ହାଇଦ୍ରାବାଦ: ସାଧାରଣ ଆଘାତ ଲାଗିଲେ ମଧ୍ୟ ଆଖିରେ ଲୁହ ଆସି ଯାଇଥାଏ । ସେହିପରି ଛୋଟ ଛୁଆ ମଧ୍ୟ ସର୍ବଦା କାନ୍ଦି ଥାଆନ୍ତି । ସାଧାରଣତଃ ଛୁଆ ଜନ୍ମ ହେବା ପରେ କାନ୍ଦିବା ଦ୍ବାରା ଛୁଆ ସୁସ୍ଥ ବୋଲି ବିବେଚନା କରାଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ନବଜାତ କାନ୍ଦିଲେ ଆଖିରେ ଲୁହ କାହିଁକି ଆସେ ନାହିଁ ? ଅନେକ ଛୁଆ ରହିଛନ୍ତି ଯେଉଁମାନେ କି ଚିତ୍କାର କରି କାନ୍ଦୁଥିଲେ ହେଁ ଆଖିରେ ଲୁହ ଆସିନଥାଏ । ନବଜାତ ଜନ୍ମ ହେବା ପରେ ନୂଆ ଦୁନିଆକୁ ଦେଖିଥାଏ, ଏହା ସହିତ ଭୋକ ଲାଗିବା ଯୋଗୁଁ ଚିତ୍କାର କରି କାନ୍ଦିଥାଏ । କିନ୍ତୁ ଆଖିରେ ଲୁହ ଆସିନଥାଏ । ଅନେକ ସ୍ଥଳରେ ବାପା ମାଆ ଏହାକୁ ଗମ୍ଭୀରତାର ସହ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିଥାଆନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ, ଏହା ଏକ ସାଧାରଣ ଅବସ୍ଥା ।
ଏହି କାରଣ ଯୋଗୁଁ ଆଖିରୁ ବାହାରେ ନାହିଁ ଲୁହ: ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ, ନବଜାତ ଶିଶୁ କାନ୍ଦିଥାଏ କିନ୍ତୁ ଆଖିରେ ଲୁହ ଆସିଥାଏ। କାରଣ ଜନ୍ମ ସମୟରେ ଆଖିରେ ଲୁହ ତିଆରି ହେଉଥିବା ନାଳୀ( ଟିୟର ଡକ୍ଟ) ବିକଶିତ ହୋଇନଥାଏ। ଏହା ବ୍ୟତୀତ ଆଖିରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ପାଣି ନଥାଏ । ଅଳ୍ପ ପରିମାଣରେ ପାଣି ରହିଥାଏ ଯାହାକି ଆଖିକୁ ଆର୍ଦ୍ର ରଖିବା ସହିତ ଶୁଖିବାକୁ ଦିଏ ନାହିଁ। ଜନ୍ମ ହେବାର 4ରୁ 5 ସପ୍ତାହ ପରେ ଛୁଆର ଆଖିରେ ଟିୟର ଡକ୍ଟ ତିଆରି ହୋଇଥାଏ । ଏହାପରେ କାନ୍ଦିବା ଦ୍ବାରା ଆଖିରେ ଲୁହ ଆସିଥାଏ ।