ଆସ ବୁଲିଯିବା ମହାନଦୀ ଗର୍ଭର ଖଣ୍ଡିଆ ଦେଉଳ
ସୁବର୍ଣ୍ଣପୁର: ସହର ପାର୍ଶ୍ବରେ ପ୍ରବାହିତ ଚୀରସ୍ରୋତା ମହାନଦୀ ବକ୍ଷରେ ରହିଛି ଏକ ପ୍ରାଚୀନ ମନ୍ଦିର । ମହାନଦୀ ଗର୍ଭରେ ଦେବୀ ମା ଲଙ୍କେଶ୍ବରୀ ପୀଠରୁ ପ୍ରାୟ ଛଅ କିଲୋମିଟର ଡଙ୍ଗା ଅନୁକୂଳ ସ୍ରୋତା ଗଲେ ଏକ ଟାପୁରେ ଏହି ମନ୍ଦିରଟି ରହିଛି । ଜନଶ୍ରୃତିରେ ଏହି ମନ୍ଦିରଟି ଖଣ୍ଡିଆ ଦେଉଳ ଭାବେ ପରିଚିତ । ମନ୍ଦିରର ଅଗ୍ରଭାବ ଖଣ୍ଡିଆ ହୋଇଥିବାରୁ ଅବା ମନ୍ଦିର ଚୂଳ ନିର୍ମାଣ ହୋଇ ନ ଥିବାରୁ ଲୋକେ ଏହାକୁ ଖଣ୍ଡିଆ ଦେଉଳ ବୋଲି କହିଥାନ୍ତି । ତେବେ ପର୍ଯ୍ୟଟନୀ ବିଭବରେ ଭରପୁର ଏହି ଦେଉଳର ସୁରକ୍ଷା, ରକ୍ଷଣା ବେକ୍ଷଣ ଓ ମରାମତି କାର୍ଯ୍ୟ କରିବା ସହିତ ଏହାର ସୌନ୍ଦର୍ଯ୍ୟ କରଣ ପାଇଁ ଦୀର୍ଘ ଦିନରୁ ଦାବି ହେଉଛି । ପ୍ରାୟ ଛଅ କିଲୋମିଟର ମହାନଦୀ ଗର୍ଭରେ ଗଲେ ବେଶ ମନଲୋଭା ଦୃଶ୍ୟ ସବୁ ଦେଖିବାକୁ ମିଳେ । ମହାନଦୀ ଗର୍ଭରେ ପର୍ବତ ସଦୃଶ ବିରାଟକାୟ ପ୍ରସ୍ତର, ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ସ୍ଥିର ଓ ପ୍ରଖର ଜଳରାଶି, ବିଭିନ୍ନ ପ୍ରକାରର ଜଳଚର ଜୀବଙ୍କ ସମେତ ରଙ୍ଗବେରଙ୍ଗର ବିଭିନ୍ନ ପକ୍ଷୀମାନଙ୍କୁ ଦେଖିବାକୁ ମିଳେ । ମହାନଦୀ ଜଳସ୍ରୋତର ଅନୂକୂଳ ଦିଗରେ ଥିବା ଏହି ପ୍ରାଚୀନ ମନ୍ଦିରଟି କିନ୍ତୁ ପ୍ରାୟ ନବମ ଶତାଦ୍ଦୀର ଦ୍ବୀତିୟାର୍ଦ୍ଧରେ ନିର୍ମାଣ କରାଯାଇଥିବା ଐତିହାସୀକମାନେ ମତ ଦିଅନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର