ହାଇଦ୍ରାବାଦ:ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟ କ୍ଷେତ୍ରରେ ମଧୁମେହ ରୋଗ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଆସିଛି । ୧୯୯୧ ମସିହାରେ ଅନ୍ତର୍ଜାତୀୟ ମଧୁମେହ ଫେଡେରେସନ୍ ଏବଂ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ବିଶ୍ବ ମଧୁମେହ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହାଦ୍ବାରା ଲୋକମାନେ ଏହି ଗୁରୁତର ରୋଗ ପ୍ରତି ବଢୁଥିବା ଚିନ୍ତା ବିଷୟରେ ଅବଗତ ହେବେ । ୨୦୦୬ ମସିହାରେ ମିଳିତ ଜାତିସଂଘ ଏକ ସଂକଳ୍ପ ପାରିତ କଲା ଏବଂ ୧୪ ନଭେମ୍ବରକୁ ବିଶ୍ୱ ମଧୁମେହ ଦିବସ ରୂପେ ପାଳନ ପାଇଁ ସ୍ଥିର କଲା । ସେବେଠାରୁ ଏହାକୁ ଆନୁଷ୍ଠାନିକ ଭାବେ ମିଳିତ ଜାତିସଂଘ ଦିବସ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ।
ଇନସୁଲିନ୍ ଆବିଷ୍କାରକଙ୍କ ଜନ୍ମଦିନ 14 ନଭେମ୍ବର:
ନଭେମ୍ବର ୧୪ ହେଉଛି ସାର୍ ଫ୍ରେଡେରିକ୍ ଗ୍ରାଣ୍ଟ ବାଣ୍ଟିଙ୍ଗଙ୍କ(Frederick Grant Banting)ଜନ୍ମଦିନ, ଯିଏ ୧୯୨୨ରେ ତାଙ୍କ ସହକର୍ମୀ ଚାର୍ଲ୍ସ ବେଷ୍ଟଙ୍କ ସହ ଇନସୁଲିନ୍ ଆବିଷ୍କାର କରିଥିଲେ । ଇନସୁଲିନ୍ କ୍ଷେତ୍ରରେ ସାର୍ ଫ୍ରେଡେରିକ୍ ବଣ୍ଟିଙ୍ଗଙ୍କ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କ ଜନ୍ମଦିନ ବିଶ୍ୱ ଡାଇବେଟିସ୍ ଦିବସ ଭାବେ ପାଳନ କରାଯାଏ । ଫିଜିଓଲୋଜି/ମେଡିସିନ୍ କ୍ଷେତ୍ରକୁ ୧୯୨୩ ମସିହାରେ ଇନସୁଲିନ୍ ଆବିଷ୍କାର ପାଇଁ ନୋବେଲ ପୁରସ୍କାର ଦିଆଯାଇଥିଲା । ପୁରସ୍କାର ପ୍ରଦାନ ସମୟରେ ସେ କାନାଡାର ଟରୋଣ୍ଟୋ ୟୁନିଭରସିଟି ସହିତ ଜଡିତ ଥିଲେ । ସାର୍ ଫ୍ରେଡେରିକ୍ ବାଣ୍ଟିଙ୍ଗ ୧୪ ନଭେମ୍ବର ୧୮୯୧ରେ କାନାଡାର ଏଲିଷ୍ଟନରେ ଜନ୍ମଗ୍ରହଣ କରିଥିଲେ । ସେ ୨୧ ଫେବୃଆରୀ ୧୯୪୧ରେ କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡରେ ଆଖି ବୁଜିଥିଲେ ।
ବିଶ୍ବସ୍ତରୀୟ ମଧୁମେହ ସଚେତନତା ଅଭିଯାନ:
