ପୁରୀ ମୁଖ୍ୟ କେନାଲରେ ଘାଇ, ବାଳକାଟି ଜଳମଗ୍ନ - ଭୁବନେଶ୍ବର ଉପକଣ୍ଠ ବାଳକାଟି ସାଇଫନ୍
ନିଆଳି: ପୁରୀ ମୁଖ୍ୟ କେନାଲର ସାଇଫନ୍ ନିକଟରେ ୨୦ଫୁଟର ଘାଇ । ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଳକାଟି ସାଇଫନ୍ ନିକଟରେ ପୁରୀ ମୁଖ୍ୟ କେନାଲ ଦକ୍ଷିଣ ପାର୍ଶ୍ଵରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଭାର୍ଗବୀ ନଦୀ ଓ ଚନ୍ଦନପୁର କେନାଲ ଗେଟ ବନ୍ଦ ଥିବାରୁ ଓଭର୍ ଫ୍ଲୋ ହୋଇ ବନ୍ଧ ଭାଙ୍ଗିଥିବା ଜଣାପଡିଛି । ରାତି ତିନିଟାରେ କେନାଲ ବନ୍ଧ ଘାଇ ହୋଇଥିବା ନେଇ ସୂଚନା ମିଳିଛି । ବନ୍ଧରେ ଘାଇ ହେବା ପରେ ସ୍ଥାନୀୟ ଲୋକ ଜଳ ସଂପଦ ବିଭାଗକୁ ଖବର ଦେଇଥିଲେ । ଭାର୍ଗବୀ ନଦୀକୁ ସଂଯୋଗ ଥିବା ଛଅଟି ଗେଟ୍ ଓ ଚନ୍ଦନପୁର କେନାଲକୁ ଥିବା ଦୁଇଟି ଗେଟ୍ ଖୋଲିବା ପରେ ପାଣି ଅନ୍ୟ ପଟରେ ନିଷ୍କାସିତ ହେଉଛି। କେନାଲ ବନ୍ଧ ଘାଇ ଯୋଗୁଁ ବାଳକାଟୀ ଫାଣ୍ତି,ପ୍ରତାପ ଶାସନ ଡିଗ୍ରୀ କଲେଜ ପଡ଼ିଆ, ବଡ ଭୋଇସାହି, ଜଗନ୍ନାଥ କଲୋନୀ ଜାଗେଶ୍ବରୀ କଲୋନୀ ଆଦି ଅଞ୍ଚଳରେ ଆଣ୍ଠୁଏ ଲେଖାଏ କେନାଲ ପାଣି ମାଡି ଯାଇଛି । ତତକ୍ଷଣାତ୍ ସ୍ଥାନୀୟ ସରପଞ୍ଚ ଓ ଜଳସେଚନ ଉପଖଣ୍ଡ ଅଧିକାରୀଙ୍କ ଉଦ୍ୟମରେ ଘାଇ ସ୍ଥାନରେ ବାଲି ବସ୍ତା ପକାଯାଇ ନଦୀ ବନ୍ଧର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ।
ଇଟିିଭି ଭାରତ, ନିଆଳି