ହାଇଦ୍ରାବାଦ:ହୃଦଘାତ ସହିତ ମସ୍ତିଷ୍କର ଯୋଗାଯୋଗକୁ ନେଇ ଗବେଷଣା ହୋଇଥିଲା । ହୃଦଘାତ ହେବା ପରେ କିପରି ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କ କାର୍ଯ୍ୟ କରିଥାଏ ସେ ସମ୍ପର୍କରେ ଅନୁସନ୍ଧାନ ହେବା ପରେ ଜଣାପଡ଼ିଛି ଯେ ଥରେ ହୃଦଘାତ ହେବା ପରେ ରୋଗୀଙ୍କ ମାନସିକ ଅବନତି ହେବା ଆରମ୍ଭ ହୋଇଥାଏ । ମସ୍ତିଷ୍କ ପୂର୍ବ ଭଳି କାମ କରିନଥାଏ । ଏହା କିଛି ମାତ୍ରାରେ ପ୍ରଭାବିତ ହୋଇଥାଏ । ତେବେ ଏହା କିଛି ରୋଗୀଙ୍କ କ୍ଷେତ୍ରରେ ସ୍ଥାୟୀ ଭାବେ ରହୁଥିବା ବେଳେ କିଛି ରୋଗୀଙ୍କ କ୍ଷେତ୍ରରେ କ୍ଷଣସ୍ଥାୟୀ ରହିଥାଏ ବୋଲି ଆମେରିକାନ କଲେଜ ଅଫ କାର୍ଡିଓଲୋଜିର ଏମଡି ଡୋମିନିକା କାସପରଜ୍ୟାକ କହିଛନ୍ତି ।
ଏହି ଗବେଷଣାରେ ପୋଲାଣ୍ଡର ମୋଟ ୨୨୦ ଜଣ ରୋଗୀଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ହୃଦଘାତ ହେବାର କିଛି ଦିନ ପରେ ତାଙ୍କୁ ନେଇ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲା । ଏହାପରେ ୬ ମାସ ପରେ ପୁଣି ସମାନ ପରୀକ୍ଷଣ କରାଗଲା । ଏଥିରେ ରୋଗୀଙ୍କ ଭାବନା କ୍ଷମତା, ସ୍ମରଣ ଶକ୍ତି, କିଛି କାମ କରିବାର କ୍ଷମତା ଭଳି କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ମୋଟ ରୋଗୀଙ୍କ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ପୂର୍ବ ଭଳି କାମ କରିବାରେ ସକ୍ଷମ ହୋଇପାରିଥିବା ବେଳେ ଅବଶିଷ୍ଟ ରୋଗୀ ପ୍ରଭାବିତ ହୋଇଥିଲେ ।