ହାଇଦ୍ରାବାଦ: ସାଧାରଣତଃ ହାଇପରଥର୍ମିଆ ବିଷୟରେ ସମସ୍ତେ ଜାଣନ୍ତି ନାହିଁ । ଏହି ସମସ୍ୟା ହେଲେ ଶରୀରର ତାପମାତ୍ରା ସାଧାରଣ ଠାରୁ ଅଧିକ ବଢି ଯାଇଥାଏ । ପାଣିପାଗରେ ପରିବର୍ତ୍ତନ, ତାପମାତ୍ରାରେ ପରିବର୍ତ୍ତନ, ଶରୀରକୁ ଅଧିକ କ୍ଲାନ୍ତ କରୁଥିବା କାର୍ଯ୍ୟ, ଶରୀରରୁ ଝାଳ ନବାହାରିବା କାରଣରୁ ଏହି ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ । ଏହି ସବୁ ବ୍ୟତୀତ କେତେକ ଔଷଧର ଅଧିକ ବ୍ୟବହାର ଯୋଗୁଁ ମଧ୍ୟ ହାଇପରଥର୍ମିଆ ହୋଇଥାଏ । ଯେତେବେଳେ ଶରୀରରୁ ଝାଳ ବାହାରେ ନାହିଁ ସେତେବେଳେ ଶରୀର ଗରମ ହେବା ଆରମ୍ଭ କରିଥାଏ । ଏହାପରେ ହାଇପରଥର୍ମିଆ ହୋଇଥାଏ ।
ଯଦି ଠିକ ସମୟରେ ଏହାର ଚିକିତ୍ସା କରାନଯାଏ ତେବେ ଏହା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଯେତେବେଳେ ଶରୀରରୁ ଝାଳ ବାହାରେ ନାହିଁ ସେତେବେଳେ ଉଚ୍ଚ ରକ୍ତଚାପ ଦେଖାଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ହାଇପରଥର୍ମିଆକୁ ରୋକିବା ପାଇଁ ଏହାର କାରଣ ବୁଝିବା ଜରୁରୀ ଅଟେ ଏବଂ ଶରୀରକୁ ଅଧିକ ଗରମରୁ କିଭଳି ରକ୍ଷା କରିବେ ତାହା ଜାଣିବା ଜରୁରୀ ଅଟେ । କାରଣ ଏହି ରୋଗ ହେବା ଦ୍ବାରା ଶରୀରରୁ ଜଳୀୟ ଅଂଶ କମ ହେବା ସହିତ ଶକ୍ତିହୀନ ଲାଗିଥାଏ ।
ହାଇଡ୍ରେଟ ରହିବା ଜରୁରୀ: ହାଇପରଥର୍ମିଆକୁ ରୋକିବା ପାଇଁ ପ୍ରଥମେ ନିଜ ଶରୀରକୁ ହାଇଡ୍ରେଟ ରଖିବା ଜରୁରୀ ଅଟେ । କାରଣ ଶରୀର ଯେତେବେଳେ ଡିହାଇଡ୍ରେଟ ହୁଏ ସେତେବେଳେ ଶରୀରର ଆଭ୍ୟନ୍ତରୀଣ ତାପମାତ୍ରାକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇଯାଏ । ଝାଳ ଶରୀରକୁ ଶୀତଳତା ପ୍ରଦାନ କରିଥାଏ । କିନ୍ତୁ ଶରୀରରେ ଜଳୀୟ ପଦାର୍ଥର ଅଭାବ ଦେଖାଗଲେ ଝାଳ ବାହାରେ ନାହିଁ । ଫଳରେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ । ଏହି ସମସ୍ୟା ପାଇଁ ଚିକିତ୍ସା ଅପେକ୍ଷା ପ୍ରତିକାର କରିବା ଆବଶ୍ୟକ ।
ତେଣୁ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ଦୈନିକ ଅତି କମରେ 8 ଗ୍ଲାସ ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ଶାରୀରିକ କାର୍ଯ୍ୟକଳାପ ଏବଂ ବ୍ୟକ୍ତିଗତ ଆବଶ୍ୟକତା ଦୃଷ୍ଟିରୁ ଏହା ଭିନ୍ନ ହୋଇଥାଏ । ଯେତେବେଳେ ଖରାରେ ବାହାରକୁ ଯାଉଛନ୍ତି ସେତେବେଳେ ସାଙ୍ଗରେ ପାଣି ବୋତଲ ନେବା ନିହାତି ଆବଶ୍ୟକ ଏବଂ ଶୋଷିଲା ନହେଲେ ମଧ୍ୟ ଆବଶ୍ୟକତା ଅନୁସାରେ ପାଣି ପିଇବା ଉଚିତ୍ । ଶର୍କରା ଏବଂ କଫିନ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।