ହାଇଦ୍ରାବାଦ:ବିଶ୍ୱରେ ମଧୁମେହ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ପ୍ରତିବର୍ଷ ମଧୁମେହ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେକୌଣସି ବୟସର ବ୍ୟକ୍ତି ମଧ୍ୟ ଏହାର ଶିକାର ହୋଇପାରନ୍ତି । ତେବେ ପରବର୍ତ୍ତୀ ସମୟରେ ଏହା ମହାମାରୀର ରୂପ ନେଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ତେବେ ମଧୁମେହ ଏପରି ଏକ ରୋଗ ଯାହା ଅନ୍ୟ କେତେକ ରୋଗର ମଧ୍ୟ କାରଣ ସାଜିଥାଏ ।
ଏକ ରିପୋର୍ଟ ଅନୁସାରେ, ମଧୁମେହ ରୋଗୀଙ୍କୁ ଆଖି, କିଡନୀ, ଯକୃତ ଏବଂ ହୃଦରୋଗର ଆଶଙ୍କା ଅଧିକ ଦେଖାଯାଏ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ମଧୁମେହ ରୋଗୀଙ୍କୁ କୋଲୋନ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ ବୋଲି ଏକ ରିପୋର୍ଟରୁ ଜଣାପଡିଛି ।
ଜାମା ପତ୍ରିକାରେ ପ୍ରକାଶିତ ନିକଟରେ ହୋଇଥିବା ଏକ ଅଧ୍ୟୟନର ଫଳାଫଳ ଅନୁଯାୟୀ, ମଧୁମେହ ରୋଗୀଙ୍କୁ ସାଧାରଣ ଲୋକଙ୍କ ଅପେକ୍ଷା କଲୋରେକ୍ଟାଲ୍ (କୋଲନ୍) କର୍କଟ ହେବାର ଆଶଙ୍କା 47 ପ୍ରତିଶତ ଅଧିକ ହୋଇପାରେ । ଏହି କର୍କଟ ବୃହତ ଅନ୍ତନଳୀରେ କୋଷ ଗୁଡିକର ଅନିୟନ୍ତ୍ରିତ ବୃଦ୍ଧି ହେତୁ ହୋଇଥାଏ । ଏହି କର୍କଟ କାରଣରୁ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ ପ୍ରାଣ ହରାଇଥାଆନ୍ତି।
ମଧୁମେହ ରୋଗୀଙ୍କ କ୍ଷେତ୍ରରେ କୋଲୋନ କର୍କଟର ଆଶଙ୍କା ଅଧିକା: ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁ ବ୍ୟକ୍ତିମାନେ ଗତ 5ବର୍ଷ ମଧ୍ୟରେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କର କୋଲୋରେକ୍ଟାଲ୍ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁ ବ୍ୟକ୍ତିମାନେ ଦୀର୍ଘ ବର୍ଷ ଧରି ମଧୁମେହରେ ଆକ୍ରାନ୍ତ ହୋଇଛନ୍ତି ସେମାନେ କର୍କଟ ରୋଗର ସ୍କ୍ରିନିଂ କରିବା ଜରୁରୀ ଅଟେ । ଏହା ଦ୍ବାରା ବିପଦକୁ ହ୍ରାସ କରାଯାଇ ପାରିବ । ଅର୍ଥାତ ମଧୁମେହ ରୋଗୀଙ୍କ ପାଇଁ କଲୋନୋସ୍କୋପି ବିଶେଷ ଗୁରୁତ୍ୱପୂର୍ଣ୍ଣ ।