ବିଶ୍ବ ମଧୁମେହ ଦିବସ ହେଉଛି ବିଶ୍ବର ସବୁଠାରୁ ବଡ ମଧୁମେହ ସଚେତନତା ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ୧୬୦ଟି ଦେଶରେ ୧ ବିଲିୟନରୁ ଅଧିକ ଲୋକଙ୍କୁ ମଧୁମେହ ବିଷୟରେ ସଚେତନ କରାଯାଇଛି । ବିଶ୍ବ ମଧୁମେହ ଦିବସର ଲକ୍ଷ୍ୟ ହେଉଛି ମଧୁମେହ ଉପରେ ଜନସାଧାରଣ ତଥା ରାଜନୈତିକ ଦୃଷ୍ଟି ଆକର୍ଷଣ କରି ବିଶ୍ବ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଠୋସ୍ ପଦକ୍ଷେପ ନେବାକୁ ନୀତି ନିର୍ଣ୍ଣୟକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ।
ମଧୁମେହ ସଚେତନତା ଅଭିଯାନ ପାଇଁ ଅନ୍ତର୍ଜାତୀୟ ଡାଇବେଟିସ୍ ଫେଡେରେସନ୍ ଦ୍ୱାରା ବ୍ଲୁ ସର୍କଲ୍ ଲୋଗୋ ନିଷ୍ପତ୍ତି ନିଆଯାଇଛି । ମଧୁମେହ ଉପରେ ୨୦୦୭ରେ ମିଳିତ ଜାତିସଂଘ ଆଣିଥିବା ପ୍ରସ୍ତାବ ପରେ ଏହି ଲୋଗୋ ସ୍ଥିର ହୋଇଛି । ଏହି ଲୋକମାନେ ସର୍ବଭାରତୀୟ ସ୍ତରରେ ମଧୁମେହରେ ପୀଡିତ ସମ୍ପ୍ରଦାୟ ମଧ୍ୟରେ ଏକତାର ପ୍ରତୀକ ଅଟନ୍ତି । ବାର୍ଷିକ ଡାଇବେଟିସ୍ ଦିବସ ପାଇଁ କିମ୍ବା ବିଭିନ୍ନ ବର୍ଷ ପାଇଁ ବିଭିନ୍ନ ଥିମ୍ ନିର୍ଣ୍ଣୟ କରାଯାଏ । 2021-23 ପାଇଁ ଥିମ୍ ଡାଇବେଟିସ୍ କେୟାର ଆକ୍ସେସ୍ ବୋଲି ନିର୍ଦ୍ଧାରିତ ହୋଇଛି ।
ବିଶ୍ବସ୍ତରରେ ଡାଇବେଟିସ ପରିସଂଖ୍ୟାନ:
୧. ୨୦୨୩ ମସିହାରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ମାଡ୍ରାସ ଡାଇବେଟିସ୍ ରିସର୍ଚ୍ଚ ଫାଉଣ୍ଡେସନ୍ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ ଭାରତରେ 10.1 କୋଟି (101 ନିୟୁତ) ଲୋକ ମଧୁମେହରେ ପୀଡିତ ଅଛନ୍ତି । ଯେତେବେଳେ କି 13.6 କୋଟି (136 ନିୟୁତ) ଲୋକ ପ୍ରି-ଡାଇବେଟିସ୍ ପର୍ଯ୍ୟାୟରେ ଅଛନ୍ତି ।
୨. ଅନ୍ତର୍ଜାତୀୟ ଡାଇବେଟିସ୍ ଫେଡେରେସନ୍ ଅନୁଯାୟୀ, 2021 ମସିହାରେ 537 ମିଲିୟନ (53.7 କୋଟି) ଲୋକ ମଧୁମେହ ରୋଗରେ ପୀଡିତ ଥିଲେ । ଏହାର ଅର୍ଥ ହେଉଛି 10 ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ମଧୁମେହରେ ପୀଡିତ ଥିଲେ ।
