ପ୍ରମୁଖ ଭାରତୀୟ ପର୍ବପବାଣୀ ମଧ୍ୟରେ ମକର ସଂକ୍ରାନ୍ତି ଅନ୍ୟତମ । ସାରା ଭାରତରେ ଏହି ସଂକ୍ରାନ୍ତି ଭିନ୍ନ ଭିନ୍ନ ନାଁରେ ପାଳନ କରାଯାଏ । ୟୁପିରେ ଏହାକୁ ଖିଚଡି ପର୍ବ କୁହାଯାଉଥିବା ବେଳେ ଗୁଜରାଟ ଓ ରାଜସ୍ଥାନରେ ଗୁଡି ଉଡା ପର୍ବ ନାଁରେ ପାଳନ ହୁଏ ମକର ସଂକ୍ରାନ୍ତି । ଆନ୍ଧ୍ର ଓ ମହାରାଷ୍ଟ୍ରରେ ମକର ସଂକ୍ରାନ୍ତି ,ତାମିଲନାଜୁରେ ପୋଙ୍ଗଲ,ଆସାମରେ ଭୋଗାଲି ବିହୁ ଓ ପଞ୍ଜାବରେ ଲୋହରୀ ନାଁରେ ପାଳନ ହୁଏ ମକର । ପ୍ରତି ଭାରତୀୟ ପର୍ବରେ କିଛି ନା କିଛି ସ୍ୱତନ୍ତ୍ର ଖାଦ୍ୟପେୟ ପ୍ରସ୍ତୁତ ହୁଏ । ସେ ମିଠା ହେଉ ବା ବ୍ୟଞ୍ଜନ । ଏସବୁ ସ୍ୱତନ୍ତ୍ର ଖାଦ୍ୟ ଭଗବାନଙ୍କୁ ନୈବେଦ୍ୟ ସ୍ୱରୂପ ନୈବେଦ୍ୟ ଅର୍ପଣ କରାଯାଏ । ତାପରେ ପରିବାରର ସବୁ ସଦସ୍ୟ ପ୍ରସ୍ତୁତ ମିଠା ଓ ବ୍ୟଞ୍ଜନର ମଜା ନିଅନ୍ତି । ମକର ସଂକ୍ରାନ୍ତି ପର୍ବରେ ଲଡୁ, ଗଜକ ( ଗଜା ) ଓ ଚିକି ପ୍ରସ୍ତୁତ ହେବାର ପରମ୍ପରା ରହିଛି । ଏସବୁ ମିଷ୍ଟାନ୍ନରେ ରାଶି ଓ ଗୁଡର ବହୁଳ ବ୍ୟବହାର କରାଯାଏ । କାରଣ ଏହି ଋତୁରେ ରାଶି ଓ ଗୁଡର ବେଶ ଚାହିଦା ରହିଥାଏ ।
ଆସନ୍ତୁ ରାଶି ଓ ଗୁଡର କିଛିଉପକାରିତା ସଂପର୍କରେ ଜାଣିବା ।
ରାଶିରେ ପୋଷକ
ରାଶିରେ ପ୍ରୋଟିନ, କ୍ୟାଲସିୟମ, କାର୍ବୋହାଇଡ୍ରେଟସ, କପର୍, ଆଇରନ ଓ ମ୍ୟାଗ୍ନେଜିୟମ ରହିଥାଏ । ରାଶିରେ ମିଳୁଥିବା ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ଭାବେ ଉପକୃତ କରିଥାଏ । ଯେପରିକି କପ୍ର ଆଣ୍ଠୁଗଣ୍ଠି ସମସ୍ୟା ଓ ମ୍ୟାଗ୍ନେଜିୟମ ରକ୍ତ ସଂଚାଳନ, ବ୍ଲଡ ସୁଗାର ଲେବଲ ଓ ଶ୍ୱସନ ସ୍ୱାସ୍ଥ୍ୟ ଭଲ ରଖେ । ରାଶିରେ ମିଳୁଥିବା କ୍ୟାଲସିୟମ ମାଇଗ୍ରେନ ପାଇଁ ପ୍ରଭାବଶାଳୀ ହୋଇଥାଏ । ପ୍ରିମେନୁଷ୍ଟ୍ରୁଆଲ୍ ସିଂଡ୍ରୋମ (ପିଏମଏସ),ଓଷ୍ଟେପୋରୋସିସ୍ ଓ କୋଲୋନ କ୍ୟାନସର କ୍ଷେତ୍ରରେ ବି ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରେ ।
ଗୁଡରେ ଥିବା ପୋଷକ
ଗୁଡ ଦ୍ୱାରା ଆମକୁ ଅନେକ ସ୍ୱାସ୍ଥ୍ୟଗତ ଫାଇଦା ମିଳିପାରିବ । ଶୀତଦିନେ ଗୁଡକୁ ସୁପରଫୁଡ୍ ଭାବେ ବିଚାର କରାଯାଏା କାରଣ ଶରୀରକୁ ପ୍ରାକୃତିକ ଭାବେ ଉତ୍ତାପ ଯୋଗାଇଥାଏ ଗୁଡ । ଏଥିରେ କ୍ୟାଲସିୟମ, ଫସଫରସ, ମ୍ୟାଗ୍ନେଜିୟମ, ପୋଟାସିୟମ, ଫଲିକ ଏସିଡ ଓ ଆଇରନ ଥାଏ,ଯାହା କି ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ।
ରାଶି, ଗୁଡ ମିଶାଇ ଖାଇବାର ଉପକାରିତା
ସଂକ୍ରାନ୍ତିରେ ଗୁଡ ଓ ରାଶିରେ ପ୍ରସ୍ତୁତ ମିଠା ଖାଇବା ଆମେ ଉପଭୋଗ କରୁ । କିନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ କାରଣ ଆପଣ ଜାଣନ୍ତି କି ? ମକର ସଂକ୍ରାନ୍ତି ବେଳେ ଭାରତର ଅଧିକାଂଶ ସ୍ଥାନରେ ଶୀତ ଅଧିକ ମାତ୍ରାରେ ହୁଏ । ଆଉ ଶରୀରକୁ ପ୍ରାକୃତିକ ଉତ୍ତାପ ଦରକାର ପଡେ । ଉଭୟ ରାଶି ଓ ଗୁଡ ଖାଇଲେ ଶରୀରରୁ ଆବଶ୍ୟକୀୟ ଉତ୍ତାପ ମିଳେ । କାରଣ ରାଶି ଓ ଗୁଡରେ ଉତ୍ତାପ ଯୋଗାଇବାର କ୍ଷମତା ଓ ତେଳ ପ୍ରଚୁର ପରିମାଣରେ ଥାଏ । ରାଶିରେ ମିଳୁଥିବା ସେସାମିନ ଆଂଟିଅକ୍ସିଡାଂଟ ସହ ଗୁଡ ଶରୀରକୁ ଗରମ ରଖେ । ତେଣୁ ମକର ସଂକ୍ରାନ୍ତି ଦିନ ରାଶି ଓ ଗୁଡରେ ପ୍ରସ୍ତୁତ ମିଷ୍ଟାନ୍ନ ଖିଆଯାଏ ।