ଇସ୍ରୋରେ କାର୍ଯ୍ୟରତ ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ମାରିବାକୁ ଦିଆଯାଇଥିଲା ବିଷ - scientist Tapan Misra
ଅହମ୍ମଦାବାଦ: ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତଥା ଅହମ୍ମଦାବାଦ ସ୍ପେଶ ସେଣ୍ଟରର ପୂର୍ବତନ ନିର୍ଦ୍ଦେଶକ ତପନ ମିଶ୍ରଙ୍କ ବିସ୍ଫୋରକ ଖୁଲାସା । ବର୍ଷ 2017 ରେ ତାଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିବା ନେଇ ଆଣିଛନ୍ତି ସଂଗୀନ ଅଭିଯୋଗ । ନିଜ ସୋସିଆଲ ମିଡିଆରେ ସମସ୍ତ ଘଟଣା ବର୍ଣ୍ଣନା କରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । ସେ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ତାଙ୍କୁ ଜଣାନାହିଁ କିଏ କାହିଁକି ବିଷ ଦେଇଥିଲା । ସେ କହିଛନ୍ତି ପ୍ରମୋଶନ ସାକ୍ଷାତକାର ପାଇଁ ସେ ବେଙ୍ଗାଲୁରୁ ମୁଖ୍ୟାଳୟ ଯାଇଥିବା ବେଳେ ସେଠାରେ ଜଳଖିଆରେ ଦିଆଯାଇଥିବା ଦୋଷା ଓ ଚଟନୀରେ ଆର୍ସେନିକ ଟ୍ରାଇଅକ୍ସାଇଡ ବିଷାକ୍ତ କେମିକାଲ ମିଶାଯାଇଥିଲା । ତପନ ଆଗକୁ ଲେଖିଛନ୍ତି ଏହା ପରଠାରୁ ତାଙ୍କର ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଲା । 2 ବର୍ଷ ପର୍ଯ୍ୟନ୍ତ ଚିକିତ୍ସତ ହେବାକୁ ପଡିଲା । ସେ ଭାଗ୍ୟଶାଳୀ ଯେ ଏହି ବିଷାକ୍ତ କେମିକାଲ ଖାଇବା ସତ୍ବେ ସେ ଜୀବିତ ଅଛନ୍ତି । ‘ମୁଁ ଦୀର୍ଘ 2 ବର୍ଷ ଧରି ଚିକିତ୍ସତ ଥିବାରୁ ଘଟଣାକୁ ନେଇ ମୁଁ କେବେ କେଉଁଠି କିଛି କହିନାହିଁ । ଚଳିତ ମାସରେ ମୁଁ ଅବସର ନେଉଥିବାରୁ କହିବା ପାଇଁ ବାଧ୍ୟ ହେଲି କାରଣ ମୁଁ ମରିଗଲେ ମଧ୍ୟ ଲୋକେ ଜାଣିବା ଦରକାର ମୋ ସହ କଣ ଘଟିଛି’ ।