୩. 2030 ସୁଦ୍ଧା ଏହି ସଂଖ୍ୟା 643 ମିଲିୟନ (64.3 କୋଟି) ଏବଂ 2045 ସୁଦ୍ଧା 783 ନିୟୁତ (78.3 କୋଟି)କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
୪. ସାରା ଦୁନିଆରେ ୨୪୦ ମିଲିୟନ ଲୋକ ଏପରି ଅଛନ୍ତି, ଯେଉଁମାନେ ଯାଞ୍ଚର ଅଭାବ ହେତୁ ଏହା ବିଷୟରେ ଅବଗତ ନୁହଁନ୍ତି । ଏହାର ଅର୍ଥ ପ୍ରତ୍ୟେକ ଦୁଇ ଜଣଙ୍କ ମଧ୍ୟରୁ ଜଣେ (ପ୍ରାୟ 44 ପ୍ରତିଶତ ବୟସ୍କ) ମଧୁମେହରେ ପୀଡିତ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଟାଇପ୍-୨ ମଧୁମେହରେ ପୀଡିତ ।
୫. ମଧୁମେହରେ ପୀଡିତ 4 ଜଣଙ୍କ ମଧ୍ୟରୁ 3ରୁ ଅଧିକ ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶରେ ବାସ କରନ୍ତି ।
୬. 541 ନିୟୁତ ବୟସ୍କ ବ୍ୟକ୍ତି ଟାଇପ୍-୨ ମଧୁମେହରେ ପୀଡିତ ହେବାର ଆଶଙ୍କା ରହିଛି ।
୭. 1.2 ମିଲିୟନରୁ ଅଧିକ ଶିଶୁ ଏବଂ କିଶୋର (0-19 ବର୍ଷ) ଟାଇପ୍ 1 ଡାଇବେଟିସ୍ ସହିତ ଜୀବନ ବିତାଉଛନ୍ତି ।
୮. 2021 ମସିହାରେ ମଧୁମେହରେ 6.7 ନିୟୁତ ଲୋକଙ୍କର ମୃତ୍ୟୁ ଘଟିଛି । 2021 ମସିହାରେ ମଧୁମେହ ପାଇଁ ସ୍ୱାସ୍ଥ୍ୟ ଖର୍ଚ୍ଚ ଅତିକମରେ 966 ବିଲିୟନ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି । ସମୁଦାୟ ବିଶ୍ୱ ସ୍ୱାସ୍ଥ୍ୟସେବା ଖର୍ଚ୍ଚର ପ୍ରାୟ 9 ପ୍ରତିଶତ ମଧୁମେହ ପାଇଁ ଖର୍ଚ୍ଚ ହୋଇଥାଏ ।
୯. 6 ଜଣ ଜୀବିତଙ୍କ ମଧ୍ୟରୁ ଜଣେ (21 ନିୟୁତ) ଗର୍ଭାବସ୍ଥାରେ ଉଚ୍ଚ ରକ୍ତ ଗ୍ଲୁକୋଜ (ହାଇପରଗ୍ଲାଇକେମିଆ) ଦ୍ୱାରା ପ୍ରଭାବିତ ହୁଅନ୍ତି ।
ଏହି ଲକ୍ଷଣ ଥିଲେ ମଧୁମେହ ରୋଗ ପାଇଁ ପରୀକ୍ଷା କରନ୍ତୁ
୧. ଶକ୍ତିର ଅଭାବ ଅନୁଭବ କରିବା
୨. କୌଣସି କାରଣ ବିନା ଓଜନ ହ୍ରାସ ହେବା
୩. ଅତ୍ୟଧିକ ତୃଷାର୍ତ୍ତ ଅନୁଭବ କରିବା
୪. ବାରମ୍ବାର ପରିସ୍ରା କରିବା
୫. ଦୁର୍ବଳ ଲାଗିବା
୬. ହାତ ଗୋଡ ବ୍ୟଥା ହେବା
୭. ଘା' ଶୀଘ୍ର ନ ଶୁଖିବା
୮. ବାରମ୍ବାର ସଂକ୍ରମଣର ଶିକାର ହେବା