି ଭାରତ, କଟକ