ହାଇଦ୍ରାବାଦ:ଆଜି(ଫେବ୍ରୁଆରୀ 4) ସମଗ୍ର ବିଶ୍ବ ପାଳୁଛି ବିଶ୍ବ କର୍କଟ ଦିବସ । କର୍କଟକୁ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଦୀର୍ଘ ଦିନ ଧରି ଏହି କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ମାତ୍ ଦିଆଯାଇ ପାରୁନାହିଁ । WHOର ରିପୋର୍ଟ ଅନୁସାରେ ବିଶ୍ବରେ ଦିନକୁ 159 ଜଣ କର୍କଟରେ ପ୍ରାଣ ହରାଉଛନ୍ତି । ତେବେ କର୍କଟର ପ୍ରକାର ସମାନ ଥିଲେ ମଧ୍ୟ କିଛି ପ୍ରକାରର କର୍କଟ ଅଛି, ଯାହା ପୁରୁଷଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ । ସେଥିମଧ୍ୟରୁ ଷ୍ଟୋମାକ୍ ବା ପେଟ କର୍କଟ ଅନ୍ୟତମ । ତେବେ ଆସନ୍ତୁ ଜାଣିବା କାହିଁକି ପୁରୁଷଙ୍କ କ୍ଷେତ୍ରରେ ଏହି କର୍କଟ ଅଧିକ ଦେଖାଯାଏ, ଏହାର ଲକ୍ଷଣ ଓ ନିରାକରଣ ବାବଦରେ ।
ଅଧ୍ୟୟନ ଅନୁଯାୟୀ, ହରମୋନର ପାର୍ଥକ୍ୟ ହେତୁ ଏହି ପ୍ରକାରର କର୍କଟ ପୁରୁଷମାନଙ୍କ ଠାରେ ଅଧିକ ଦେଖାଯାଏ । ମହିଳାମାନଙ୍କର ଇଷ୍ଟ୍ରୋଜେନ୍ ଥାଏ ଯାହା ସେମାନଙ୍କୁ ପ୍ରଦାହରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ଏବଂ ଷ୍ଟୋମାକ୍ କର୍କଟ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନାକୁ କମ କରିଥାଏ । ଡାକ୍ତରଙ୍କ କହିବା ଅନୁସାରେ, ଷ୍ଟୋମାକ୍ କର୍କଟ ରୋଗର ଲକ୍ଷଣ ବେଳେବେଳେ ବହୁତ ଅସ୍ପଷ୍ଟ ଏବଂ ବିଭ୍ରାନ୍ତିକର ହୋଇପାରେ । ଅମ୍ଳତା ଏବଂ ପେଟ ଯନ୍ତ୍ରଣା ଅତି ସାଧାରଣ ଅଟେ ଏବଂ ଏହି ରୋଗ ଯଥେଷ୍ଟ ଅଗ୍ରଗତି ନହେବା ପର୍ଯ୍ୟନ୍ତ ଏହାକୁ ହାଲୁକା ଭାବରେ ଗ୍ରହଣ କରାଯାଏ ।
ବେଳେବେଳେ ଏହି ଲକ୍ଷଣ ଗୁଡିକ କମ୍ ହିମୋଗ୍ଲୋବିନ୍ ସ୍ତର, ହଠାତ୍ ଓଜନ ହ୍ରାସ କିମ୍ବା ଭୋକ ହ୍ରାସ କରିପାରେ, ଯାହାକୁ ସାଧାରଣତଃ ରୋଗୀମାନେ ଅଣଦେଖା କରିଥାନ୍ତି । ଅତ୍ୟଧିକ ଲୁଣ ସେବନ ଏବଂ ମଦ୍ୟପାନ ଭଳି ଖରାପ ଜୀବନଶୈଳୀ ପୁରୁଷମାନଙ୍କ କ୍ଷେତ୍ରରେ ଷ୍ଟୋମାକ୍ କ୍ୟାନସର ଏକ ପ୍ରମୁଖ କାରଣ । ବୟସ ଏବଂ ବଂଶଗତ କାରଣ ମଧ୍ୟ ଏଥିପାଇଁ ଦାୟୀ ହୋଇଥାଏ । ଚିକିତ୍ସା ବିକଳ୍ପ ଗୁଡ଼ିକରେ କେମୋ ଥେରାପି, ସର୍ଜରୀ, ରେଡିଏସନ ଥେରାପି ଏବଂ ବେଳେବେଳେ ଟାର୍ଗେଟେଡ୍ ଥେରାପି ରହିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ରୋଗ ଶୀଘ୍ର ଚିହ୍ନଟ ପାଇଁ ଲକ୍ଷଣ ଗୁଡିକ ବିଷୟରେ ସଚେତନ ହେବା । ନିମ୍ନରେ ଷ୍ଟୋମାକ୍ କ୍ୟାନସରର କେତେକ ଲକ୍ଷଣ ବାବଦରେ ଆଲୋଚନା କରାଯାଇଛି ।
ଷ୍ଟୋମାକ୍ କ୍ୟାନସରର ବିଭିନ୍ନ ପ୍ରକାର ଲକ୍ଷଣ ମଧ୍ୟରୁ ହଜମ ସମସ୍ୟା, ପେଟରେ ଜ୍ବଳନ ବା ଫୁଲିବା, ଭୋକ ନ ଲାଗିବା, ଓଜନ ହ୍ରାସ, ପେଟ ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା, କମ୍ ଖାଇବା ପରେ ମଧ୍ୟ ପେଟ ପୂରିବା ଭଳି ଅନୁଭବ କରିବା, ସାଧାରଣ ବାନ୍ତି, ବାନ୍ତି କିମ୍ବା ବେଳେବେଳେ ବାନ୍ତିରେ ରକ୍ତ ପଡିବା, ଦୁର୍ବଳ କିମ୍ବା କ୍ଳାନ୍ତ ଅନୁଭବ କରିବା, ହିମୋଗ୍ଲୋବିନର ଅଭାବ ବା ରକ୍ତହୀନତା, ଖାଦ୍ୟ ଗିଳିବାରେ ଅସୁବିଧା ଇତ୍ୟାଦି । ଏହିସବୁ ଲକ୍ଷଣ ଥିଲେ ଆଦୌ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ । ସଚେତନତା ଓ ସଠିକ୍ ସମୟରେ ଚିକିତ୍ସା ନିଶ୍ଚିତ ରୂପେ ରୋଗମୁକ୍ତ କରିପାରିବ ।