ହାଇଦ୍ରାବାଦ:ଶିଶୁଟି ଜନ୍ମ ହେବା ପରେ ଅତି କମରେ 6 ମାସ ଶିଶୁ ପାଇଁ ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପକ୍ଷରେ, ଜନ୍ମ ହେବାର ଏକ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ମା’ର ପ୍ରଥମ କ୍ଷୀର କିମ୍ବା ସ୍ତନ୍ୟପାନ କରାଇବା ନିତାନ୍ତ ଆବଶ୍ୟକ । ଏହାଦ୍ବାରା ଅନେକ ରୋଗ ଏବଂ ସମସ୍ୟାରୁ ରକ୍ଷା ପାଇପାରିବ। ସ୍ତନ୍ୟପାନ ନବଜାତ ଶିଶୁ ପାଇଁ ଅମୃତତୁଲ୍ୟ ଲାଭ ଦେଇଥାଏ । ମା'ର କ୍ଷୀର ହେଉଛି ଏକ ସମ୍ପୂର୍ଣ୍ଣ ଖାଦ୍ୟ ଯାହାକି ଶିଶୁର ପୁଷ୍ଟିକର ଖାଦ୍ୟ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଉପାଦାନ ରହିଥାଏ । ଶିଶୁମାନଙ୍କର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ବହୁ ସଂଖ୍ୟକ ନବଜାତ ଶିଶୁ ବିଭିନ୍ନ କାରଣରୁ ସ୍ତନ୍ୟପାନରୁ ବଞ୍ଚିତ ହୋଇଥାଆନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ପ୍ରତି 3 ପିଲାଙ୍କ ମଧ୍ୟରୁ 2 ଜଣ ଆବଶ୍ୟକ ପରିମାଣର ସ୍ତନ୍ୟପାନରୁ ବଞ୍ଚିତ ରହିଥାଆନ୍ତ । ଯାହା ସେମାନଙ୍କର ସ୍ୱାସ୍ଥ୍ୟ ସହିତ ଶିଶୁମାନଙ୍କର ମୃତ୍ୟୁ ହାରକୁ ପ୍ରଭାବିତ କରିଥାଏ । ସ୍ତନ୍ୟପାନର ସମସ୍ତ ଉପକାରିତା ଏବଂ ଏହାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହ (1-7 ଅଗଷ୍ଟ) ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବରେ ପାଳନ କରାଯାଏ ।
ବିଶ୍ବ ସ୍ତରରେ ସ୍ତନ୍ୟପାନ ସହିତ ଜଡିତ ପରିସଂଖ୍ୟାନ ଅନୁଯାୟୀ, କେବଳ 64% ପିଲା ବିଭିନ୍ନ କାରଣରୁ ଜନ୍ମ ହେବାର ଛଅ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରିପାରିଥାଆନ୍ତି । ଯାହା ଏକ ଚିନ୍ତାଜନକ ବିଷୟ ଅଟେ । ପ୍ରକାଶ ଥାଉକି, ବର୍ତ୍ତମାନ ସମୟରେ, ଅନେକ ମାଧ୍ୟମରେ ସରକାରୀ ଉଦ୍ୟମ ଏବଂ ସଚେତନତା କାର୍ଯ୍ୟକ୍ରମର ପରିଣାମ ସ୍ୱରୂପ, ଶିଶୁମାନଙ୍କ ପାଇଁ ଅତିକମରେ 6 ମାସ ପର୍ଯ୍ୟନ୍ତ ସ୍ତନ୍ୟପାନର ଆବଶ୍ୟକତା ଏବଂ ଲାଭ ବିଷୟରେ ଲୋକଙ୍କ ମଧ୍ୟରେ ଅନେକ ସଚେତନତା ସୃଷ୍ଟି ହୋଇଛି । କିନ୍ତୁ ଏହା ସତ୍ତ୍ବେ ସ୍ତନ୍ୟପାନ ସହ ଜଡ଼ିତ ସଂଖ୍ୟାରେ 100% ବୃଦ୍ଧି ଦେଖାଯାଉନାହିଁ ।
ଏହା ମଧ୍ୟ ପଢନ୍ତୁ: World Breastfeeding Week: ସ୍ତନପାନ ସମୟରେ କେଉଁ କେଉଁ ସାବଧାନତା ଜରୁରୀ, ଜାଣନ୍ତୁ...
ସ୍ତନ୍ୟପାନ କରାଇବାରେ ଅସମର୍ଥ ହେବାର ଅନେକ କାରଣ ହୋଇପାରେ ବୋଲି କୁହାଯାଉଛି । ଯେଉଁଥିରେ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏବଂ ବେଳେବେଳେ ଏହା ସହିତ ଜଡ଼ିତ କିଛି ମିଥ୍ୟା ଭ୍ରମ ବ୍ୟତୀତ, ମହିଳାଙ୍କ ବ୍ୟସ୍ତତା ହେତୁ ସ୍ତନ୍ୟପାନ କରାଇବା ପାଇଁ ଆବଶ୍ୟକ ସମୟ ବାହାର କରି ନ ପାରିବା ଭଳି କାରଣ ମଧ୍ୟ ଅନ୍ତର୍ଭୁକ୍ତ । ବାସ୍ତବରେ ଜଣେ ମହିଳାଙ୍କୁ ଗୋଟିଏ ପରିବାରରେ ଅନେକ ଦାୟିତ୍ବ ତୁଲାଇବାକୁ ପଡିଥାଏ। ଅନ୍ୟପକ୍ଷରେ, ଯଦି ମହିଳା କାମ କରୁଛନ୍ତି, ତା’ହେଲେ ତାଙ୍କୁ ନିଜ କାର୍ଯ୍ୟର ଦାୟିତ୍ବ ସହିତ ଘରର ଦାୟିତ୍ବ ମଧ୍ୟ ପରିଚାଳନା କରିବାକୁ ପଡିବ। ଏପରି ପରିସ୍ଥିତିରେ, ଯଦି କାର୍ଯ୍ୟରତ ମାଆ ପରିବାର ପାଇଁ ସମୟ ଦେବା ପାଇଁ ଅସମର୍ଥ ହୋଇଥାଆନ୍ତି ସେଭଳି ସ୍ଥଳେ ଶିଶୁ ସ୍ତନ୍ୟପାନରୁ ବଞ୍ଚିତ ହୋଇଥାଏ ।