ହାଇଦ୍ରାବାଦ: କଥାରେ ଅଛି... ସ୍ବାସ୍ଥ୍ୟ ହିଁ ସମ୍ପଦ । ଆଜ୍ଞା ହଁ, ଯଦି ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଏ, ତେବେ ସବୁକିଛି କଷ୍ଟ ଦାୟକ ହୋଇଯାଏ । ସ୍ବାସ୍ଥ୍ୟ ମନୁଷ୍ୟର ହେଉ କି ପରିବେଶର, ସବୁବେଳେ ସୁସ୍ଥ ରହିବା ଆବଶ୍ୟକ । ଏମିତିରେ ମାନବ ସମାଜ ଓ ପରିବେଶ ଅଙ୍ଗାଙ୍ଗି ଭାବେ ଜଡିତ । ତେଣୁ ଆମକୁ ଆମ ସ୍ବାସ୍ଥ୍ୟକୁ ବଜାୟ ରଖିବା ପାଇଁ ପରିବେଶ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ସେଥିପାଇଁ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ସେପ୍ଟେମ୍ବର 26କୁ ବିଶ୍ବ ପରିବେଶ ସ୍ବାସ୍ଥ୍ୟ ଦିବସ(World Environmental Health Day) ଭାବେ ପାଳନ କରାଯାଉଛି ।
ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ଏନଭିରନ୍ମେଣ୍ଟାଲ ହେଲ୍ଥ (International Federation of Environmental Health, IFEH) ଦ୍ବାରା 2011 ମସିହା ସେପ୍ଟେମ୍ବର 26 ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଶ୍ବ ପରିବେଶ ସ୍ବାସ୍ଥ୍ୟ ଦିବସ । ସେହିଦିନ ଠାରୁ ପ୍ରତିବର୍ଷ ବିଶ୍ବ ପରିବେଶ ସ୍ବାସ୍ଥ୍ୟ ଦିବସ ପାଳନ ହେଉଛି ଏବଂ ପ୍ରତିବର୍ଷ IFEH କାଉନସିଲ ସଚେତନତା ପାଇଁ ଏକ ଥିମ୍ ବା ବିଷୟ ରଖୁଛନ୍ତି ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି "ସ୍ଥାୟୀ ବିକାଶ ଲକ୍ଷ୍ୟର କାର୍ଯ୍ୟକାରିତା ପାଇଁ ପରିବେଶ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା"(Strengthening Environmental Health Systems for the Implementation of the Sustainable Development Goals) ।