ଉଚ୍ଚ ରକ୍ତଚାପ ମଣିଷକୁ ଯେ କେତେବେଳେ ମାରିଦିଏ ତାହା ଜାଣିହୁଏ ନାହିଁ, କାରଣ ଏହି ଅବସ୍ଥାରେ ପହଞ୍ଚିବା ପାଇଁ କୌଣସି ଲକ୍ଷ୍ମଣ ଦେଖାଯାଏ ନାହିଁ । କିନ୍ତୁ ଏହା ଦ୍ବାରା ଷ୍ଟ୍ରୋକ୍ସ କିମ୍ବା ହୃଦଘାତ ପରି ଅନ୍ୟ ରୋଗ ହୋଇଥାଏ । ଆଜି ହେଉଛି ବିଶ୍ବ ଉଚ୍ଚ ରକ୍ତଚାପ ଦିବସ । ଏହି ଅବସରରେ ଆପଣଙ୍କୁ ଉଚ୍ଚ ରକ୍ତଚାପ ସମ୍ପର୍କରେ ଅଧିକ ଜାଣିବା ଆବଶ୍ୟକ । ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥିବ ସେମାନେ କିପରି ଏ ନେଇ ସତର୍କ ରହିବେ ବିଶେଷ କରି କୋଭିଜ-19 ମହାମାରୀ ସମୟରେ ଏହା ମନେ ରଖିବା ଅତ୍ୟନ୍ତ ଜରୁରୀ ।
ବିଶ୍ବ ଉଚ୍ଚ ରକ୍ତଚାପ ଦିବସ2021
ବୟସ ହୋଇଗଲେ ହାଇପରଟେନସନ ବା ଉଚ୍ଚ ରକ୍ତଚାପ (ବିପି) ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ହୋଇଥାଏ ଏବଂ ଏହା ଷ୍ଟ୍ରୋକସ, ହୃଦଘାତ ଏବଂ ଏପରିକି କିଡନୀ ରୋଗ ଆଦି ଅନେକ ଜଟିଳ ବ୍ୟାଧି ସୃଷ୍ଟି କରିଥାଏ । ଯଦିଏ ସାରା ବିଶ୍ବରେ ଅଧିକାଂଶ ଲୋକ “ଉଚ୍ଚ ରକ୍ତଚାପ” ଶବ୍ଦ ସହିତ ଅତି ପରିଚିତ, ହେଲେ ସେମାନେ ସ୍ଥିତି ନେଇ ପୂର୍ଣ୍ଣ ମାତ୍ରାରେ ଅବଗତ ନୁହଁନ୍ତି କିମ୍ବା ଏହାକୁ କିପରି ସଠିକ୍ ଭାବେ ମାପି ପାରିବେ ସେ ନେଇ ମଧ୍ୟ ଜାଣିନାହାଁନ୍ତି । ସୁତରାଂ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ବିଶ୍ବ ହାଇପରଟେନସନ ଲିଗ୍ (WHL) ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ଭାବେ ପାଳନ କରି ଆସୁଛି । ଏହି ଅବସରରେ ଏବର୍ଷର ବିଷୟବସ୍ତୁ ହେଉଛି - “ଆପଣଙ୍କର ରକ୍ତଚାପ ସଠିକ୍ ଭାବେ ମାପନ୍ତୁ, ଏହାକୁ ନିୟନ୍ତ୍ରଣ କରନ୍ତୁ, ଦୀର୍ଘଜୀବୀ ହୁଅନ୍ତୁ ।“
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର 2019 ମସିହା ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ ବିଶ୍ବବ୍ୟାପୀ 130 କୋଟି ଲୋକ ଉଚ୍ଚ ରକ୍ତଚାପରେ ପୀଡିତ, ଏମାନଙ୍କ ମଧ୍ୟରୁ ଅଧିକାଂଶ (ଦୁଇ-ତୃତୀୟାଂଶ) ନିମ୍ନ ଏବଂ ମଧ୍ୟବିତ୍ତ ଆୟକାରୀ ରାଷ୍ଟ୍ରରେ ବସବାସ କରୁଛନ୍ତି । 2015ରେ ପ୍ରତି 4 ଜଣ ପୁରୁଷଙ୍କ ମଧ୍ୟରେ ଜଣେ ଏବଂ 5 ଜଣ ମହିଳାଙ୍କ ମଧ୍ୟରେ ଜଣ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ରୋଗର କୌଣସି ଲକ୍ଷଣ ଦେଖା ଦେଉନଥିବାରୁ ଲୋକେ ସାଧାରଣତଃ ଏ ସମ୍ପର୍କରେ ଜାଣି ପାରନ୍ତି ନାହିଁ, ଯେଉଁଥିପାଇଁ ଏହାକୁ ନୀରବ ହତ୍ୟାକାରୀ ବୋଲି ମଧ୍ୟ କୁହାଯାଏ । ସୁତରାଂ ରକ୍ତ ଚାପ ସ୍ତର ନିୟମିତ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।
ଉଚ୍ଚ ରକ୍ତଚାପ କ’ଣ?
