ହାଇଦ୍ରାବାଦ:ଟ୍ୟୁବରକ୍ୟୁଲୋସିସ୍ TB ବା ଯକ୍ଷ୍ମା ଏକ ମାରାତ୍ମକ ରୋଗ । ଏହା ସାଧାରଣତଃ ଫୁସଫୁସକୁ ଆକ୍ରାନ୍ତ କରିଥାଏ। ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବୋରକ୍ୟୁଲୋସିସ୍ ଜୀବାଣୁ ଦ୍ବାରା ଏହି ରୋଗ ହୋଇଥାଏ । ଧୀରେଧୀରେ ଚିକିତ୍ସା ପ୍ରଣାଳୀ ଆବିଷ୍କାର, ସଚେତନତାମୂଳକ କାର୍ଯ୍ୟକ୍ରମ, ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । 2050 ସୁଦ୍ଧା ଦେଶରୁ ଟିବି ମୁକ୍ତ କରିବା ଲକ୍ଷ୍ୟରେ ଭାରତ ସରକାର କାର୍ଯ୍ୟ କରୁଛନ୍ତି । ତେବେ ଗତ କିଛି ବର୍ଷ ମଧ୍ୟରେ ଯକ୍ଷ୍ମା ରୋଗର ମାମଲା ବୃଦ୍ଧି ପାଉଥିବା ବେଳେ ଆଗାମୀ ଦିନରେ ଏହି ରୋଗକୁ ରୋକିବାରେ କଷ୍ଟ ହୋଇପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି ।
2022 ମସିହାରେ ଭାରତରେ ମୋଟ 21.42 ଲକ୍ଷ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିଲେ । ଚଳିତ ବର୍ଷ ଅନୁପାତ ହିସାବରେ ଦେଖିବାକୁ ଗଲେ 13 ପ୍ରତିଶତ ବୃଦ୍ଧି ଘଟିଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଦେଶରେ ରୋଗୀଙ୍କ ସଂଖ୍ୟା ଯେଉଁ ହାରରେ ବୃଦ୍ଧି ହେଉଛି ଏହା ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମର ଲକ୍ଷ୍ୟ ଉପରେ ପ୍ରଭାବ ପକାଇପାରେ । ତେବେ ଟିବିକୁ କିଭଳି ପ୍ରତିହତ କରିହେବ ସେନେଇ ଅନେକ ପ୍ରକାରର ଅନୁସନ୍ଧାନ ଜାରି ରହିଛି । ତେବେ ଅନୁସନ୍ଧାନ କରୁଥିବା ଏକ ଟିମ୍ ଜାଣିବାକୁ ପାଇଛନ୍ତି ଯେ, ନ୍ୟୁଟ୍ରିଏସନ ସାହାଯ୍ୟରେ ଦେଶରେ ସଂକ୍ରମଣର ଆଶଙ୍କାକୁ କମାଇ ଦିଆଯାଇପାରିବ । ଦେଶରେ କରାଯାଇଥିବା ଏକ ପରୀକ୍ଷଣରୁ ଜଣାପଡିଛି ଯେ, ଏହା ଯକ୍ଷ୍ମାକୁ ରୋକିବାରେ ସାହାଯ୍ୟ କରିଥାଏ ଏବଂ ପୂର୍ବରୁ ସଂକ୍ରମିତ ଲୋକଙ୍କ ମୃତ୍ୟୁହାରକୁ ହ୍ରାସ କରିବାରେ ସହାୟକ ହେବ ।
କମ ହୋଇପାରିବ ଯକ୍ଷ୍ମା ରୋଗର ଆଶଙ୍କା: ଅଗଷ୍ଟ 2019ରୁ ଅଗଷ୍ଟ 2022 ମଧ୍ୟରେ ଝାଡ଼ଖଣ୍ଡର ଚାରୋଟି ଜିଲ୍ଲାରେ କରାଯାଇଥିବା ଏହି ପରୀକ୍ଷଣରୁ ଜଣାପଡ଼ିଛି ଯେ, ଯଦି ପୋଷଣ ଉପରେ ଅଧିକ ଧ୍ୟାନ ଦିଆଯାଏ, ତେବେ ଫୁସ୍ଫୁସ୍ ରୋଗର ଆଶଙ୍କା ହ୍ରାସ କରିପାରିବା ସମ୍ଭବ ହେବ । ଦ ଲାନସେଟ୍ ଗ୍ଲୋବାଲ୍ ହେଲ୍ଥରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ ଏହି ପ୍ରତିକାର ଯକ୍ଷ୍ମା ବିପଦକୁ 48 ପ୍ରତିଶତ ହ୍ରାସ କରିବାରେ ସହାୟକ ହୋଇପାରେ । ଛଅ ମାସର ଅଧ୍ୟୟନ ସମୟରେ, କଣ୍ଟ୍ରୋଲ ଗ୍ରୁପ୍ର 122 ଜଣଙ୍କ ମଧ୍ୟରେ ଯକ୍ଷ୍ମା ରୋଗ ଦେଖାଯାଇଥିଲା ।