ହାଇଦ୍ରାବାଦ:ଆଜି ହେଉଛି ବିଶ୍ୱ ଭିଟିଲିଗୋ ଦିବସ ଅଟେ। ଭିଟିଲିଗୋ ଅର୍ଥ ହେଉଛି ଚର୍ମରେ ଧଳା ରଙ୍ଗର ପ୍ୟାଚ ସୃଷ୍ଟି ହେବା। ଚର୍ମରେ ରହିଥିବା ମେଲାନିନ(ଚର୍ମର ରଙ୍ଗ ପାଇଁ ଆବଶ୍ୟକୀୟ ଶରୀରର ଏକ ଉପାଦାନ)ର ଅଭାବ ଯୋଗୁଁ ଛଉ ସୃଷ୍ଟି ହୁଏ । ଯେଉଁ କାରଣରୁ ଶରୀରରେ ଧଳା ଦାଗ ଦେଖାଯାଏ। ସମାଜରେ ଏହି ବିଷୟରେ ଅନେକ ଭୁଲ ଧାରଣା ଅଛି, ଯେପରିକି ଏହା ଅସ୍ପୃଶ୍ୟତା ଅଟେ।
ଭିଟିଲିଗୋ ବିଶେଷଜ୍ଞମାନେ କହିଛନ୍ତି ଯେ, ଆଜିର ଦିବସରେ ଲୋକମାନଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଭିଟିଲିଗୋ ଏକ ସାଧାରଣ ଚର୍ମ ରୋଗ ବୋଲି ସମାଜକୁ ବାର୍ତ୍ତା ବିସ୍ତାର କରିବା ଆମର ଉଦ୍ଦେଶ୍ୟ। ଏହା ଅସ୍ପୃଶ୍ୟତା ମାଧ୍ୟମରେ ବିସ୍ତାର ହୁଏ ନାହିଁ। ଏକାଠି ରହିବା, ଖାଇବା ପିଇବା ଦ୍ୱାରା ମଧ୍ୟ ଏହା ବ୍ୟାପି ନଥାଏ। କିମ୍ବା ସାମାଜିକ ସଂଯୋଗ ସ୍ଥାପନ କରି ଏହା ବିସ୍ତାର ହୁଏ ନାହିଁ। ଏହାର ଚିକିତ୍ସା ପାଇଁ ଆଜି ଅନେକ ଆଧୁନିକ ପଦ୍ଧତି ଉପଲବ୍ଧ, ଯେପରିକି ଲେଜର, ଫୋଟୋଥେରାପି ଏବଂ ମେଲାନୋସାଇଟ୍ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ। ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା କରି ଏହି ରୋଗର ନିରାକରଣ ସମ୍ଭବ ହୋଇଥାଏ। ଲେକମାନଙ୍କ ମନରେ ଛଉକୁ ନେଇ ରହିଥିବା ଭୁଲ ଧାରଣାକୁ ହଟାଇବା ପାଇଁ ପ୍ରତିବର୍ଷ ଏହି ଦିବସ ଜୁନ 25 ତାରିଖରେ ପାଳନ କରାଯାଇଥାଏ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ରିପୋର୍ଟ କରିଛି ଯେ ଭାରତରେ ଚର୍ମରୋଗ ଚିକିତ୍ସାଳୟରେ ଭିଟିଲିଗୋର ମାତ୍ରା 0.25% ରୁ 4% ଏବଂ ଗୁଜୁରାଟ ଏବଂ ରାଜସ୍ଥାନରେ 8.8% ପର୍ଯ୍ୟନ୍ତ ରହିଛି।
ବିଶ୍ୱ ଭିଟିଲିଗୋ ଦିବସର ଇତିହାସ:2011 ରେ ପ୍ରଥମ ଭିଟିଲିଗୋ ଦିବସ ପାଳନ କରାଯାଇଥିଲା ଏବଂ ସେବେଠାରୁ ପ୍ରତିବର୍ଷ 25 ଜୁନ୍ ଦିନ ସାରା ବିଶ୍ୱରେ ପାଳନ କରାଯାଏ। ଭିଟିଲିଗୋ ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନକୁ ଉତ୍ସର୍ଗ କରିବା ପାଇଁ ଭିଟିଲିଗୋ ଫ୍ରେଣ୍ଡସ୍ ନେଟୱାର୍କର ପ୍ରତିଷ୍ଠାତା ଷ୍ଟିଭେନ୍ ହିରାଗାଡେନଙ୍କ ମତ ରହିଥିଲା। ତେବେ ଏହାର ପରବର୍ତ୍ତୀ ବିକାଶ ନାଇଜେରିଆର ଭିଟିଲିଗୋ ରୋଗୀ ତଥା ଭିଟିଲିଗୋ ସପୋର୍ଟ ଆଣ୍ଡ ସଚେତନତା ଫାଉଣ୍ଡେସନ୍ (VITSAF) ର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓଗୋ ମାଡୁୱେସିଙ୍କ ଦ୍ବାରା କରାଯାଇଥିଲା। ବିଶ୍ୱ ଭିଟିଲିଗୋ ଦିବସର ତାରିଖକୁ ମାଇକେଲ ଜ୍ୟାକସନ ଚୟନ କରିଥିଲେ କାରଣ ସେ ମଧ୍ୟ ଏହି ବିରଳ ଚର୍ମ ରୋଗରେ ପୀଡିତ ଥିଲେ।
ଏହା ମଧ୍ୟ ପଢନ୍ତୁ: Gender Change Surgery: ଲିଙ୍ଗ ପରିବର୍ତ୍ତନ ପାଇଁ କଣ ରହିଛି ପ୍ରକ୍ରିୟା, କେତେ ଦିନ ଲାଗେ ସମୟ