ହାଇଦ୍ରାବାଦ:ଜଣେ ବ୍ୟକ୍ତି ରକ୍ତଦାନ କରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ। ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ଶରୀରରେ ରକ୍ତର ଅଭାବ ଦେଖାଗଲେ ରକ୍ତଦାନ କରି ଜୀବନ ବଞ୍ଚାଯାଇ ପାରିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଭାରତକୁ ବାର୍ଷିକ ଏକ କୋଟି ୟୁନିଟ୍ ରକ୍ତ ଆବଶ୍ୟକ ହୁଏ। ଆମ ଦେଶରେ ପ୍ରାୟ ୭୫ ଭାଗ ରକ୍ତ ଉପଲବ୍ଧ ହୋଇଥାଏ କିନ୍ତୁ ୨୫ ଲକ୍ଷ ୟୁନିଟ ରକ୍ତର ଅଭାବ କାରଣରୁ ପ୍ରତିବର୍ଷ ଶହଶହ ରୋଗୀ ପ୍ରାଣ ହରାଇ ଥାଆନ୍ତି । ଆମ ଦେଶରେ ରକ୍ତ ଦାତାଙ୍କ ସଂଖ୍ୟା ବହୁତ କମ୍ କାରଣ ରକ୍ତଦାନକୁ ନେଇ ଲୋକମାନଙ୍କ ମଧ୍ୟରେ ଭୁଲ ଧାରଣା ରହିଥାଏ । କିନ୍ତୁ ଆବଶ୍ୟକତା ଅନୁସାରେ ଜଣକୁ ରକ୍ତଦାନ କରିବା ଦ୍ବାରା ଅନ୍ୟଜଣଙ୍କ ଜୀବନ ବଞ୍ଚାଯାଇ ପାରିବ ।
କେଉଁ ବ୍ୟକ୍ତି ରକ୍ତଦାନ ପାଇଁ ଯୋଗ୍ୟ: ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (MOHFW) ଅଧୀନରେ ଥିବା ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ (NACO) ଅନୁଯାୟୀ, ଭାରତରେ ରକ୍ତ ଦାନ କରିବାର ସର୍ବନିମ୍ନ ବୟସ 18 ବର୍ଷ ଅଟେ । କିନ୍ତୁ ଅନେକ ଦେଶରେ ଏହି ବୟସ ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ । ଉଦାହରଣ ସ୍ୱରୂପ, ଆମେରିକାରେ ରକ୍ତଦାନର ଆରମ୍ଭ ବୟସ 16 ବର୍ଷ ଅଟେ । ଆମ ଦେଶରେ ରକ୍ତ ଦାନ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, 18ରୁ 60 ବର୍ଷ ମଧ୍ୟରେ ଯଦି ମହିଳା କିମ୍ବା ପୁରୁଷ ସୁସ୍ଥ ଅଛନ୍ତି ତାହାଲେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିପାରିବେ ।
- ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ଅନୁଯାୟୀ, ଭାରତରେ ପୁରୁଷମାନେ ତିନି ମାସରେ ଥରେ ରକ୍ତ ଦାନ କରିପାରିବେ ଏବଂ ମହିଳାମାନେ ୪ ମାସରେ ଥରେ ରକ୍ତଦାନ କରିପାରିବେ ।
- ରକ୍ତଦାନ କରୁଥିବା ବ୍ୟକ୍ତିର ଓଜନ ଅତିକମରେ ୫୦ କେଜି ରହିଥିବା ଉଚିତ । ତେବେ ଅନେକ କ୍ଷେତ୍ରରେ ୪୫ କେଜି ଓଜନରେ ମଧ୍ୟ ରକ୍ତଦାନ କରିବା ପାଇଁ ଅନୁମତି ପ୍ରଦାନ କରାଆଯଇଥାଏ ।
- ରକ୍ତଦାନ କରୁଥିବା ବ୍ୟକ୍ତିଙ୍କର ହିମୋଗ୍ଲୋବିନ ସ୍ତର ୧୨.୫ ତଥା ପ୍ଲେଟଲେଟ୍ ଦେଢ଼ ଲକ୍ଷରୁ ଅଧିକ ରହିଥିବା ଉଚିତ । ଏହାସହିତ ନାଡିର ସ୍ପନ୍ଦନ ପ୍ରତି ମିନିଟରେ ୫୦ରୁ ୧୦୦ ମଧ୍ୟରେ ରହିବା ଆବଶ୍ୟକ ।
ଏହା ମଧ୍ୟ ପଢନ୍ତୁ: ଶରୀରରେ ଟାଟୁ କରିଥିଲେ ବ୍ଲଡ ଦେଇପାରିବେ କି ? କଣ କହୁଛି 'ହୁ' ରିପୋର୍ଟ