ହାଇଦ୍ରାବାଦ:ଭାରତୀୟ ଏବଂ ଆମେରିକୀୟ ରୋଷେଇରେ ବ୍ୟବହୃତ ସବୁଠାରୁ ଲୋକପ୍ରିୟ ଉପାଦାନ ହେଉଛି ସୋରିଷ । ସୋରିଷ ମଞ୍ଜିରେ ଭିଟାମିନ ଏବଂ ମିନେରାଲ୍ସ ଭରପୂର ମାତ୍ରାରେ ରହିଥାଏ । ପ୍ରଥମେ ୟୁରୋପରେ ବ୍ୟବହୃତ ଛୋଟ ଗୋଲାକାର ସୋରିଷ ମଞ୍ଜି ଧୀରେ ଧୀରେ ଉତ୍ତର ଆଫ୍ରିକାରେ ଏବଂ ପରେ ଏସିଆର ଅନେକ ଅଞ୍ଚଳରେ ଲୋକପ୍ରିୟତା ପାଇଥିଲା । ବର୍ତ୍ତମାନ ସୋରିଷ ଫୁଟଣ ବନା ରୋଷେଇ ସମ୍ଭବ ନୁହଁ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ସୋରିଷର ଏହି ଲୋକପ୍ରିୟତା ହେତୁ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ଶନିବାର ଦିନ ଜାତୀୟ ସୋରିଷ ଦିବସ ପାଳନ କରାଯାଏ ।
ସୋରଷ ସାଧାରଣତଃ ତିନୋଟି ରଙ୍ଗରେ ବଜାରରେ ମିଳିଥାଏ । ଧଳା ସୋରିଷକୁ ବାଟଣରେ ବ୍ୟବହୃତ କରାଯାଉଥିବା ବେଳେ କଳା ଏବଂ ଥଇରିଆ ସୋରିଷକୁ ଫୁଟଣରେ ବ୍ୟବହାର କରାଯାଏ । ସୋରିଷ ମଞ୍ଜିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି ଏବଂ ଏହା ମଧ୍ୟ ଦଶନ୍ଧି ଧରି ଔଷଧୀୟ ଭାବରେ ବ୍ୟବହୃତ ହୋଇଆସୁଛି । କଳା ସୋରିଷରେ ଥିବା ଜରୁରୀ ମିନେରାଲ, କ୍ୟାଲସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ ଓ ଫସଫରସ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ଏହାର ବ୍ୟବହାର ମୁଖ୍ୟତଃ ଥଣ୍ଡା କାଶ, ବଦହଜମୀ ଓ ଶରୀର ବ୍ୟଥା ରୋକିବା ସହ ଶ୍ବସନ କ୍ରିୟା ଆଦି ସୁଧାରିବାରେ କରାଯାଇଥାଏ । ତେବେ ଜାଣନ୍ତୁ ସୋରିଷର ସ୍ବାସ୍ଥ୍ୟ ଉପକାରିତା ବିଷୟରେ ।
କର୍କଟ ରୋଗରୁ ରକ୍ଷା କରେ: ସୋରିଷରେ ଗ୍ଲୁକୋସିନୋଲେଟ୍ସ ଏବଂ ମାଇରୋସିନାଜ୍ ପରି ଯୌଗିକ ଗୁଣ ରହିଛି । ଯାହା ଶରୀରରେ କର୍କଟ ସୃଷ୍ଟି କରୁଥିବା କୋଷଗୁଡ଼ିକର ବୃଦ୍ଧିକୁ ପ୍ରତିରୋଧ କରିଥାଏ । ଜର୍ନାଲ ହ୍ୟୁମାନ ଆଣ୍ଡ ଏକ୍ସପେରିମେଣ୍ଟାଲ ଟେକ୍ନୋଲୋଜି ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଏହି କ୍ଷୁଦ୍ର ମଞ୍ଜିଗୁଡ଼ିକରେ କେମୋପ୍ରେଭେଣ୍ଟିଭ୍ ସମ୍ଭାବନା ଥାଏ ଏବଂ ଏହା କର୍କିନୋଜେନର ପ୍ରଭାବରୁ ରକ୍ଷା କରିପାରେ ।
ମୁଣ୍ଡବିନ୍ଧା ଏବଂ ମାଇଗ୍ରେନରେ ପ୍ରଭାବଶାଳୀ:ଯଦି ଆପଣ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ର ଶିକାର ହେଉଛନ୍ତି, ତେବେ ସୋରିଷ ମଞ୍ଜି ଏହା ପାଇଁ ପ୍ରଭାବଶାଳୀ ହେବ । ଏହି ସୋରିଷ ମଞ୍ଜିରେ ମ୍ୟାଗ୍ନେସିୟମ୍ ଭରପୂର ମାତ୍ରାରେ ରହିଛି, ଯାହା ଆମ ସ୍ନାୟୁ ପ୍ରଣାଳୀକୁ ଠିକ ରଖିବା ସହିତ ଏବଂ ଆମ ଶରୀରର ବିଭିନ୍ନ ଅଂଶରେ ଯନ୍ତ୍ରଣା ଏବଂ ଟେନସନରୁ ମୁକ୍ତି ଦେଇଥାଏ ।
ହଜମ ପ୍ରକ୍ରିୟା ବଜାୟୀ ରଖେ:ସୋରିଷ ହଜମ ପ୍ରକ୍ରିୟା ପାଇଁ ଉତ୍ତମ ଅଟେ । ଯଦି ଆପଣ ହଜମଜିନିତ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ସୋରିଷ ମଞ୍ଜି ଏଥିରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ଏହି ମଞ୍ଜିଗୁଡିକ ଫାଇବରରେ ଭରପୂର, ଯାହା ଅନ୍ତନଳୀ ଗତିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ଶରୀରର ହଜମ ଶକ୍ତି ବୃଦ୍ଧି କରିଥାଏ ।