କେମ୍ବ୍ରିଜ୍: ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ବ୍ୟାଧି ନିରାକରଣରେ ପିତାମାତାଙ୍କ ଦ୍ବାରା ରିପୋର୍ଟ (Parent Reported) ହୋଇଥିବା କିମ୍ବା ନିଜ ଦ୍ବାରା ରିପୋର୍ଟ(self-reported) ହୋଇଥିବା ପରୀକ୍ଷା ଅପେକ୍ଷା ରୋବଟ୍ ଅଧିକ ପ୍ରଭାବଶାଳୀ ହୋଇପାରେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ରୋବୋଟିସିଟ୍ସ, କମ୍ପ୍ୟୁଟର ବୈଜ୍ଞାନିକ ଏବଂ ମାନସିକ ରୋଗ ବିଶେଷଜ୍ଞଙ୍କ ଏକ ଟିମ୍ ଆଠରୁ ୧୩ ବର୍ଷ ବୟସର ୨୮ ପିଲାଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ ଏବଂ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ମାନସିକ ସୁସ୍ଥତାକୁ ଆକଳନ କରିବା ପାଇଁ ଏକ ଶିଶୁ ଆକାରର ହ୍ୟୁମାନୋଏଡ୍ ରୋବଟ୍(child-sized humanoid robot) ସହ ଏକ ମାନକ ମାନସିକ ପ୍ରଶ୍ନପତ୍ର ପରିଚାଳନା କରିଥିଲେ ।
ଅନୁସନ୍ଧାନରୁ ଜଣାପଡିଛି ଯେ, ପିଲାମାନେ ରୋବଟ ଉପରେ ଅଧିକ ଭରସା କରିବାକୁ ଇଚ୍ଛୁକ ଥିଲେ, କେତେକ କ୍ଷେତ୍ରରେ ରୋବଟ ସହିତ କଥାବାର୍ତ୍ତା ମଧ୍ୟ କରିଥିଲେ, ଯାହା ଏପର୍ଯ୍ୟନ୍ତ ସେମାନେ ଅନଲାଇନ୍ କିମ୍ବା କୌଣସି ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ ସମୟରେ କରିନଥିଲେ । ପିଲାମାନଙ୍କ ମାନସିକ ସୁସ୍ଥତାକୁ ଆକଳନ କରିବା ପାଇଁ ପ୍ରଥମ ଥର ପାଇଁ ରୋବଟ୍ ବ୍ୟବହାର କରାଯାଇଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, "ମାନସିକ ସ୍ବାସ୍ଥ୍ୟ ମୂଲ୍ୟାଙ୍କନର ପାରମ୍ପରିକ ପଦ୍ଧତିରେ ରୋବଟ ଗୁଡିକ ଏକ ଉପଯୋଗୀ ଯୋଗ ହୋଇପାରେ, ଯଦିଓ ସେମାନେ ବୃତ୍ତିଗତ ମାନସିକ ସ୍ବାସ୍ଥ୍ୟ ସହାୟତା ପାଇଁ ଏକ ବିକଳ୍ପ ହେବା ପାଇଁ ଉଦ୍ଦିଷ୍ଟ ନୁହଁନ୍ତି । ସେପ୍ଟେମ୍ବର ୧ ରେ ଇଟାଲୀର ନାପ୍ଲିସରେ ରୋବଟ୍ ଆଣ୍ଡ ହ୍ୟୁମାନ୍ ଇଣ୍ଟରାକ୍ଟିଭ୍ କମ୍ୟୁନିକେସନ୍ (RO-MAN) ଉପରେ ୩୧ତମ IEEE ଅନ୍ତର୍ଜାତୀୟ ସମ୍ମିଳନୀରେ ଏହି ଫଳାଫଳ ଉପସ୍ଥାପିତ ହୋଇଛି ।
COVID-19 ମହାମାରୀ ସମୟରେ, ହୋମସ୍କୁଲିଂ, ଆର୍ଥିକ ଚାପ ଏବଂ ସାଥୀ ଏବଂ ବନ୍ଧୁମାନଙ୍କଠାରୁ ବିଚ୍ଛିନ୍ନତା ଅନେକ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି । ମହାମାରୀ ପୂର୍ବରୁ ମଧ୍ୟ, ବ୍ରିଟେନରେ ପିଲାମାନଙ୍କ ମଧ୍ୟରେ ଚିନ୍ତା ଏବଂ ଉଦାସୀନତା ବଢିବାରେ ଲାଗିଛି, କିନ୍ତୁ ମାନସିକ ସୁସ୍ଥତାକୁ ସମାଧାନ କରିବା ପାଇଁ ଉତ୍ସ ଏବଂ ସମର୍ଥନ ଅତ୍ୟନ୍ତ ସୀମିତ । କେମ୍ବ୍ରିଜ୍ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗର ଇଫେକ୍ଟିଭ୍ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସ ଲାବୋରେଟୋରୀର ନେତୃତ୍ୱ ନେଉଥିବା ପ୍ରଫେସର ହାଟିସ୍ ଗୁନେସ ଅଧ୍ୟୟନ କରୁଛନ୍ତି ଯେ, ବୟସ୍କମାନଙ୍କ ପାଇଁ କିପରି ସାମାଜିକ-ସହାୟକ ରୋବଟ୍(SAR) ମାନସିକ ସୁସ୍ଥତା 'କୋଚ୍' ଭାବରେ ବ୍ୟବହାର କରାଯାଇପାରିବ ? କିନ୍ତୁ କିଛିଦିନ ହେବ ସେମାନେ କିପରି ପିଲାମାନଙ୍କ ପାଇଁ ଲାଭଦାୟକ ହୋଇପାରିବେ ସେ' ଉପର ଅଧ୍ୟୟନ କରୁଛନ୍ତି ।