ବିରିଡି BDOଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି - ବିରିଡ଼ି ବିଡ଼ିଓଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ
ଜଗତସିଂହପୁର: ଜିଲ୍ଲାର ବିରିଡ଼ି ବ୍ଳକ ଅଧିକାରୀଙ୍କ ଦୁର୍ବ୍ୟବହାର ନେଇ ହୋଇଛି ଅଭିଯୋଗ । ଏନେଇ ଦୀର୍ଘ ୩ଦିନ ଧରି ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗି ରହିଛି ଉତ୍ତେଜନା । ବିଡ଼ିଓଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ସାଧାରଣ ଜନତା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ବ୍ଲକ କାର୍ଯ୍ୟ ଏକପ୍ରକାର ଠପ ହୋଇଯାଇଥିବା ଦେଖିବାକୁ ମିଳିଛି । ବିରିଡ଼ି ଅଞ୍ଚଳର କିଛି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏକ ନିର୍ଦ୍ଦିଷ୍ଟ ଅଭିଯୋଗକୁ ନେଇ ବିଡ଼ିଓଙ୍କ ନିକଟରେ ଫେରାଦ ହୋଇଥିଲେ । ମାତ୍ର ବିଡ଼ିଓ ହେମନ୍ତ କୁମାର ମାହନ୍ତ ମହିଳା ମାନଙ୍କୁ କଟୁ ଭାଷାରେ ଗାଳିଗୁଲଜ କରିବା ସହ ନିଜ ପ୍ରକୋଷ୍ଠରୁ ବାହାର କରି ଦେଇଥିଲେ । ସେହିପରି ହାଜିପୁର ପଞ୍ଚାୟତର ସମିତି ସଭ୍ୟ ସନ୍ତୋଷ କୁମାର ନାୟକ ଏକ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ବିଡ଼ିଓଙ୍କୁ ଭେଟିବାକୁ ଆସିଥିବା ବେଳେ ବିଡ଼ିଓ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରି ପ୍ରକୋଷ୍ଠରୁ ବାହାର କରି ଦେଇଥିଲେ । ଏପରିକି ଏହି ଦୁର୍ବ୍ୟବହାର ପ୍ରସଙ୍ଗରେ ଯେତେବେଳେ କିଛି ସାମ୍ବାଦିକ ବିଡ଼ିଓଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ, ବିଡ଼ିଓ ସାମ୍ବାଦିକ ମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଏହି ସବୁ ଘଟଣାକୁ ଭିତ୍ତି କରି ବିଡ଼ିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ବ୍ଳକ ଅଧ୍ୟକ୍ଷା, ସମସ୍ତ ସମିତି ସଭ୍ୟ, ସରପଞ୍ଚ ଏବଂ ସାଧାରଣ ଜନତା ବ୍ଳକ ସମ୍ମୁଖରେ ଧାରଣା ଦେବା ସହ ଆନ୍ଦୋଳନ କରିଛନ୍ତି । ଦୀର୍ଘ ୩ଦିନ ଧରି ଆନ୍ଦୋଳନରେ ବସିବା ପରେ ଆଜି ବିଡ଼ିଓଙ୍କ ସହ ସମାଧାନ ପାଇଁ ଆଲୋଚନା କରାଯାଇଥିଲା । ମାତ୍ର ବିଡ଼ିଓଙ୍କ ଏକତରଫା ଯୁକ୍ତି ଆନ୍ଦୋଳନକାରୀଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା । ଯାହାଫଳରେ ବିଡ଼ିଓଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:21 PM IST