ହାଇଦ୍ରାବାଦ:ବର୍ଷ 2023 ସରିବା ପାଇଁ ମାତ୍ର ଆଉ ଦିନ କେଇଟା ବାକି ରହିଛି । ତେବେ ପୁରୁଣା ବର୍ଷକୁ ବିଦାୟୀ ଦେଇ ନୂଆ ବର୍ଷକୁ ସ୍ବାଗତ କରିବେ ଦେଶବାସୀ । ତେବେ ବର୍ଷ ଶେଷ ହେଲେ ସୁଦ୍ଧା ମନେ ରହିଯିବ କଲବଲ କରିଥିବା ରୋଗ । ଚଳିତ ବର୍ଷ ଭାରତରେ ଅନେକ ଭାଇରସ ହଇଚଇ ମଚାଇଥିଲା, ଯାହାର ନାମ ଶୁଣିଲେ ଆଜି ମଧ୍ୟ ଛାତିରେ ଛାତିରେ ଛନକା ଆସୁଛି । ଚଳିତବର୍ଷ ଦେଶ ଦୁନିଆରେ ଏଭଳି ଅନେକ ରୋଗ ସାମ୍ନାକୁ ଆସିଥିଲା, ଯାହା କୋରୋନା ମହାମାରୀ ପରେ ଜନସାଧାରଣଙ୍କ ଚିନ୍ତାର କାରଣ ସାଜିଥିଲା ।
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଚଳିତ ବର୍ଷ ଅନେକ ଚାଲେଞ୍ଜ ସୃଷ୍ଟି କରିଥିଲା । 3 ବର୍ଷ ଧରି ସାରା ବିଶ୍ବକୁ କଲବଲ କରିଥିବା କୋରୋନା ମହାମାରୀକୁ ଚଳିତ ବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମହାମାରୀ ତାଲିକାରୁ ହଟାଇ ଦେଇଥିଲା। ତଥାପି ଏହାର ଭାରିଆଣ୍ଟ ପିଛା ଛାଡିନଥିବା ବେଳେ ଲୋକଙ୍କ ମନରୁ ଭୟ ମଧ୍ୟ ଦୂରେଇ ଯାଇ ନଥିଲା। ନଜର ପକାନ୍ତୁ ଚଳିତ ବର୍ଷ ଲୋକଙ୍କ ଚିନ୍ତାର କାରଣ ସାଜିଥିବା ରୋଗ ଉପରେ ।
ଡେଙ୍ଗୁ: ଚଳିତ ବର୍ଷ ମଶା ଯୋଗୁଁ ଅନେକ ରୋଗ ସାମ୍ନାକୁ ଆସିଥିଲା, ଯାହାକି ଚିନ୍ତାର କାରଣ ସାଜିଥିଲା। 2023ମସିହାରେ ଅଧିକ ପ୍ରଭାବିତ କରିଥିବା ରୋଗ ମଧ୍ୟରୁ ଡେଙ୍ଗୁ ଅନ୍ୟତମ । ଏଥିରେ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ଗ୍ଲୋବାଲ ଓ୍ବାର୍ମିଂ ସହିତ ଅନେକ କାରଣରୁ ଚଳିତ ବର୍ଷ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଯାହା ଦ୍ବାରା ଅନେକ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । 2023 ମସିହା ନଭେମ୍ବର 30 ତାରିଖ ସୁଦ୍ଧା 2 ଲକ୍ଷ 34 ହଜାର 427 ଡଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ତେବେ କେବଳ ଭାରତରେ ନୁହେଁ ବରଂ ପଡୋଶୀ ଦେଶରେ ମଧ୍ୟ ହଙ୍ଗାମା ମଚାଇଥିଲା ଡେଙ୍ଗୁ ।
