ହାଇଦ୍ରାବାଦ: ଆମ ମଧ୍ୟରେ କେତେକ ଲୋକ ଥାଆନ୍ତି, ଯେଉଁମାନଙ୍କର ଚର୍ମର କିଛି ଅଂଶ ଧଳା ଏବଂ କଳା ଥାଏ । ଏହା ଏକ ପ୍ରକାର ରୋଗ ସତ, ମାତ୍ର ସଂକ୍ରାମକ ନୁହେଁ । ଏହି ରୋଗକୁ ଭିଟିଲିଗୋ କୁହାଯାଏ । ସଚେତନତାର ଅଭାବ କାରଣରୁ କିଛି ଲୋକ ଏହି ବ୍ୟକ୍ତିମାନଙ୍କ ପ୍ରତି ଛୁଆଁ-ଅଛୁଆଁର ଭେଦଭାବ ପ୍ରଦର୍ଶନ କରିଥାନ୍ତି, ଯାହା ଏକ ସୁସ୍ଥ ସମାଜରେ ଆଦୌ ଗ୍ରହଣୀୟ ନୁହେଁ । ନିକଟରେ ସାଉଥ୍ ଓ ମାଲୟାଲୀ ଅଭିନେତ୍ରୀ ମମତା ମୋହନଦାସ ଏଥିରେ ପୀଡିତ ଥିବା ନେଇ ସ୍ପଷ୍ଟ କରିବା ପରେ ରୋଗକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ତେବେ ବାସ୍ତବରେ ଭିଟିଲିଗୋ ଡିଜିଜ୍ କଣ, ଏହା କାହିଁକି ହୁଏ, ଏହା ଡିଆଁ ରୋଗକୁ ଏବଂ ଏହାର ଚିକିତ୍ସା ଅଛି କି ନାହିଁ, ଜାଣନ୍ତୁ...
ପ୍ରଥମେ କହିରଖୁଛୁ ଯେ, କେବଳ ଅଭିନେତ୍ରୀ ମମତା ନୁହଁନ୍ତି, ତାଙ୍କ ବ୍ୟତୀତ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆହୁରି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏହି ରୋଗର ଶିକାର ହୋଇଥିଲେ ଏବଂ ଏ ବିଷୟରେ ସଚେତନତା ସୃଷ୍ଟି କରିବାକୁ ତଥା ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଥିଲେ । ମାଇକେଲ ଜ୍ୟାକସନ, ଅମିତାଭ ବଚ୍ଚନ, ସୁପରମୋଡେଲ ୱିନି ହାର୍ଲନ, ଅଭିନେତ୍ରୀ ନଫିସା ଅଲି ଏବଂ ପ୍ରସିଦ୍ଧ ଟିଭି ଉପସ୍ଥାପିକା ଗ୍ରାହାମ ନର୍ଟନଙ୍କ ସମେତ ଅନେକ ଜଣାଶୁଣା ନାମ ଅନ୍ତର୍ଭୁକ୍ତ ।
ଭିଟିଲିଗୋ କଣ:ଦିଲ୍ଲୀର ଚର୍ମରୋଗ ବିଶେଷଜ୍ଞ ଡକ୍ଟର ସୁରଜ ଭାରତୀ ସ୍ପଷ୍ଟ କରିଛନ୍ତି ଯେ, ଭିଟିଲିଗୋ ପ୍ରକୃତରେ ଏକ ପ୍ରକାର ଚର୍ମ ରୋଗ ବା ସ୍କିନ୍ ଡିସ୍ଅର୍ଡର୍ । ଏହି ରୋଗ ହେଲେ ଶରୀରର ଏକାଧିକ ଅଂଶର ଚର୍ମରେ ଛୋଟ କିମ୍ବା ବଡ଼ ଧଳା ରଙ୍ଗର ପ୍ୟାଚ୍ ଦେଖାଯାଏ । ଏହାର ଅର୍ଥ୍ ଚର୍ମର ସେହି ସ୍ଥାନ ପ୍ରାକୃତିକ ରଙ୍ଗ ହରାଇ ବସେ । ଏହି ସମସ୍ୟାର ପ୍ରଭାବ କେବଳ ଚେହେରାରେ ନୁହେଁ ଶରୀରର ଯେକୌଣସି ଅଙ୍ଗରେ ଏବଂ କେଶରେ ମଧ୍ୟ ଦେଖାଯାଏ ।
ପ୍ରାରମ୍ଭରେ, ଏହି ଧଳା ଦାଗ ଗୁଡ଼ିକ ରୋଗୀଙ୍କ ଚର୍ମରେ ଛୋଟ ଧଳା ଦାଗ ଆକାରରେ ସୃଷ୍ଟି ହେବାକୁ ଲାଗେ, ଯାହା ବେଳେବେଳେ ବିସ୍ତାର ହେବା ଆରମ୍ଭ କରେ, ଅର୍ଥାତ୍ ଛୋଟ ଧଳା ଦାଗ ମଧ୍ୟ ବଡ଼ ଧଳା ରଙ୍ଗର ପ୍ୟାଚ୍ରେ ପରିଣତ ହୋଇପାରେ । କେତେକ ପ୍ରକାରର ଭିଟିଲିଗୋରେ ଶରୀରର ଅଧିକାଂଶ ଅଂଶର ଚର୍ମ ରଙ୍ଗ ମଧ୍ୟ ବଦଳିପାରେ କିମ୍ବା ଧଳା ହୋଇପାରେ । ଏହି ସମସ୍ୟା କାରଣରୁ ବେଳେବେଳେ ଚର୍ମର ରଙ୍ଗ ସହିତ, ପ୍ରଭାବିତ ଅଞ୍ଚଳରେ କେଶର ରଙ୍ଗ ଏବଂ ବେଳେବେଳେ ପାଟି ଭିତରେ ଥିବା ଚର୍ମର ରଙ୍ଗ ମଧ୍ୟ ବଦଳିପାରେ ।
ଭିଟିଲିଗୋକୁ ଧଳା କୁଷ୍ଠରୋଗ ବା ହ୍ବାଇଟ୍ ଲେପ୍ରୋସି ମଧ୍ୟ କୁହାଯାଏ । ଏଥି ସହିତ, ଲୋକମାନେ ଏହାକୁ କୁଷ୍ଠରୋଗ ବୋଲି ମଧ୍ୟ ଭାବିନିଅନ୍ତି, ମାତ୍ର ଏହା ଠିକ୍ ନୁହଁ ବୋଲି ଡାକ୍ତର ସୁରଜ କହିଛନ୍ତି । ସେହିପରି ଏହାକୁ ସଂକ୍ରାମକ ରୋଗ ଭାବି ରୋଗୀଠୁ ଦୂରେଇ ରହିବା ଆଦୌ ଗ୍ରହଣୀୟ ନୁହେଁ, ଭିଟିଲିଗୋ ଏକ ସଂକ୍ରାମକ ରୋଗ ନୁହେଁ ବୋଲି ଡାକ୍ତର ସୁରଜ ସ୍ପଷ୍ଟ କରି କହିଛନ୍ତି ।
କାହିଁକି ହୁଏ ଭିଟିଲିଗୋ:-ଡକ୍ଟର ସୁରଜ ଭାରତୀ ବ୍ୟାଖ୍ୟା କରିଛନ୍ତି ଯେ, ସାଧାରଣତଃ ଯେକୌଣସି ପ୍ରକାରର ଧଳା ଦାଗକୁ ଡାକ୍ତରୀ ଭାଷାରେ ଭିଟିଲିଗୋ କୁହାଯାଏ । ଯେତେବେଳେ କୌଣସି ରୋଗ କିମ୍ବା ଅନ୍ୟାନ୍ୟ କାରଣରୁ, ମେଲାନିନ ତିଆରି କରୁଥିବା କୋଷଗୁଡ଼ିକ ନଷ୍ଟ ହେବାକୁ ଲାଗେ କିମ୍ବା ଅନ୍ୟ କୌଣସି କାରଣରୁ, ମେଲାନିନର ଉତ୍ପାଦନ ବନ୍ଦ ହୋଇଯାଏ, ତେବେ ଏହି ରୋଗ ହେବାର ସମ୍ଭାବନା ବଢିଯାଏ । ତେବେ ମେଲାନିନ ହେଉଛି ଏକ ପିଗମେଣ୍ଟ, ଯାହା ଚର୍ମର ରଙ୍ଗ ସୃଷ୍ଟିରେ ସହାୟକ ହୁଏ । ଜଣେ ବ୍ୟକ୍ତି ଗୋରା, କଳା କିମ୍ବା ଶ୍ୟାମଳ ହେବେ ତାହା ମେଲାନିନ ଉପରେ ନିର୍ଭର କରେ ।
ଭିଟିଲିଗୋ କାରଣ:-ଏହା ଏକ ଅଟୋ ପ୍ରତିରକ୍ଷା ରୋଗ ବା ଅଟୋଇମ୍ୟୁନ ଡିଜିଜ୍ । ଯେଉଁଥିରେ ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଅର୍ଥାତ୍ ଇମ୍ୟୁନୋ ସିଷ୍ଟମ୍ ଆମ ଶରୀରକୁ କ୍ଷତି ପହଞ୍ଚାଇବା ଆରମ୍ଭ କରେ । ଯେତେବେଳେ ଏହା ଘଟେ, ଅନେକ ଥର ମେଲାନୋସାଇଟ୍ କୋଷ ଯଥା ଶରୀରରେ ମେଲାନିନ ଉତ୍ପାଦନକାରୀ କୋଷ ଗୁଡ଼ିକ ନଷ୍ଟ ହୋଇଯାଏ, ଯେଉଁ କାରଣରୁ ଚର୍ମରେ ଧଳା ରଙ୍ଗର ପ୍ୟାଚ୍ ସୃଷ୍ଟି ହେବାକୁ ଲାଗେ । ଏହା ଭିଟିଲିଗୋର ଅନ୍ୟତମ କାରଣ ବୋଲି ବିବେଚନା କରାଯାଏ ।
ଜେନେଟିକ କାରଣରୁ ଏହା ମଧ୍ୟ ହୋଇପାରେ, ଅର୍ଥାତ୍ ଏହା ବଂଶାନୁକ୍ରମିକ ମଧ୍ୟ । ମାତ୍ର ଖୁବ୍ କ୍ବଚିତ ମାମଲାରେ ଏହା ଦେଖାଯାଏ । ଚର୍ମ ଉପରେ ଅତ୍ୟଧିକ ସୂର୍ଯ୍ୟ କିରଣର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ, ଏହାର ଔଦ୍ୟୋଗିକ ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା, ଯେକୌଣସି ପ୍ରକାରର ଚର୍ମ ଆଲର୍ଜି କିମ୍ବା ଏକଜିମା, ସୋରିୟାସିସ୍ କିମ୍ବା ଟେନିୟା ଭର୍ସିକଲର୍ ଭଳି ଚର୍ମ ରୋଗ କିମ୍ବା ଚର୍ମରେ ମେଲାନିନ କୋଷ ଗୁଡ଼ିକ ପ୍ରଭାବିତ ହୁଏ । ଶରୀରରେ ପୁଷ୍ଟିକର ଖାଦ୍ୟ ଅଭାବ, ଖାଦ୍ୟରେ ଅସାବଧାନତା, ଚାପ ଏବଂ ଶରୀରରେ କ୍ଷତିକାରକ ବିଷାକ୍ତ ପଦାର୍ଥ ଜମା ହେତୁ ଏହି ସମସ୍ୟା ଚର୍ମରେ ମଧ୍ୟ ଦେଖାଯାଏ ।