ଭାରତ ହେଉଛି ଏକ ଦେଶ ଯେଉଁଠି ଚାଷୀକୁ ପ୍ରତିଟି କ୍ଷେତ୍ରରେ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥାଏ । ଚାଷକାମ ଆରମ୍ଭ କରିବା ସକାଶେ ଋଣ ନେବାଠାରୁ ଆରମ୍ଭ କରି ଅମଳ ଶସ୍ୟକୁ ବଜାରରେ ବିକ୍ରିକରି ଉପଯୁକ୍ତ ସହାୟକ ମୂଲ୍ୟ ପାଇବା ଯାଏଁ ସବୁସ୍ତରରେ ଚାଷୀର ତିକ୍ତ ଅନୁଭୂତି ରହିଥାଏ ।
ବିଭିନ୍ନ ଜିଲ୍ଲା ପ୍ରଶାସନର ବାରମ୍ବାର ଅନୁରୋଧ ସତ୍ତ୍ବେ ବ୍ୟାଙ୍କଗୁଡ଼ିକ ଚାଷୀମାନଙ୍କୁ ଦେଉଥିବା ଶସ୍ୟଋଣର ସୀମା ବୃଦ୍ଧି କରିବାକୁ ରାଜି ହେଉନାହାଁନ୍ତି କିମ୍ବା ଆଗ୍ରହ ଦେଖାଉ ନାହାଁନ୍ତି ।
ଉଦାହରଣ ସ୍ବରୂପ ତେଲେଙ୍ଗାନା ଜିଲ୍ଲାରେ ଏକର ପିଛା 57 ହଜାର ଟଙ୍କାର ଶସ୍ୟ ଋଣ ଦେବାକୁ ଜିଲ୍ଲା ପ୍ରଶାସନ ସୁପାରିଶ କରିଥିଲେ । ଯାହାହେଉ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଏକର ପିଛା ଋଣ ପ୍ରଦାନ ସୀମା ଏକର ପିଛା 38 ହଜାର ଟଙ୍କା ସ୍ଥିର କରିଥିଲେ । ଆନ୍ଧ୍ର ପ୍ରଦେଶରେ ଋଣ ସୀମା ଧାନ ପାଇଁ ଏକର ପିଛା 23 ହଜାର ଟଙ୍କାରେ ଧାର୍ଯ୍ୟ ହୋଇଥିଲା ।
ବର୍ଷକୁ ବର୍ଷକୁ ଶସ୍ୟ ଋଣ ଯୋଗାଣରେ ବୃଦ୍ଧି ଘଟୁଥିବା ନେଇ ବ୍ୟାଙ୍କଗୁଡ଼ିକ କେବଳ ନିଜ ନିଜର ବାହାଦୂରୀ ମାରିବାରେ ବ୍ୟସ୍ତ ରହୁଛନ୍ତି । ସେମାନେ ଦେଉଥିବା ତଥ୍ୟ କେବଳ ପ୍ରତାରଣାପୂର୍ଣ୍ଣ । ଆରବିଆଇ ନିର୍ଦ୍ଦେଶାବଳୀକୁ ଯେତିକି ସମ୍ମାନ ଦେବା କଥା ତାହା ନଦେଇ ବ୍ୟାଙ୍କଗୁଡ଼ିକ ଶସ୍ୟଋଣ କ୍ଷେତ୍ରରେ କେବଳ କାଗଜପତ୍ରରେ ରେକର୍ଡ ଦର୍ଶାଇ ରହି ଯାଉଛନ୍ତି । ଅନୁଧ୍ୟାନରୁ ଏହା ସ୍ପଷ୍ଟ ଭାବେ ଦେଖାଯାଇଛି ଯେ, ବହୁତ କମ୍ ସମୟରେ ସେମାନେ ଶସ୍ୟ ଋଣ ନେଇ ଖରିଫ୍ ଏବଂ ରବି ଫସଲ କ୍ଷେତ୍ରରେ ରହିଥିବା ଟାର୍ଗେଟ୍ ପୂରଣ କରିଛନ୍ତି ।
