ହାଇଦ୍ରାବାଦ:ଆଜିକାଲି ଅଧିକାଂଶ ମହିଳା ଅବାଞ୍ଛିତ ଗର୍ଭଧାରଣକୁ ଏଡ଼ାଇବା ପାଇଁ ଗର୍ଭ ନିରୋଧକ ବଟିକା ବ୍ୟବହାର କରିଥାଆନ୍ତି । ଗର୍ଭଧାରଣକୁ ରୋକିବା ପାଇଁ ଗର୍ଭନିରୋଧକ ବଟିକା ଏକ ସାଧାରଣ ଏବଂ ସୁବିଧାଜନକ ଉପାୟରେ ପରିଣତ ହୋଇଛି । ତେବେ ଏହି ବଟିକା ଶରୀରରେ ହର୍ମୋନାଲ ଭାବରେ କାମ କରେ ଏବଂ ଅଣ୍ଡାକୁ ରୋକିଥାଏ । ତେବେ ଏହି ଔଷଧକୁ ନେଇ ଅନକଙ୍କ ମନରେ ଅଗଣିତ ପ୍ରଶ୍ନ ସୃଷ୍ଟି ହୋଇଥାଏ। କ୍ରମାଗତ ଏହି ଔଷଧ ଖାଇବା ଦ୍ବାରା ଶରୀର ଉପରେ କେଉଁ ପ୍ରଭାବ ପଡେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ବଟିକାକୁ କ୍ରମାଗତ ଏବଂ ଦୀର୍ଘ ସମୟ ଧରି ଗ୍ରହଣ କରିବା ମଧ୍ୟ ଅନେକ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ । କେତେକ ଗର୍ଭନିରୋଧକ ଔଷଧ କମ୍ବିନେସନ୍ ପିଲ୍ସ ହୋଇଥାଏ । ଏଥିରେ ଦୁଇ କିମ୍ବା ଅଧିକ ହରମୋନ୍ ଏବଂ ଔଷଧ ମିଶ୍ରିତ ରହିଥାଏ । ଏହିପରି ବଟିକା ବ୍ୟବହାର କରିବା କେତେକ କ୍ଷେତ୍ରରେ ବିପଜ୍ଜନକ ହୋଇପାରେ ବୋଲି କୁହାଯାଇଛି । ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଟାବଲେଟ୍ ବ୍ୟବହାର କରିବା ଶରୀର ଉପରେ କୁପ୍ରଭାବ ପକାଇପାରେ ବୋଲି ଦର୍ଶାଯାଇଛି ।
ଗର୍ଭନିରୋଧକ ଔଷଧ କ୍ରମାଗତ ସେବନ ଦ୍ବାରା କଣ ହୁଏ:
- ରକ୍ତ ଜମାଟ:କ୍ରମାଗତ ଭାବେ ଗର୍ଭନିରୋଧକ ବଟିକା ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଅଧିକ ରହିଥାଏ । ଏହି ବଟିକାରେ ଇଷ୍ଟ୍ରୋଜେନ ରହିଥିବାରକୁ ଏହା ଜମାଟ ବାନ୍ଧିବା କାରକକୁ ବଢାଇଥାଏ । ଦୀର୍ଘ ଦିନ ଧରି ବଟିକା ବ୍ୟବହାର କଲେ ରକ୍ତ ଜମାଟ ବାନ୍ଧିପାରେ । ଧୂମପାନ କରୁଥିବା ମହିଳାମାନଙ୍କଠାରେ ଏହି ବିପଦ ଅଧିକ ରହିଥାଏ ।
- ହୃଦ୍ ରୋଗ:କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଗର୍ଭନିରୋଧକ ବଟିକା ହୃଦ୍ଘାତର ଆଶଙ୍କାକୁ ବୃଦ୍ଧି କରିଥାଏ ।
- ଉଚ୍ଚ ରକ୍ତଚାପ: କ୍ରମାଗତ ଗର୍ଭନିରୋଧକ ଔଷଧର ବ୍ୟବାହାର ଦ୍ବାରା ରକ୍ତଚାପର ଆଶଙ୍କା ବୃଦ୍ଧି ପାଇଥାଏ ।
- ମୋଟାପା: କିଛି ମହିଳା ଏହି ଔଷଧ ଖାଇବା ଦ୍ବାରା ସେମାନଙ୍କର ଓଜନ ବୃଦ୍ଧି ହୋଇଥାଏ ।
- ଋତୁସ୍ରାବରେ ସମସ୍ୟା: ତେବେ ମହିଳାଙ୍କ ଋତୁସ୍ରାବ ଉପରେ ଏହି ବଟିକା ପ୍ରଭାବ ପକାଇଥାଏ । ବେଳେବେଳେ ଶୀଘ୍ର ହେଉଥିବା ବେଳେ ବେଳେବେଳେ ବିଳମ୍ବ ମଧ୍ୟ ହୋଇଥାଏ । ତେବେ କେତେକାଂଶରେ ଅଧିକ ରକ୍ତସ୍ରାବର ମଧ୍ୟ ଅଭିଯୋଗ ସାମ୍ନାକୁ ଆସିଥାଏ ।
- ମୁଡ୍ ସୁଇଂ: କିଛି ମହିଳାଙ୍କଠାରେ ମୁଡ୍ ସୁଇଙ୍ଗ ବା ମନ ବିଚଳିତ ହୋଇଥାଏ ।
- କର୍କଟ:ଗର୍ଭାଶୟ, ସ୍ତନ ଏବଂ ଯକୃତ କର୍କଟ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ହୋଇପାରେ