ନୂଆଦିଲ୍ଲୀ: ପୂର୍ବରୁ ଜରାବସ୍ଥାରେ ରୋଗଗ୍ରସ୍ତ ହେବାକୁ ପଡେ ବୋଲି କୁହାଯାଉଥିଲା । ମାତ୍ର ବର୍ତ୍ତମାନ ଆଉ ସେସବୁ ନାହିଁ, କି ଜରାବସ୍ଥା କି ଯୁବାବସ୍ଥା ସବୁ ସମୟରେ ରୋଗ ମାଡି ବସୁଛି । ହୃତଘାତ, ମସ୍ତିଷ୍କାଘାତ ଓ କର୍କଟ ବର୍ତ୍ତମାନ ସମୟରେ ଘାତକ ସାଜିଛି । ନାଚୁଥିବା, ଗାଉଥିବା, କାମ କରୁଥିବା ସମୟରେ ଟଳି ପଡୁଛନ୍ତି ଯୁବଠୁ ବୟସ୍କ । ଏହାକୁ ନେଇ ସାମ୍ନାକୁ ଆସିଛି ଆଉ ଏକ ଆଶ୍ଚର୍ଯ୍ୟକର ତଥ୍ୟ । ଆମ ଦେଶ ଭାରତରେ ପ୍ରତି 4 ମିନିଟ୍ରେ ଷ୍ଟ୍ରୋକ୍(ମସ୍ତିଷ୍କାଘାତ)ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି ।
ଆଜ୍ଞା ହଁ, ଏକଥା ଆମେ କହୁନୁ... ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(AIIMS) ସ୍ନାୟୁବିଜ୍ଞାନୀ ପ୍ରଫେସର ଏମ୍ ଭି ପଦ୍ମ ଶ୍ରୀବାସ୍ତବ କହିଛନ୍ତି । ମୃତ୍ୟୁର ଦ୍ୱିତୀୟ କାରଣ ଭାବେ ଭୟଭୀତ କରୁଛି ଷ୍ଟ୍ରୋକ୍ । ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରାପ୍ତ ଶ୍ରୀବାସ୍ତବ କହିଛନ୍ତି ଯେ, ଭାରତରେ ପ୍ରତିବର୍ଷ ପ୍ରାୟ 1 ଲକ୍ଷ 85 ହଜାର ବ୍ୟକ୍ତି ଷ୍ଟ୍ରୋକ୍ର ଶିକାର ହୁଅନ୍ତି, ଯାହାର ଅର୍ଥ ଭାରତରେ ପ୍ରତି 40 ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କର ଷ୍ଟ୍ରୋକ୍ ସମସ୍ୟା ଦେଖାଦେଉଛି ।
ଏହା ମଧ୍ୟ ପଢନ୍ତୁ:-Anxiety: ବୈଜ୍ଞାନିକଙ୍କ କମାଲ୍, ରକ୍ତ ପରୀକ୍ଷାରୁ ଜଣାପଡିବ କେତେ ଚିନ୍ତିତ ଅଛନ୍ତି ଆପଣ
ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍(GBD) ଅନୁଯାୟୀ, ଭାରତରେ 68.6 ପ୍ରତିଶତ ଷ୍ଟ୍ରୋକ୍ ଘଟଣା ରହିଛି । ଏଥିରେ 70.9 ପ୍ରତିଶତ ଷ୍ଟ୍ରୋକ୍ ଜନିତ ମୃତ୍ୟୁ ଘଟୁଥିବାବେଳେ 77.7 ପ୍ରତିଶତ ଲୋକେ ଏହି କାରଣରୁ ଅକ୍ଷମତାର ଶିକାର ହେଉଛନ୍ତି । ଏହି ପରିସଂଖ୍ୟାନ ଭାରତ ପାଇଁ ଉଦ୍ବେଗଜନକ । ଭାରତର ଅନେକ ହସ୍ପିଟାଲରେ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ସୁବିଧା ନାହିଁ । ଏହି ସମସ୍ୟା ଉଭୟ ସରକାରୀ ଓ ବେସରକାରୀ ଚିକିତ୍ସା କେନ୍ଦ୍ରରେ ରହିଛି । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଷ୍ଟ୍ରୋକ୍ର ଶିକାର ହେଉଥିବା ବ୍ୟକ୍ତି ତୁରନ୍ତ ଚିକିତ୍ସା ଆବଶ୍ୟକ କରନ୍ତି । ଏଥିରେ ବିଳମ୍ବ ହେଲେ ଜଣେ ବ୍ୟକ୍ତି ଅକ୍ଷମ କିମ୍ବା ଜୀବନ ଚାଲି ଯାଇପାରେ । ଯେତେବେଳେ ଠିକ୍ ସମୟରେ ଷ୍ଟ୍ରୋକ୍ କେୟାର ଆକ୍ସେସ୍ କଥା ଆସେ, ଭାରତରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଜନସଂଖ୍ୟା ମଧ୍ୟରେ ଏକ ପାର୍ଥକ୍ୟ ଦେଖିବାକୁ ମିଳେ । ତେଣୁ ଟେଲିମେଡିସିନ୍ ଭିତ୍ତିଭୂମିକୁ ସୁଦୃଢ କରିପାରିଲେ ଏହି ସମସ୍ୟା ସମାଧାନ ହୋଇପାରନ୍ତା ବୋଲି ଶ୍ରୀବାସ୍ତବ କହିଛନ୍ତି । ନ୍ୟୁରୋଲୋଜି ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଡିପ୍ରେସନ୍ ଷ୍ଟ୍ରୋକ୍ ସହିତ ଜଡିତ ହୋଇପାରେ । ଯେଉଁମାନଙ୍କର ଉଦାସୀନତାର ଲକ୍ଷଣ ଥାଏ, ସେମାନଙ୍କର ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ । ଷ୍ଟ୍ରୋକ୍ ପରେ ଉଦାସୀନତାରୁ ରକ୍ଷା ପାଇବା ଆହୁରି ଜଟିଳ ହୋଇପାରେ ।