ସର୍ବାଧିକ ଚାଷୀ ଏବେ ବି ଶସ୍ୟ ଋଣ ପାଇଁ ଘରୋଇ ମନି ଲେଣ୍ଡର ବା ମହାଜନୀଙ୍କ ଉପରେ ନିର୍ଭର କରୁଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଗ୍ରାମାଞ୍ଚଳରେ ରହୁଥିବା ପରିବାର ମଧ୍ୟରୁ ମାତ୍ର 17 ପ୍ରତିଶତ ପରିବାର ସମବାୟ ସଂସ୍ଥାଗୁଡ଼ିକରୁ ଋଣ ସୁବିଧା ପାଇ ପାରୁଛନ୍ତି ।
ଭୂମିହୀନ ଚାଷୀଙ୍କୁ ସବୁବେଳେ ସାପ ସିଡିର ଖେଳ ଭଳି ପରିସ୍ଥିତିର ସାମନା କରିବାକୁ ପଡିଥାଏ। ପ୍ରତିଟି ପାହାଚରେ ସେମାନଙ୍କୁ ବିପଦର ସାମନା କରିବାକୁ ପଡ଼ିଥାଏ । ସେମାନେ କୌଣସି ସରକାରୀ ଯୋଜନାରୁ ଫାଇଦା ପାଆନ୍ତି ନାହିଁ । ଏହା ତେଲଙ୍ଗାନାର ମାଛିରିଆଲର ଜଣେ ଭୂମିହୀନ ଚାଷୀଙ୍କ ଦୁଃଖ ଶୁଣିଲେ ଚାଷୀଙ୍କ ଅବସ୍ଥା ସହଜେ ଜାଣିହେବ । ସେ ଭଡ଼ା ସୂତ୍ରରେ 30 ଏକର ଜମି ନେଇ ସେଥିରେ ଚାଷ କରିଥିଲେ ଏବଂ ତାଙ୍କୁ ଶସ୍ୟହାନୀର ସମ୍ମୁଖୀନ ହୋଇଥିଲେ । ସେ ତାଙ୍କ ଝିଅର ବିବାହ ପାଇଁ ଯେଉଁ ବିପୁଳ ପରିମାଣର ଋଣ କରିଥିଲେ ତାହା ପରିଶୋଧ କରିପାରି ନଥିଲେ ଏବଂ ଶେଷରେ ଅନ୍ୟ ଉପାୟ କିଛି ନପାଇ ଚାଷୀ ଓ ତାଙ୍କ ପରିବାର ଆତ୍ମହତ୍ୟା କରିଥିଲେ ।
ଠିକ୍ ସମୟରେ ଋଣ ଦିଆଗଲେ ଚାଷୀ ସେମାନଙ୍କ ଚାଷ କାର୍ଯ୍ୟ ଆଗେଇ ନେଇପାରିବେ। ଋଣଦାନରେ ବ୍ୟାଙ୍କ ଗୁଡ଼ିକର ଶିଥିଳତା କାରଣରୁ ଚାଷୀମାନେ ଘରୋଇ ମହାଜନୀମାନଙ୍କ ଉପରେ ଅଧିକ ନିର୍ଭର କରୁଛନ୍ତି । ସେମାନେ ମନଇଚ୍ଛା ସୁଧ ଆଦାୟ କରୁଥିବାରୁ ଚାଷୀକୁ ହଟହଟା ହେବାକୁ ପଡୁଛି । ଶସ୍ୟ ଋଣ ପ୍ରଦାନ ପ୍ରକ୍ରିୟାରେ ସଂସ୍କାର ଅଣାଯାଇପାରିଲେ ଚାଷୀର ଜୀନବ ଧାରଣରେ ପରିବର୍ତ୍ତନ ଅଣାଯାଇ ପାରିବ । ଯେତେବେଳେ ବ୍ୟାଙ୍କ ଗୁଡ଼ିକର କାର୍ଯ୍ୟଦକ୍ଷତା ଏବଂ ଶସ୍ୟ ଋଣ ପ୍ରଦାନ ନୀତିରେ ସଂପୂର୍ଣ୍ଣ ପରିବର୍ତ୍ତନ ଆସିବ ସେତେବେଳେ ହିଁ ଋଣ ନେବା ପାଇଁ ଚାଷୀର ଯୋଗ୍ୟତାରେ ସୁଧାର ଆସିପାରିବ ।