ହାଇଦ୍ରାବାଦ:ମ୍ୟାଲେରିଆ ଏଭଳି ଏକ ରୋଗ ଅଟେ, ଯାହା ଅନେକ ବିକଶିତ ଦେଶରେ ମଧ୍ୟ ତାଣ୍ଡବ ମଚାଇଥାଏ। ଏହାରି ଭିତରେ ବୈଜ୍ଞାନିକମାନେ ମ୍ୟାଲେରିଆ ପାଇଁ ଏକ ଟିକା ପ୍ରସ୍ତୁତ କରିଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ହୁ ପକ୍ଷରୁ ମଧ୍ୟ ଏହାକୁ ଅନୁମୋଦନ କରାଯାଇଛି। ଗତ ଅକ୍ଟୋବର ମାସରେ R21 / Matrix-Mକୁ ଅନୁମୋଦନ କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଓ୍ବାଲ୍ଡ ଚେଞ୍ଚର ଭାବେ ବିବେଚନା କରାଯାଉଥିବା ଏହି ଟିକାକୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ତିଆରି କରାଯାଇଥିଲା। ତେବେ ହୁ ପକ୍ଷରୁ ରଖାଯାଇଥିବା ଲକ୍ଷ୍ୟକୁ 75 ପ୍ରତିଶତ ପୁରା କରିପାରିଛି ଏହି ଟିକା। ତେବେ ବର୍ତ୍ତମାନ ଟିକା ତାଲିକାରେ ଏହି ଟିକାକୁ ଅନ୍ତର୍ଭୁକ୍ତ କରିଛି ହୁ।
R21 / Matrix-M ଟିକାକୁ ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ବେଳେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ କରାଯାଇଥିଲା। ତେବେ ଘାନା ହେଉଛି ପ୍ରଥମ ଦେଶ ଯେଉଁଠାରେ ଖାଦ୍ୟ ଏବଂ ଔଷଧ ପ୍ରାଧିକରଣ ବିଭାଗ ପକ୍ଷରୁ ଏହି ଟିକାକୁ 5-36 ମାସ ବୟସର ପିଲାମାନଙ୍କ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ସାଧାରଣତଃ ଏହି ବୟସରେ ହିଁ ଛୁଆ ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବା ବେଳେ, ରୋକ ଲଗାଇବା ପାଇଁ ଘାନାର ଏହା ଉଚିତ ପଦକ୍ଷେପ କୁହାଯାଇ ପାରେ।
RTS, S / AS21 ଟିକା ପରେ R21 ହେଉଛି ଦ୍ବିତୀୟ ମ୍ୟାଲେରିଆ ଟିକା । ଏହି ଟିକାକୁ 2021 ମସିହାରେ ହୁ ପକ୍ଷରୁ ସୁପାରିସ ମିଳିଥିଲା । ପିଲାମାନଙ୍କଠାରେ ମ୍ୟାଲେରିଆ ରୋକିବାରେ ଉଭୟ ଟିକା ନିରାପଦ ଏବଂ ପ୍ରଭାବଶାଳୀ ବୋଲି ଦର୍ଶାଯାଇଥିଲା। ତେବେ କମ ମୂଲ୍ୟ ଏବଂ ସହଜରେ ଉପଲବ୍ଧତା କାରଣରୁ ଏହି ଟିକା ଶିଶୁଙ୍କୁ ମ୍ୟାଲେରିଆରୁ ରକ୍ଷା କରିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମନରେ ଆଶା ସଞ୍ଚାର ହୋଇଛି।