ଡେରାବିଶରେ ନିର୍ଦ୍ଵନ୍ଦ୍ବରେ ଉପାଧ୍ୟକ୍ଷ ନିର୍ବାଚିତ ହେଲେ ଦେବାଶିଷ ଆଚାର୍ଯ୍ୟ - କେନ୍ଦ୍ରାପଡ଼ା ରାଜନୀତି ଖବର
କେନ୍ଦ୍ରାପଡ଼ା: ବ୍ଳକ ଅଧ୍ୟକ୍ଷା ନିର୍ବାଚନ ସମୟରେ ଚର୍ଚ୍ଚାର ପରିସରରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ୍ ବ୍ଳକ ଆଜି ଉପାଧ୍ୟକ୍ଷ ନିର୍ବାଚନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥିଲା । ଡେରାବିଶ୍ ବ୍ଲକର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଦେବାଶିଷ ଆଚାର୍ଯ୍ୟ । ପୂର୍ବରୁ ଏଠାରେ ବ୍ଲକ ଅଧ୍ୟକ୍ଷା ଭାବେ ପ୍ରଭାତୀ ମଲିକ ଲଟେରୀ ମାଧ୍ୟମରେ ବିଜୟ ହାସଲ କରିଥିଲେ । ତେବେ ଆଜି ଅନୁଷ୍ଠିତ ଉପାଧ୍ୟକ୍ଷ ନିର୍ବାଚନରେ ଉଭୟ ପୂର୍ବତନ ଅଧ୍ୟକ୍ଷ ଏବଂ ନୂତନ ଅଧ୍ୟକ୍ଷା ଅନୁପସ୍ଥିତ ରହିବା ପାଟକୁରା ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ରାଜନୈତିକ ଗୋଟିଚାଳନାରେ ମାହିର ଜଅଁରା ବାରିମୂଳ ସମିତିସଭ୍ୟ ତଥା ବ୍ଳକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ନିଜେ ଉପାଧ୍ୟକ୍ଷ ପ୍ରାର୍ଥି ହୋଇଥିବାରୁ ପ୍ରଭାତୀଙ୍କ ଶିବିରରୁ ଜଣେ ସମିତିସଭ୍ୟଙ୍କୁ ତାଙ୍କ ସମର୍ଥନରେ ଆଣିବାକୁ ସକ୍ଷମ ହୋଇଥିଲେ । ପୂର୍ବତନ ଅଧ୍ୟକ୍ଷଙ୍କ ରାଜନୀତି ଷ୍ଟ୍ରାଟେଜିକୁ ଧୂଳିସାତ କରି ଦେଇଛନ୍ତି । ଅନ୍ୟପକ୍ଷରେ ଆଜିର ଏହି ବିଜୟ ପାଇଁ ଦେବାଶିଷ ଡେରାବିଶ୍ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଆଗାମୀ ଦିନରେ ସମିତିର ଖସଡ଼ା ପ୍ରସ୍ତୁତି ଜୋରଦାର ହେବ ବୋଲି କହିଛନ୍ତି। ଏହାକୁ ନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡ଼ା ପ୍ରତିନିଧି ରାଧାକାନ୍ତ ମହାନ୍ତି
Last Updated : Feb 3, 2023, 8:20 PM IST