ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପିର ବିରୋଧ, କଳାପତାକା ପ୍ରଦର୍ଶନ ଉଦ୍ୟମ କରି ୧୦ରୁ ଊର୍ଦ୍ଧ୍ବ ଅଟକ - ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ
ବ୍ରହ୍ମପୁର: ରବିବାର ଦିନିକିଆ ଗସ୍ତରେ ଗଞ୍ଜାମ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ବିରୋଧ କରିଛି ବିଜେପି । ଛତ୍ରପୁର ଠାରେ କଳାପତାକା ଦେଖାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଉଦ୍ୟମ ବେଳେ ୧୦ରୁ ଅଧିକା ବିଜେପି କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଶେଷ ପରେ ସେମାନଙ୍କୁ ଛଡା ଯାଇଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ବିଜେପି କର୍ମୀ ବିରୋଧ କରି କଳାପତାକା ଦେଖାଇବାକୁ ଉଦ୍ୟମ କରିଥିଲେ । ଛତ୍ରପୁର ଠାରେ ବିଜେପି କର୍ମୀ ବିରୋଧ କରିବାକୁ ଉଦ୍ୟମ କରିଥିଲେ । ସେହିଭଳି କିଛି ବିଜେପି କର୍ମୀ ହଠାତ୍ ବିକ୍ଷୋଭ କରିବାକୁ ଷ୍ଟାଡିୟମ ନିକଟରେ ପହଞ୍ଚି ଯାଇଥିଲେ । ଏହି ସମୟରେ ସୁରକ୍ଷା କର୍ମୀମାନେ ସମସ୍ତଙ୍କୁ କାବୁ କରିଥିଲେ । ଏଭଳି ପ୍ରଦର୍ଶନ କରି ବିରୋଧ କରିଥିବା ପ୍ରାୟ ୧୦ରୁ ଅଧିକ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ । ସେହିପରି ଛତ୍ରପୁର ବସଷ୍ଟାଣ୍ଡରେ ମଧ୍ୟ ଦୁଇ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଶେଷ ପରେ ସମସ୍ତଙ୍କୁ ଛଡା ଯାଇଥିବା ଜଣାପଡ଼ିଛି ।
ଇଟିଭି ଭାରତ, ବ୍ରହ୍ମପୁର