ରେଳଯାତ୍ରୀଙ୍କୁ ଗୋଇଠା ମାରି ଅଡୁଆରେ କେରଳ ପୋଲିସ, ଭିଡ଼ିଓ ଭାଇରାଲ
ଥିରୁଅନନ୍ତପୁରମ: କେରଳ ପୋଲିସର ଅଶୋଭନୀୟ ବ୍ୟବହାର । ରେଳଯାତ୍ରୀଙ୍କୁ ଗୋଇଠା ମାରି ହୋଇଛି ହଟହଟା । ଏହି ଘଟଣାର ଦୃଶ୍ୟ ଭାଇରାଲ ହେବା ପରେ କେରଳ ପୋଲିସର ଏପରି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି । ଭିଡ଼ିଓ ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କ ଅନୁସାରେ କାଶାରଗୋଡ଼ରୁ ଥିରୁଅନନ୍ତପୁରମ ଯାଉଥିବା ମାଭେଲି ଏକ୍ସପ୍ରେସରେ ଜଣେ ଯାତ୍ରୀଙ୍କୁ ASI ପ୍ରମୋଦ ରେଲୱେ ପୋଲିସ ସହିତ ମିଶି ଟିକେଟ ମାଗିଥିଲେ । ଉକ୍ତ ବ୍ୟକ୍ତି ଜଣକ ପ୍ରଥମେ ତାଙ୍କ ନିକଟରେ ସ୍ଲିପର ଟିକେଟ ନାହିଁ, କିନ୍ତୁ ଜେନେରାଲ ଟିକେଟ ଅଛି ବୋଲି କହିଥିଲେ । ଏହାପରେ ପ୍ରମୋଦ ତାଙ୍କୁ ଟିକେଟ ଦେଖାଇବା ପାଇଁ କହିଥିଲେ । ଯେତେବେଳେ ଉକ୍ତ ଯାତ୍ରୀ ଜଣକ ଟିକେଟ ଖୋଜିବା ଆରମ୍ଭ କରିଥିଲେ, ASI ତାଙ୍କୁ ଗୋଇଠା ମାରିବା ଆରମ୍ଭ କରିଥିଲେ । ଫଳରେ ଯାତ୍ରୀ ଜଣକ ଟ୍ରେନ ଚଟାଣରେ ପଡି ଯାଇଥିଲେ । ଏହାପରେ ଭଦାକରା ଷ୍ଟେସନରେ ତାଙ୍କୁ ଟ୍ରେନରୁ ବାହାର କରାଯାଇଥିଲା । ଘଟଣାରେ ASI ପ୍ରମୋଦଙ୍କୁ ଯୋଗାଯୋଗ କରିବା ପରେ ସେ ଏପରି କରିନାହାନ୍ତି ବୋଲି କହିଥିଲେ । ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆସିଛି ବୋଲି ସେ କହିଥିବା ବେଳେ ଏପଟେ ଭିଡ଼ିଓରେ ବାସ୍ତବତା ଦେଖିବାକୁ ମିଳିଛି । କନ୍ନୁର ସିଟି ପୋଲିସ କମିଶନର ଆର. ଇଲାଙ୍ଗୋ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
କେରଳ ପୋଲିସର ଅଶୋଭନୀୟ ବ୍ୟବହାର