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ହୁ କହିବା ଅନୁୟାୟୀ, ରକ୍ତ ଚାପ ଏକ ପ୍ରକାର ଶକ୍ତି ଯାହା ରକ୍ତ ପ୍ରବାହ କରୁଥିବା ଧମନୀରେ ଚାପ ସୃଷ୍ଟି କରିଥାଏ, ଏହାଦ୍ବାରା ଶରୀରରେ ରକ୍ତ ସଂଚାଳନ ହୋଇଥାଏ । ଯେତେବେଳେ ଶରୀରରେ ରକ୍ତ ଚାପ ଅଧିକ ହୋଇଯାଏ ତାହାକୁ ଉଚ୍ଚ ରକ୍ତଚାପ କୁହାଯାଏ ।
ରକ୍ତ ଚାପ ମାପିବା ପାଇଁ କେତେକ ଉପକରଣ ରହିଛି, ଯାହାକି ଆପଣଙ୍କୁ ଦୁଇଟି ରିଡିଂ ଜଣାଇଦେବ । ଗୋଟିଏ ହେଉଛି ସିଷ୍ଟୋଲିକ,“ହୃଦଯନ୍ତ୍ର ଚାଲିବା ସମୟରେ ରକ୍ତ ବାହିକାରେ ଚାପ ଜାଣିବା” ଏବଂ ଅନ୍ୟଟି ହେଉଛି ଡାଇଷ୍ଟୋଲିକ,“ଯେତେବେଳେ ହୃଦଯନ୍ତ୍ର ବିଶ୍ରାମ ନେଇଥାଏ ସେତେବେଳେ ରକ୍ତ ବାହିକାରେ ଚାପ କେତେ ଥାଏ ତାହା ଜାଣିବା” ।
ଅଧକନ୍ତୁ, ହୁ ଦର୍ଶାଇଛି ଯେ, ରକ୍ତ ଚାପ ବିଭିନ୍ନ ଦିନରେ ଦୁଇ ଥର ମାପିବାକୁ ପଡ଼ିବ । ଯଦି ସିଷ୍ଟୋଲିକ ରକ୍ତ ଚାପ ଉଭୟ ରିଡିଙ୍ଗରେ 140 mmHgଠାରୁ ଅଧିକ କିମ୍ବା ସମାନ ରହିବ ଏବଂ ଡାଇଷ୍ଟୋଲିକ ରକ୍ତ ଚାପ ଉଭୟ ରିଡିଙ୍ଗରେ 90 mmHgଠାରୁ ଅଧିକ କିମ୍ବା ସମାନ ରହିବ ତେବେ ହାଇପରଟେନସନର ଚିକିତ୍ସା କରିବାକୁ ହେବ । ଆପଣ ହାଇପରଟେନସନ ଚିହ୍ନଟ ହେଲେ ଚିକିତ୍ସା ପ୍ରଣାଳୀ ଏବଂ ମେଡିସିନ୍ ସମ୍ପର୍କରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ ।
କିପରି ଉଚ୍ଚ ରକ୍ତଚାପର ପ୍ରତିକାର କରିବେ?
