ଟିକାକରଣ ପରେ ବି ରୋଗ ସଂକ୍ରମଣ ଓ ସଂଚରଣ ସମସ୍ୟା ଦେଖାଯାଉଛି । ଏଭଳି କାହିଁକି ହୁଏ ? ଏ ପ୍ରସଙ୍ଗରେ ଅଧିକ ଜାଣିବା ପାଇଁ ଇଟିଭି ଭାରତ ସୁଖିଭବଃ ଫାର୍ମା ଷ୍ଟ୍ରାଟେଜିକ୍ କନସଲଟାଂଟ୍ ସ୍ୱରୂପ ପଣ୍ଡାଙ୍କ ସହ ଆଲୋଚନା କରିଥିଲା । ଏ ବର୍ଷ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଗଲା ପରେ ଫେବ୍ରୁଆରୀ ୨ ତାରିଖରୁ ସମ୍ମୁଖଭାଗ କୋରୋନା ଯୋଦ୍ଧାଙ୍କର ଟିକାକରଣ ଆରମ୍ଭ ହୋଇଥିଲା । ବିଶ୍ୱର ବୃହତ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା । ୬୦ ବର୍ଷ ବୟସରୁ ଅଧିକ ଓ ବହୁବିଧ ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଗଲା । ବର୍ତ୍ତମାନ କୋରୋନା ସଂକ୍ରମଣ ପୁଣି ବଢୁଥିବା ପରିପ୍ରେକ୍ଷୀରେ ସରକାର ଟିକାକରଣ ନେଇ ଥିବା ବୟସସୀମା ଉଠାଇ ଦେଇଛନ୍ତି । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କର ମଧ୍ୟ କୋଭିଡ ଟିକାକରଣ ଆରମ୍ଭ ହୋଇଛି ।
ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇଛି ଯେ, ଉଭୟ କୋଭାକ୍ସିନ ଓ କୋଭିଶିଲ୍ଡ କୋଭିଡ-୧୯ ରୋଗ ରୋକିବା କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ରୋଗର ତୀବ୍ରତା ଓ ମୃତ୍ୟୁ ରୋକିବାକୁ ଏ ଦୁଇ ଟିକାର ପ୍ରୟୋଗ ସଫଳ ରହିଛି । ତେବେ କୋଭିଡ-୧୯ ଭାଇରସର ବିଭିନ୍ନ ପ୍ରକାର ରୂପ କ୍ଷେତ୍ରରେ ଏସବୁ ଟିକା କେତେଦୂର ସଫଳ ହେବ, ତାହା ହିଁ ଏବେ ବଡ ପ୍ରଶ୍ନ । ଏ ନେଇ ଅନୁସନ୍ଧାନ ଓ ଗବେଷଣା ଚାଲିଛି । ଭାଇରସକର କିଛି ଭେରାଇଂଟ୍ ବିରୋଧରେ ଟିକା ସଫଳ ହେଉଥିବା ବେଳେ ଆଉ କିଛି ଭେରାଇଂଟ ବିରୋଧରେ ଟିକାର ସଫଳତା ହାର କମ୍ ବୋଲି ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି । ତେଣୁ ଟିକା ନେଇଗଲେ ରୋଗ ଆଉ ହେବ ନାହିଁ , ସେ ବାବଦରେ ନିଶ୍ଚିତ ହେବା ଉଚିତ ନୁହେଁ । ରୋଗୋ ବିରୋଧରେ ଟିକା କେତେ ପରିମାଣରେ ପ୍ରଭାବଶାଳୀ ଓ ଏହା କେତେଦୂର ସଂକ୍ରମଣ ରୋକିପାରୁଛି, ସେ ନେଇ ଏବେ ବି କିଛି ସ୍ପଷ୍ଟ ହୋଇନାହିଁ । ଟିକା କେତେଦିନ ପ୍ରଭାବଶାଳୀ ରହିବ, ସେ ନେଇ ବି ସ୍ପଷ୍ଟ କିଛି କୁହାଯାଇନାହିଁ ।