ହାଇଦ୍ରାବାଦ:ବିଶ୍ୱ କିଡନୀ ଦିବସ ହେଉଛି ଏକ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ । ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ଗୁରୁବାରରେ ଏହି ଦିବସ ପାଳନ କରାଯାଏ । ଚଳିତ ବର୍ଷ ଆଜିର ତାରିଖ ଅର୍ଥାତ୍(ମାର୍ଚ୍ଚ 9)ରେ ଗୁରୁବାର ପଡୁଥିବାରୁ କିଡନୀ ଦିବସ ପାଳନ କରାଯାଉଛି । ଏହା ଇଣ୍ଟରନ୍ୟାସନାଲ ସୋସାଇଟି ଅଫ୍ ନେଫ୍ରୋଲୋଜି(ISN) ଏବଂ ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ କିଡନୀ ଫାଉଣ୍ଡେସନ-ୱାର୍ଲ୍ଡ କିଡନୀ ଆଲାଏନ୍ସ (IFKF-WKA)ର ମିଳିତ ପ୍ରୟାସ । 2006ଠାରୁ ପ୍ରତିବର୍ଷ ଏହି ଦିନ ପାଳନ କରାଯାଏ ।
ସୁସ୍ଥ ଜୀବନ ପାଇଁ କିଡନୀର ଆବଶ୍ୟକତା ଏବଂ ତା'ର ଯତ୍ନ ନେବା ବାବଦରେ ଏହି ଦିବସ ଲୋକଙ୍କୁ ସଚେତନ କରାଏ । ପ୍ରତିବର୍ଷ ବିଶ୍ୱ କିଡନୀ ଦିବସ ଏକ ବିଶେଷ ବିଷୟବସ୍ତୁ(ଥିମ୍) ଆଧାରରେ ପାଳନ କରାଯାଏ । "ସମସ୍ତଙ୍କ ପାଇଁ କିଡନୀ ସ୍ୱାସ୍ଥ୍ୟ- ଯେକୌଣସି ସମୟ ପାଇଁ ପ୍ରସ୍ତୁତ ରହିବା, ଦୁର୍ବଳ ଲୋକଙ୍କୁ ସହଯୋଗ କରିବା ।" ଚଳିତ ବର୍ଷର ଥିମ୍ ରହିଛି ।
ଇତିହାସ ଓ ଉଦ୍ଦେଶ୍ୟ
ପ୍ରଥମ ବିଶ୍ୱ କିଡନୀ ଦିବସ "ଆପଣଙ୍କ କିଡନୀ ଠିକ ଅଛି ତ ?" ଥିମ୍ ଉପରେ ପାଳନ କରାଯାଇଥିଲା । ସେବେଠାରୁ ଏହି ଦିନର ପାଳନ କ୍ରନିକ୍ କିଡନୀ ରୋଗ(CKD), ମଧୁମେହର ପ୍ରଭାବ, ରକ୍ତଚାପ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅବସ୍ଥାର କିଡନୀ ଉପରେ ପ୍ରଭାବ, ମହିଳା ଏବଂ ଶିଶୁଙ୍କ କିଡନୀ ସ୍ୱାସ୍ଥ୍ୟ ଉପରେ ଆଲୋକପାତ କରାଯାଏ । ବିଶ୍ୱ କିଡନୀ ଦିବସର ଅନେକ ଉଦ୍ଦେଶ୍ୟ ରହିଛି । କିଡନୀ ରୋଗ ସାରା ବିଶ୍ୱରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ପାଲଟିଲାଣି । ଏହା ପ୍ରତିବର୍ଷ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଉଛି । ମୁଖ୍ୟତଃ ବୃକକ୍(kidney)ର ମହତ୍ତ୍ବ ଏବଂ ଶରୀରରେ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ।