ଅମରାବତୀ: କୋରୋନା ମହାମାରୀ ଆସିବା ଦିନରୁ ରୋଗକୁ ନେଇ ଅନେକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏପରି ହେବା ମଧ୍ୟ ସ୍ବାଭାବିକ, କାରଣ ପ୍ରତିଦିନ ବିଶ୍ବରୁ ଶତାଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏହି ଭୟରେ ଦୁଇ ଜଣ ମହିଳା ନେଇଥିବା ପଦକ୍ଷେପ ଯେ କେହିଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ ।
କାରଣ କୋରୋନା ଭୟରେ ଦୁଇ ଜଣ ମହିଳା ଦୀର୍ଘ ଦୁଇ ବର୍ଷ ଧରି ନିଜକୁ ଆତ୍ମ-ସଂଗରୋଧରେ ରଖିଛନ୍ତି(Two women self-isolate for 2 years due to Covid fear) । ଅର୍ଥାତ୍ ଏହି ଦୁଇ ମହିଳା ଦୁଇ ବର୍ଷ ଧରି ନା କୁଆଡେ ଯାଇଛନ୍ତି ନା କାହା ସହ ମିଳା-ମିଶା କରିଛନ୍ତି । ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାରେ ଏହି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ଏହି ଦୁଇ ମହିଳା ସମ୍ପର୍କରେ ମାଆ-ଝିଅ ହେବେ । ସେମାନେ କୋଭିଡ ସଂକ୍ରମଣ ଭୟରେ 2020 ମସିହାରୁ ଆତ୍ମ-ସଂଗରୋଧରେ ଅଛନ୍ତି । ସଂକ୍ରମଣ ଭୟରେ ଦୁଇ ବର୍ଷ ହେବ ଘରୁ କେଉଁଆଡେ ବି ବାହାରି ନାହାନ୍ତି । ଏପରିକି ପରିବାର ସଦସ୍ୟଙ୍କ ସହ ମଧ୍ୟ ମିଳା-ମିଶା କରିନାହାନ୍ତି । କେବଳ ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ପ୍ରତିଦିନ ଖାଦ୍ୟ, ପାନୀୟ ଦେଇ ଆସୁଥିଲେ । ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ସେମାନେ ଖାଦ୍ୟ, ପାନୀୟ ନେଉନଥିଲେ କି ଘରର କବାଟ ମଧ୍ୟ ଖୋଲୁନଥିଲେ ।