ସାରା ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେକାବୁ ଭାବେ ବଢିଚାଲିଛି । ବିଶେଷକରି ଆମ ଦେଶରେ ମଧ୍ୟ ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି କୋରୋନା ପଜିଟିଭଙ୍କ ସଂଖ୍ୟା । ବୃଦ୍ଧି ପାଉଥିବା କୋରୋନା ରୋଗୀଙ୍କ ସଂଖ୍ୟା ହସପିଟାଲ୍ ଓ ମେଡିକାଲ ଷ୍ଟାଫଙ୍କ ଉପରେ ବୋଝ ସୃଷ୍ଟି କରିଛି । ଫଳରେ ଆକ୍ରାନ୍ତଙ୍କୁ ଘରେ ଏକାନ୍ତବାସରେ ରହିବା ପାଇଁ ସୁପାରିଶ କରାଯାଉଛି । କୋରୋନାର ମଧ୍ୟମ ଧରଣର ଲକ୍ଷଣ ଥିବା ଲୋକଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଉଛି । କିନ୍ତୁ ଏ କ୍ଷେତ୍ରରେ ସମସ୍ୟା ବି ରହିଛି । ହାଇଦ୍ରାବାଦ ସ୍ଥିତ ଭିଆଇଏନଏନ୍ ହସପିଟାଲରେ କନସଲଣ୍ଟାଣ୍ଡ ଫିଜିସିଆନ ଡକ୍ଟର ରାଜେଶ ଭକ୍କଲାଙ୍କ କହିବା ଅନୁସାରେ, ଅଧିକାଂଶ ଲୋକ ଛୋଟ ଛୋଟ ଘରେ ରହନ୍ତି । ତେଣୁ ସେମାନଙ୍କ ପାଇଁ ଆଇସିଏମଆର୍ ଦ୍ୱାରା ସୁପାରିଶ କରାଯାଇଥିବା ଏକାନ୍ତବାସ ଗାଇଡଲାଇନ୍ସ ଅନୁସରଣ କରିବା କଷ୍ଟକର ହେବ । ଯଦି ଘରେ ବିଶେଷ କରି ବଡ ପରିବାର ରହୁଥିବା ଛୋଟ ଘରେ ସେଲଫ ଆଇସୋଲେସନ ବା ଏକାନ୍ତବାସ ସମ୍ଭବ ନୁହେଁ, ତାହା ହେଲେ ଏଥିପାଇଁ କିଛି ହୋଟେଲ ବ୍ୟବସ୍ଥା କରିଛନ୍ତି ।
ସେଲଫ ଆଇସୋଲେସନ ପାଇଁ ଭଡାରେ ସେମାନେ ରୁମ୍ ଦେଉଛନ୍ତି । ଅନ୍ତତଃ ଦୁଇ ସପ୍ତାହ ମଧ୍ୟମ ଲକ୍ଷଣ ଥିବା ଲୋକେ ହୋଟେଲଗୁଡିକରେ ରହିପାରିବେ । ହେଲେ ଘର ହେଉ ବା
ହୋଟେଲ୍, ଏକାନ୍ତବାସ ପାଇଁ କିଛି ସତର୍କତାମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି ଡକ୍ଟର ଭକ୍କଲା ।
ସଂକ୍ରମିତ ଲୋକଙ୍କ ପାଇଁ ଟିପ୍ସ
. ଯଦି ଘର ଖୁବ୍ ଛୋଟ, ତାହା ହେଲେ ସଂକ୍ରମଣ ନ ବ୍ୟାପିବା ପାଇଁ ପିପିଇ ଗିୟର ପିନ୍ଧନ୍ତୁ ।
. ଯଦି ପିପିଇ କିଟ୍ ପିନ୍ଧିଛନ୍ତି, ତାହା ହେଲେ ଡ୍ରେସ ଚେଞ୍ଜ ପାଇଁ ଅଲଗା ରୁମ୍ ରହିବା ଦରକାର । ଆଉ ସେହି ରୁମ୍ ପ୍ରତି ଚାରି ଘଣ୍ଟାରେ ଥରେ ସାନିଟାଇଜ୍ ହେବା ଜରୁରୀ ।
. ପିପିଇ କିଟ୍ରେ ଲେଖାଯାଇଥିବା ସୂଚନାବଳୀକୁ ଭଲ ଭାବେ ପଢନ୍ତୁ । ପିପିଇ କିଟ୍ ସହ ଦିଆଯାଇଥିବା ଡିସପୋଜେବେଲ୍ ବ୍ୟାଗ୍ରେ କିଟ୍କୁ ଡିସପୋଜି କରନ୍ତୁ । ଏହାକୁ ସାଧାରଣ ଅଳିଆଡବା ବଦଳରେ ଅଲଗା ଜାଗାରେ ଫିଙ୍ଗନ୍ତୁ ।
. ଘରର କୌଣସି ଏକ ନିର୍ଦ୍ଦିଷ୍ଟ ଜାଗାରେ ହିଁ ନିଜକୁ ସୀମିତ ରଖନ୍ତୁ । ସମ୍ଭବତଃ ଗାଧୁଆଘର ସଂଲଗ୍ନ ରୁମରେ ହିଁ ଏକାନ୍ତବାସରେ ରହନ୍ତୁ ।
. ପରିବାରର ସବୁ ସଦସ୍ୟ କଡାକଡି ଭାବେ ସାନିଟାଇର ପ୍ରସିଜର୍ ପାଳନ କରିବା ଉଚିତ ।
. ମାସ୍କ ଓ ଗ୍ଲୋଭସ ପିନ୍ଧିବା ସହ ବାରମ୍ବାର ହାତ ଧୁଅନ୍ତୁ ।
. ଭଲ ଓ ସ୍ୱାସ୍ଥ୍ୟକର ଆହାର ଖାଆନ୍ତୁ ।
. ଆପଣଙ୍କ ସ୍ୱାସ୍ଥ୍ୟ ସ୍ଥିତି ଉପରେ ନଜର ରଖନ୍ତୁ । ଅକ୍ସିଜେନ୍ ସ୍ତର, ସିଙ୍ଗଲ୍ ବ୍ରିଥ୍ କାଉଂଟ୍ , ତାପମାତ୍ରା ଉପରେ ନଜର ରଖନ୍ତୁ ।
. ଯଦି ପରିସ୍ଥିତି ନକାରାତ୍ମକ ଦିଗରେ ଗତି କରେ,ତାହା ହେଲେ ତୁରନ୍ତ ମେଡିକାଲ୍ ସହାୟତା ଲୋଡନ୍ତୁ ।
. ଡାକ୍ତରଙ୍କ ସହ କଥା ହୋଇ କିଛି ମଲଟି ଭିଟାମିନ ସେବନ କରନ୍ତୁ, ଯାହା ଫଳରେ କି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ।