ରାଜସ୍ଥାନ ରାଜନୀତି, ଆସ୍ଥା ଭୋଟ ଜିତିଲେ ଗେହେଲଟ ସରକାର - ଅଶୋକ ଗେହେଲଟ
ଜୟପୁର: ରାଜସ୍ଥାନ ବିଧାନସଭାରେ ଅଶୋକ ଗେହେଲଟଙ୍କ ନେତୃତ୍ବାଧିନ କଂଗ୍ରେସ ସରକାର ବିଧାନସଭାରେ ବିଶ୍ବାସମତ ଜିତିଛି । ଏହାସହ ଅଧିବେଶନକୁ ଆସନ୍ତା 21 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ବାଚସ୍ପତି । ଏହି ଅବସରରେ ଅଶୋକ ଗେହେଲଟ ଭାରତୀୟ ଜନତା ପାର୍ଟି ଉପରେ ଧୂମ ବର୍ଷିଛନ୍ତି । ଗେହେଲଟ କହିଛନ୍ତି ଯେତେବେଳେ ସାରା ଦୁନିଆ ମହାମାରୀ ବିରୋଧରେ ଲଢୁଛି ସେତେବେଳେ ବିଜେପି ଗୋଟିଏ ନିର୍ବାଚିତ ସରକାରକୁ ଭାଙ୍ଗିବାରେ ଲାଗିଛି । ଶୁକ୍ରବାର ଅଧିବେଶନ ଆରମ୍ଭ ହେବାପରେ ଗଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକୁ 2 ଘଣ୍ଟା ପାଇଁ ମୁଲତବୀ ରଖାଯାଇଥିଲା । ଅପରାହ୍ନ 1 ଟା ରେ ଅଧିବେଶନ ଆରମ୍ଭ ହେବାପରେ ସଂସଦୀୟ ମନ୍ତ୍ରୀ ଶାନ୍ତି ଧାରୀୱାଲ ଆସ୍ଥା ପ୍ରସ୍ତାବ ଆଗତ କରିଥିଲେ । ପ୍ରସ୍ତାବ ଆଗତ ପରେ ଯୋରଦାର ବିତର୍କ ହୋଇଥିଲା । ଉଭୟ ପକ୍ଷର ଆଲୋଚନା ପରେ ଧ୍ବନିମତରେ ସରକାର ବିଜୟୀ ହୋଇଥିବା ବାଚସ୍ପତି ଘୋଷଣା କରିଥିଲେ । ଫଳରେ ଅତିକମରେ 6 ମାସ ପର୍ଯ୍ୟନ୍ତ ସରକାର ଏବେ ସୁରକ୍ଷିତ । କାରଣ ନିୟମ ଅନୁସାରେ ଗୃହରେ ଥରେ ଆସ୍ଥା ଭୋଟ ହେଲେ ପୁଣି ଥରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ 6 ମାସ ଅପେକ୍ଷା କରିବାକୁ ପଡିବ ବିରୋଧୀଙ୍କୁ ।