ହାଇଦ୍ରାବାଦ: ସାଧାରଣତଃ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରତି ଅଧିକାଂଶ ଲୋକେ ଦୟା କିମ୍ବା ହୀନ ଦୃଷ୍ଟି ରଖିଥାନ୍ତି । ଲୋକମାନେ ଭାବନ୍ତି ଯେ, ଯଦି ଜଣେ ବ୍ୟକ୍ତି ଅକ୍ଷମ, ଏହାର ଅର୍ଥ ସେ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ । ବାସ୍ତବରେ କିନ୍ତୁ ଏପରି କିଛି ହୋଇନଥାଏ । ଟିକିଏ ପ୍ରୟାସ ଦ୍ୱାରା ଜଣେ ଭିନ୍ନକ୍ଷମ ମଧ୍ୟ ସାଧାରଣ ଜୀବନଯାପନ କରିପାରନ୍ତି । ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ସମଗ୍ର ବିଶ୍ୱରେ ଅକ୍ଷମ କିମ୍ବା ଭିନ୍ନକ୍ଷମମାନଙ୍କ ଅକ୍ଷମତା ସମ୍ବନ୍ଧୀୟ ସମସ୍ୟା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ସେମାନଙ୍କର ଉପଯୁକ୍ତ ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଉଦ୍ୟମ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର 3 ତାରିଖରେ ବିଶ୍ୱ ଭିନ୍ନକ୍ଷମ ଦିବସ(World Disabled Day) ପାଳନ କରାଯାଏ ।
ବିଶ୍ୱ ଭିନ୍ନକ୍ଷମ ଦିବସ ହେଉଛି ଭିନ୍ନକ୍ଷମଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସୁଯୋଗ ସୃଷ୍ଟି କରିବାର ଏକ ସୁଯୋଗ । ଚଳିତ ବର୍ଷ ବିଶ୍ୱ ଭିନ୍ନକ୍ଷମ ଦିବସର ବିଷୟବସ୍ତୁ ହେଉଛି "ଆମେ ଚାହୁଁଥିବା ଭବିଷ୍ୟତ ପାଇଁ 17 ଟି ଲକ୍ଷ୍ୟ ହାସଲ କରିବା" । ସୂଚନାଯୋଗ୍ୟ ଯେ, 2016 ମସିହାରେ ମଧ୍ୟ ଭିନ୍ନକ୍ଷମମାନଙ୍କ ପାଇଁ 17 ଟି ସ୍ଥାୟୀ ବିକାଶ ଲକ୍ଷ୍ୟ (SDGs) ଗ୍ରହଣ କରିବା ଏବଂ ଏହି ଲକ୍ଷ୍ୟଗୁଡିକର ଭୂମିକା ଦ୍ୱାରା ବିଶ୍ୱକୁ ଅଧିକ ଅନ୍ତର୍ଭୂକ୍ତ ଏବଂ ସମାନ କରିବା ଲକ୍ଷ୍ୟରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥିଲା। ।
ପରିସଂଖ୍ୟାନ କ'ଣ କହୁଛି ?
ମିଳିତ ଜାତିସଂଘର ରିପୋର୍ଟରେ ଦିଆଯାଇଥିବା ଆକଳନ ଅନୁଯାୟୀ ବିଶ୍ବର ପ୍ରାୟ 15% ଅର୍ଥାତ୍ ଏକ ବିଲିୟନରୁ ଅଧିକ ଲୋକ ଏକ ପ୍ରକାର ଅକ୍ଷମତାର ଶିକାର ହେଉଛନ୍ତି । ସେମାନଙ୍କ ମଧ୍ୟରୁ 80% ବିକାଶଶୀଳ ଦେଶରେ ବାସ କରନ୍ତି । ଅନ୍ୟପକ୍ଷରେ, ନଭେମ୍ବର 2021ରେ ମିଳିତ ଜାତିସଂଘର 'ବାଳ କୋଷ' ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ପ୍ରାୟ 24 କୋଟି ଅକ୍ଷମ ପିଲା ଅଛନ୍ତି । ଅର୍ଥାତ୍ ପ୍ରତି ଦଶରେ ଜଣେ ପିଲା ଅକ୍ଷମତାର ଶିକାର । ରିପୋର୍ଟ ଅନୁଯାୟୀ, 18 ବର୍ଷରୁ ଅଧିକ ବୟସର ମହିଳାଙ୍କ ମଧ୍ୟରେ ହାରାହାରି ଅକ୍ଷମତା ହାର 19%(ପାଞ୍ଚ ମହିଳାଙ୍କ ମଧ୍ୟରୁ ଜଣେ) ଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ହାର 12% ଅଟେ ।
ରିପୋର୍ଟ ଅନୁଯାୟୀ, ପୁରୁଷ, ମହିଳା ଏବଂ ଭିନ୍ନକ୍ଷମ ପିଲାମାନେ ସାଧାରଣତଃ ବ୍ୟବସ୍ଥିତ ତଥା ସାମାଜିକ ପ୍ରତିବନ୍ଧକ ସାମ୍ନା କରନ୍ତି, ଯାହା ସେମାନଙ୍କର ସାମାଜିକ ତଥା ଅର୍ଥନୈତିକ ସ୍ଥିତିକୁ ପ୍ରଭାବିତ କରିଥାଏ । ଏହା ଏକ ଚିନ୍ତାର ବିଷୟ ଯେ, ଅଧିକାଂଶ ଭିନ୍ନକ୍ଷମ ବିଭିନ୍ନ କାରଣରୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇବାକୁ ସକ୍ଷମ ନୁହଁନ୍ତି, ସେମାନେ ଆବଶ୍ୟକୀୟ ଶିକ୍ଷା ପାଇବାକୁ ସକ୍ଷମ ନୁହଁନ୍ତି ଏବଂ ସେମାନେ ସମାଜରେ ବହୁତ କମ୍ ନିଯୁକ୍ତି ସୁଯୋଗ ମଧ୍ୟ ପାଇଥା’ନ୍ତି ।