ବର୍ଷର ଆରମ୍ଭରେ ଦିଲ୍ଲୀ ଏନସିଆରରେ ଅତ୍ୟଧିକ ବର୍ଷା କାରଣରୁ ଜଳମଗ୍ନ ହୋଇଥିଲା। ଫଳରେ ମଶାମାନଙ୍କର ବଂଶବୃଦ୍ଧି ହେବା ସହିତ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା । ଦିଲ୍ଲୀରେ ଡେଙ୍ଗୁ 6 ବର୍ଷର ରେକର୍ଡ ଭାଙ୍ଗିଥିଲା । 2018 ମସିହା ପରେ ଚଳିତ ବର୍ଷ ଜୁଲାଇ ମାସରେ ଅଧିକ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ଅଗଷ୍ଟ-ଅକ୍ଟୋବର ମାସ ମଧ୍ୟରେ ମଧ୍ୟ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ।
ଏହା ମଧ୍ୟ ପଢନ୍ତୁ: ଉପଲବ୍ଧିର ବର୍ଷ 2023: ସ୍ବପ୍ନରେ ଡେଣା ଲଗାଇଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ଜୁଲାଇ-ଅଗଷ୍ଟ ମାସରେ ରାଜଧାନୀ ଦିଲ୍ଲୀରେ ଦ୍ରୁତଗତିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଏନେଇ ସରକାର ମଧ୍ୟ ସତର୍କ କରାଇଥିଲେ । ତେବେ ଏହାର କାରଣ ଜାଣିବା ପାଇଁ ଜେନୋମ ଟେଷ୍ଟିଂ ପାଇଁ ନମୁନା ପଠାଯାଇଥିବା ବେଳେ ଡେଙ୍ଗୁର ଗମ୍ଭୀର ଷ୍ଟ୍ରେନ୍ ଟାଇପ୍-୨ ଡେଙ୍ଗୁ ମାମଲା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ଡେଙ୍ଗୁ ରୋଗ ଡେଙ୍ଗୁ ଭାଇରସ(DENV) କାରଣରୁ ହୋଇଥାଏ। ମୁଖ୍ୟତଃ ଏଡିସ ମଶା କାମୁଡିବା କାରଣରୁ ଡେଙ୍ଗୁ ହୋଇଥାଏ । ଏହି ମଶା ସାଧାରଣତଃ ଦିନ ସମୟରେ ଅଧିକ କାମୁଡି ଥାଆନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡେଙ୍ଗୁର 4ଟି ସିରୋଟାଇପ ରହିଛି। DENV-1, DENV-2, DENV-3 ଏବଂ DENV-4। ତେବେ ଷ୍ଟ୍ରେନ ଟାଇପ 2 କାରଣରୁ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ଜଣାପଡିଥିଲା।
ଆଖିଧରା: ପ୍ରତ୍ୟେକ ବର୍ଷ ବର୍ଷା ଋତୁରେ ଆଖିଧରାର ଅନେକ ମାମଲା ସାମ୍ନାକୁ ଆସିଥାଏ । ଏହାକୁ ପିଙ୍କ ଆଇ ଏବଂ କଞ୍ଜକ୍ଟିବାଇଟିସ ମଧ୍ୟ କୁହାଯାଏ । ତେବେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ମାମଲା ରେକର୍ଡ ସ୍ତରରେ ବୃଦ୍ଧି ପାଇଥିଲା । ଏହା ଏକ ପ୍ରକାର ଆଖି ସଂକ୍ରମଣ ଯାହା ଆଖିର ଭିତର ଏବଂ ବାହାର ଭାଗକୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ଗତ ଜୁଲାଇ ମାସରେ ଶହଶହ ସଂକ୍ରମିତ ଚିହ୍ନଟ ହୋଇଥିଲେ । ପ୍ରତିଦିନ 200ରୁ ଅଧିକ ସଂକ୍ରମିତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଖି ଫ୍ଲୁ ତଥା କଞ୍ଜୁଣ୍ଟିଭାଇଟିସକୁ ଏକ ଆଖି ସଂକ୍ରମଣ ଭାବରେ ବିବେଚନା କରାଯାଏ ଏବଂ ଏହା ଜଣଙ୍କଠାରୁ ଅନ୍ୟଜଣଙ୍କୁ ଶୀଘ୍ର ବ୍ୟାପିଥାଏ । ଭାରତ ସହିତ ଓଡିଶାରେ ମଧ୍ୟ ଆଖିଧରା ରୋଗ ବ୍ୟାପିବା କାରଣରୁ ସ୍ବାସ୍ଥ୍ୟ ବିଭଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା।
ଏହା ମଧ୍ୟ ପଢନ୍ତୁ: କେତେ ବିପଦଜ୍ଜନକ JN.1 ? ପାରେଣ୍ଟ୍ ଭାରିଆଣ୍ଟଠାରୁ ପୃଥକ୍ ଶ୍ରେଣୀଭୁକ୍ତ କଲା WHO
ନିପା ଭାଇରସ:ଚଳିତ ବର୍ଷ ନିପା ଭାଇରସ୍ ଲୋକଙ୍କ ଚିନ୍ତାର କାରଣ ସାଜିଥିଲା । ସେପ୍ଟମ୍ବର ମାସରେ ଖବରର ଶିରୋନାମା ପାଲଟିଥିଲା । ଏହି ଭାଇରସ ପ୍ରଥମେ କେରଳରେ ଚିହ୍ନଟ ହେବା ପରେ ଉତ୍ତେଜନା ଦେଖାଯାଇଥିଲା। ଏହି ମାରାତ୍ମକ ଭାଇରସ ପଶୁଙ୍କ ଠାରୁ ମନୁଷ୍ୟଙ୍କୁ ବ୍ୟାପିଥାଏ । ଏହା ଘୁଷୁରି ପରି ପଶୁମାନଙ୍କଠାରୁ ମନୁଷ୍ୟକୁ ଆସିଥାଏ । ଏହି ଭୂତାଣୁ ସଂକ୍ରମିତ ଖାଦ୍ୟ ମାଧ୍ୟମରେ ଏବଂ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବିସ୍ତାର ହୋଇପାରେ । ନିପା ଭାଇରସକୁ ନେଇ ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନେକ ମତ ଦେଇଥିଲେ। କୋରୋନାଠୁ 20% ଅଧିକ ଘାତକ ନିପା ଭାଇରସ ବୋଲି କୁହାଯାଇଥିଲା। ଅନେକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ 2ଜଣ ପ୍ରାଣ ମଧ୍ୟ ହରାଇଥିଲେ। ନିପା ଭାଇରସ ସଂକ୍ରମଣ ରୋକିବାକୁ କଡା ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିଲା। ସତର୍କ କରାଇବା ସହିତ କେରଳରେ ଦୁଇ ସପ୍ତାହ ସ୍କୁଲ ମଧ୍ୟ ଛୁଟି କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିପାକୁ ଏକ ଜୋନୋଟିକ ଭାଇରସ ବୋଲି ବର୍ଣ୍ଣନା କରିଥିଲା ।
ନିମୋନିଆ: ଚୀନକୁ ରହସ୍ୟମୟୀ କୁହାଯାଉଥିବା ବେଳେ ସେଠାରେ ବ୍ୟାପୁଥିବା ରହସ୍ୟମୟ ନିମୋନିଆ ମଧ୍ୟ ସମସ୍ତଙ୍କୁ କବଳିତ କରିଥିଲା। ଇନ୍ଫ୍ଲୁଏଞ୍ଜା, ମାଇକୋପ୍ଲାଜମା ନିମୋନିଆ, SARS-CoV-2 ଇତ୍ୟାଦି ସାଧାରଣ କାରଣ ଏଥିପାଇଁ ଦାୟୀ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା। ଶୀତ ଋତୁ ଆରମ୍ଭ ହେବା ସହ ମାଇକୋପ୍ଲାଜ୍ମା ନିମୋନିଆ ଭଳି ଶ୍ବାସକ୍ରିୟା ରୋଗର ବିସ୍ତାର ସହ COVID-19 ପ୍ରତିବନ୍ଧକକୁ ହଟାଇବା ବି ଏହାର ବୃଦ୍ଧିର କାରଣ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା। ତେବେ ଚୀନ ସମେତ ଅନେକ ଦେଶରେ ନିମୋନିଆ କାରଣରୁ ଅନେକ ପ୍ରାଣ ହରାଇଥିବା ବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଥିଲା। ଶୀତ ଋତୁ ଆରମ୍ଭ ହେବା ସହିତ ଅନେକ ଶ୍ବାସକ୍ରିୟା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଜଣେ ବ୍ୟକ୍ତିର ଗୋଟିଏ କିମ୍ବା ଦୁଇଟି ଫୁସଫୁସରେ ସଂକ୍ରମଣ ହେଲେ ତାହାକୁ ନିମୋନିଆ କୁହାଯାଏ। ଏହାର ଲକ୍ଷଣ ମଧ୍ୟ ବ୍ୟକ୍ତିଙ୍କ ଠାରେ ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ରକ୍ତ ପରୀକ୍ଷା ଏବଂ ଏକ୍ସରେ ଦ୍ବାରା ଏହି ରୋଗକୁ ଚିହ୍ନଟ କରିବା ସମ୍ଭବ ହୋଇଥାଏ । ଚାଇନାରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ହ୍ବାଇଟ ଲଙ୍ଗ୍ସ ସିଣ୍ଡ୍ରୋମ କୁହାଯାଉଛି। କାରଣ ଏହି ରୋଗର ଆକ୍ରାନ୍ତ ହେବା ମାତ୍ରେ ଫୁସଫୁସରେ ଧଳା ଆସ୍ତରଣ ଦେଖାଯାଇଥାଏ। ଏହି ରୋଗ ଯୋଗୁଁ ଫୁସଫୁସରେ ଫୁଲା ଦେଖାଯାଇଥାଏ। ଫଳରେ ଫୁସଫୁସ ଏବଂ ଶ୍ବସନ ତନ୍ତ୍ରରେ ସମସ୍ୟା ଦେଖାଯାଇଥାଏ । ତେବେ ପ୍ରାରମ୍ଭିକ ଅବସ୍ଥାରେ ଏହା ଗମ୍ଭୀର ହୋଇନଥିଲେ ହେଁ ପରବର୍ତ୍ତି ସମୟରେ ଏହା ସାଘାଂତିକ ପରିସ୍ଥିତି ସୃଷ୍ଟି କରିଥାଏ । ଏହାକୁ ନେଇ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଲର୍ଟ କରାଯାଇଥିଲା ।
ଟମାଟୋ ଜ୍ବର: କେରଳରେ ମୌସୁମୀ ପହଞ୍ଚିବା ସହିତ ଅନେକ ରୋଗକୁ ସାଙ୍ଗରେ ଧରି ଆସିଥିଲା। କେରଳରେ ଡେଙ୍ଗୁ ଏବଂ ପ୍ଲେଗ ସହିତ ଟମାଟୋ ଜ୍ୱରର ଆଶଙ୍କା ଦ୍ରୁତ ଗତିରେ ବ୍ୟାପିଥିଲା। ଏହି କାରଣରୁ 100ରୁ ଅଧିକ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଥିଲା। କେରଳ ସରକାରଙ୍କ ରିପୋର୍ଟ ଅନୁଯାୟୀ, 5 ବର୍ଷରୁ କମ୍ ପିଲାମାନଙ୍କଠାରେ ଟମାଟୋ ଜ୍ୱରର ସର୍ବାଧିକ ରୋଗ ଦେଖାଯାଇଥିଲା।