ଆମ ବିଶେଷଜ୍ଞ ତଥା ହାଇଦ୍ରାବାଦ ଭିଆଇଏନଏନ ହସ୍ପିଟାଲର କନସଲଟାଣ୍ଚ ଚିକିତ୍ସକ ଡକ୍ଟର ରାଜେଶ ଭୁକାଲା, ଏମଡି(ଜେନେରାଲ ମେଡିସିନ୍) କହିଛନ୍ତି, କିଛି ଉପାୟ ଜରିଆରେ ଆମେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାର ପ୍ରତିକାର କରିପାରିବା ।
ନିୟମିତ ଅଭ୍ୟାସ:ଏକ ସଠିକ୍ ରୁଟିନ୍ ଲାଇଫ୍ ଅନୁସରଣ କରନ୍ତୁ । ଠିକ୍ ସମୟରେ ଶୁଅନ୍ତୁ ଏବଂ ଶେଯରୁ ଉଠନ୍ତୁ,ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ନିଜର ଭୋଜନ ଗ୍ରହଣ କରନ୍ତୁ,ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ଜୀବନ ଯାପନ କରନ୍ତୁ ।
କଫିଜାତୀୟ ଖାଦ୍ୟକୁ ମନା:କଫିଜାତୀୟ ଖାଦ୍ୟ କମାନ୍ତୁ । ଯେତେ ପାରିବେ ଏହାର ପରିମାଣ କମାନ୍ତୁ। କଫିଜାତୀୟ ସାମଗ୍ରୀ ଆପଣଙ୍କର ରକ୍ତ ଚାପ ବଢାଇପାରେ। ଅବଶ୍ୟ ଏହା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଫରକ ହୋଇପାରେ,ତାହା ସେମାନଙ୍କ ଶରୀର ଗଠନ ଉପରେ ନିର୍ଭର କରେ ।
ଫାଷ୍ଟ ଫୁଡ୍: ଫାଷ୍ଟ ଫୁଡ୍ ବା ଜଙ୍କ ଫୁଡ୍ ଖାଇବାରୁ ଦୂରେଇ ରୁହନ୍ତୁ କାରଣ ଏଥିରେ ବହୁ ପରିମାଣରେ ସର୍କରା, କ୍ୟାଲୋରୀଜ୍ ଏବଂ ରିଫାଇନଡ କାର୍ବସ ରହିଥାଏ ଯାହାକି ଉଚ୍ଚ ରକ୍ତଚାପ ସହିତ ଜଡିତ । ଘରେ ରନ୍ଧା ଖାଦ୍ୟ, ସୁଷମ ଭୋଜନ ସାଧାରଣତଃ ଖାଇବା ଉଚିତ୍ ।
ବ୍ୟାୟାମ:ନିୟମିତ ଭାବେ ଧ୍ୟାନ,ଯୋଗ ଏବଂ ଚାଲିବା ପାଇଁ ଡକ୍ଟର ରାଜେଶ ସୁପାରିଶ କରିଛନ୍ତି । ମଣିଷ ଚାପଗ୍ରସ୍ତ ହେଲେ ଧ୍ୟାନ କରିବା ଦ୍ବାରା ମନରେ ଶାନ୍ତି ମିଳିଥାଏ । ଏହାବାଦ୍ ରକ୍ତ ଚାପ କମ୍ କରିବାକୁ ହେଲେ ବ୍ୟାୟାମ ହେଉଛି ସବୁଠାରୁ ଶ୍ରେଷ୍ଠ ପନ୍ଥା,ଏହା ହୃଦୟକୁ ସୁସ୍ଥ ରଖିଥାଏ ।
ସୁସ୍ଥ ଓଜନ: ବଡ଼ି ମାସ୍ ଇଣ୍ଡେକ୍ସ (ବିଏମଆଇ) ଠିକ୍ ଠାକ୍ ରଖନ୍ତୁ, ଯାହାକି 23 (+ or - 1) ରହିବା ଉଚିତ୍ । ଅଧିକ ଓଜନ ହେଲେ ଆପଣଙ୍କର ହାର୍ଟର ସ୍ବାସ୍ଥ୍ୟ ପ୍ରଭାବିତ ହୋଇପାରେ, ସେଥିପାଇଁ ଓଜନ ଠିକ୍ ରଖନ୍ତୁ ।
ସୋଡିୟମ ପରିମାଣ କମାନ୍ତୁ:ସୋଡିୟମ ପରିମାଣ କମାନ୍ତୁ,ବିଶେଷ କରି ସାଲାଡ୍ ଓ ଫଳ ଆଦିରେ ଏହା ଆଦୌ ଆବଶ୍ୟକ ହୋଇନପାରେ । ଅଧିକ ପରିମାଣରେ ଲୁଣ ଆପଣଙ୍କର ରକ୍ତ ଚାପ ସ୍ତରକୁ କ୍ଷତି ପହଞ୍ଚାଇ ଥାଏ ।