ହାଇଦ୍ରାବାଦ:ସାରା ବିଶ୍ବରେ ରୋଗ ସହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ କେବଳ ଦେଶ ନୁହେଁ ବିଶ୍ବର ଅନେକ ସ୍ଥାନରେ ଔଷଧର ବିକଳ୍ପ ଭାବେ ନାଚ୍ୟୁରୋପାଥି ବା ପ୍ରାକୃତିକ ଚିକିତ୍ସାକୁ ବିବେଚନା କରାଯାଏ । ନାଚ୍ୟୁରୋପାଥି ହେଉଛି ସର୍ବ ପୁରାତନ ସ୍ବାସ୍ଥ୍ୟସେବା ପ୍ରଣାଳୀ, ଯାହା ଆଧୁନିକ ଚିକିତ୍ସା ଜ୍ଞାନକୌଶଳକୁ ପାରମ୍ପରିକ ଏବଂ ପ୍ରାକୃତିକ ଔଷଧ ସହ ଯୋଡିଥାଏ । ପ୍ରତିବର୍ଷ ନଭେମ୍ବର 18 ତାରିଖକୁ ଜାତୀୟ ନାଚ୍ୟୁରୋପାଥି ଦିବସ ଭାବେ ପାଳନ କରାଯାଏ । ନାଚ୍ୟୁରୋପାଥି ବା ପ୍ରାକୃତିକ ଚିକିତ୍ସାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ 2018 ମସିହାରୁ ଭାରତର ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଏହି ଦିବସ ପାଳନ ହୋଇଆସୁଛି ।
ପ୍ରାକୃତିକ ଚିକିତ୍ସା କ'ଣ: ନାଚ୍ୟୁରୋପାଥି ବା ପ୍ରାକୃତିକ ଚିକିତ୍ସା ହେଉଛି ଏକ ପ୍ରାଚୀନ ଚିକିତ୍ସା ବ୍ୟବସ୍ଥା, ଯେଉଁଥିରେ ସ୍ୱାସ୍ଥ୍ୟସେବା ସହିତ ଜଡିତ ବିଭିନ୍ନ ପଦ୍ଧତି ବ୍ୟବହାର କରାଯାଇଥାଏ । ଏହା ବିଶ୍ବର ଅନେକ ସ୍ଥାନରେ ବ୍ୟବହୃତ ହୋଇଥାଏ । ବିଶେଷକରି ଭାରତରେ ଏହି ଚିକିତ୍ସା ପଦ୍ଧତି ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଅଧିକ । କହିବାକୁ ଗଲେ ଭାରତର ଅନେକ ଲୋକ ଆୟୁର୍ବେଦ ଏବଂ ନାଚ୍ୟୁରୋପାଥିକୁ ନେଇ ଦ୍ବନ୍ଦରେ ରହିଥାଆନ୍ତି । କାରଣ ଏହି ଦୁଇଟି ଚିକିତ୍ସା ବ୍ୟବସ୍ଥାର ନୀତି, ଉଦ୍ଦେଶ୍ୟ ଏବଂ ନିୟମ ପ୍ରାୟ ସମାନ ହୋଇଥାଏ । ଇନ୍ଦୋରର ପ୍ରକୃତି ଆରୋଗ୍ୟ କେନ୍ଦ୍ରର ଡାକ୍ତର ଶୈଲେସ କୁମାରଙ୍କ କହିବା ଅନୁସାରେ, ନାଚ୍ୟୁରୋପାଥି କେବଳ ଏକ ଚିକିତ୍ସା ପଦ୍ଧତି ନୁହେଁ ବରଂ ଏହା ଏକ ଜୀବନଶୈଳୀ ଅଟେ । ଯେଉଁଥିରେ ପ୍ରାକୃତିକ ସମ୍ପଦର ବ୍ୟବହାର ଏବଂ ପ୍ରକୃତିର ନିୟମକୁ ପାଳନ କରିବା ଏବଂ ସୁସ୍ଥତା ଉପରେ ଗୁରୁତ୍ବ ଦିଆଯାଇଥାଏ ।
ନାଚ୍ୟୁରୋପାଥି ଦ୍ବାରା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା କରାଯାଇଥାଏ । କିନ୍ତୁ ବ୍ୟକ୍ତିର ସାମଗ୍ରିକ ସ୍ବାସ୍ଥ୍ୟ ବଜାୟ ରଖିବା ଏହାର ମୂଳ ଲକ୍ଷ୍ୟ ଅଟେ । ନାଚ୍ୟୁରୋପାଥିରେ ଖାଦ୍ୟପେୟ ସହ ଜୀବନଶୈଳୀରେ ସୁଧାର ଆଣିବା ସହିତ ପ୍ରାକୃତିକ ସମ୍ପଦର ବ୍ୟବହାର ଏବଂ ସେମାନଙ୍କର ବ୍ୟବହାର ସହିତ ଜଡିତ କାର୍ଯ୍ୟକଳାପ ଏବଂ ଅଭ୍ୟାସଗୁଡିକ ଚିକିତ୍ସା ପାଇଁ ଅନୁସରଣ କରାଯାଏ ।