ଟମାଟୋ ଜ୍ୱର ରୋଗକୁ ଭାଇରାଲ୍ ଫ୍ଲୁ କୁହାଯାଏ, ଏହା ପ୍ରାୟତଃ ପିଲାମାନଙ୍କଠାରେ ଦେଖାଯାଏ। ଏହି ରୋଗରେ ପୀଡିତ ପିଲାମାନଙ୍କ ଶରୀରରେ ଟମାଟୋ ରଙ୍ଗର ଗୋଲଗୋଲ ହେବା ସହ ଏହି ଚର୍ମରେ ଉତ୍ତେଜନା ମଧ୍ୟ ଆରମ୍ଭ ହୁଏ। ଏହି ସମୟରେ ରୋଗୀର ପାଟି ଶୁଖିବା ଆରମ୍ଭ କରେ ଏବଂ ତୃଷ୍ଣା ବା ଶୋଷ ହୁଏ ନାହିଁ । ଏହି କାରଣରୁ, ପିଲାମାନଙ୍କ ଶରୀରରେ ଜଳର ଅଭାବ ଦେଖାଯିବା ଆରମ୍ଭ କରେ । ଏହା ବ୍ୟତୀତ ଅଧିକ ଜ୍ୱର, ଶରୀରରେ ଯନ୍ତ୍ରଣା, ଗଣ୍ଠିରେ ଯନ୍ତ୍ରଣା ଏବଂ ଫୁଲା ମଧ୍ୟ ପାଟିରେ ଦେଖାଯାଏ ।
ଜେଏନ 1:ବର୍ଷସାରା ଭାଇରସ କଲବଲ କରିଥିବା ବେଳେ ବର୍ଷର ଶେଷ ମାସ ମଧ୍ୟ ବାଦ ପଡିନାହିଁ। କୋରୋନାର ନୂଆ ଭାରିଆଣ୍ଟ୍ ଜେଏନ୍1କୁ ନେଇ ସମସ୍ତଙ୍କ ମନରେ ଭୟ ଦେଖାଯାଇଥିଲା। ଅନେକ ଦେଶରେ ଚିନ୍ତାର କାରଣ ସାଜିଥିବା ବେଳେ କେରଳରେ କୋରୋନାର ସବ ଭାରିଆଣ୍ଟ ଜେଏନ-1ର ମାମଲା ସାମ୍ନାକୁ ଆସିଥିଲା। ଭାରତରେ ପ୍ରଥମ ଥର ଡିସେମ୍ବର 8 ତାରିଖରେ ଜେଏନ୍ 1 ଭାରିଆଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏନେଇ ଇଣ୍ଡିଆନ୍ ସାର୍ସ କୋଭିଡ ଜେନୋମିକ୍ସ କନ୍ସୋର୍ଟିୟମ୍ (INSACOG) ପକ୍ଷରୁ ସୂଚନା ଦିଆଯାଇଥିଲା। ରିସର୍ଚ୍ଚ ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍(CDC)ର ତଥ୍ୟ ଅନୁସାରେ, ଏହା କୋରୋନାର ଏକ ସବ ଭାରିଆଣ୍ଟ ଅଟେ। ଏହା ଓମିକ୍ରନ BA.2.86ର ବଂଶଜ ଅଟେ। ଏହାକୁ ପିରୋଲା ମଧ୍ୟ କୁହାଯାଇଥାଏ।
ବୈଜ୍ଞାନିକଙ୍କ କହିବା ଅନୁସାରେ JN.1 ଏବଂ BA.2.86 ମଧ୍ୟରେ କେବଳ ସ୍ପାଇକ ପ୍ରୋଟିନରେ ହିଁ ପରିବର୍ତ୍ତନ ରହିଛି। କେରଳର ଜଣେ 79 ବର୍ଷୀୟ ମହିଳା ସଂକ୍ରମିତ ହୋଇଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ କେରଳ ସମେତ ପଡୋଶୀ ରାଜ୍ୟକୁ ଆଲର୍ଟ କରାଯାଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା କୋଭିଡ୍ ପ୍ରୋଟକଲ ଅନୁସରଣ କରିବା ସହ ସର୍ଭିଲାନ୍ସ ଜାରି ରଖିବା ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ ଏହି ଭାରିଆଣ୍ଟରେ ଦେଶରେ 5ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି ।