ହାଇଦ୍ରାବାଦ: ନାରୀ ଓ ପୁରୁଷ ସମାଜର ଗୋଟିଏ ପାର୍ଶ୍ବର ଦୁଇ ମୁଦ୍ରା ପରି । ଜଣଙ୍କ ବିନା ଆଉ ଜଣଙ୍କ ଅସ୍ଥିତ୍ବ ଅଦୃଶ୍ୟ । ସମାଜ ପାଇଁ ଉଭୟଙ୍କର ସମତୁଲ ଅବଦାନ ରହିଛି । ସୃଷ୍ଟି ଚକ୍ର ଚାଲୁରହିବା ପାଇଁ ପୁଅଟିଏ ଭଳି ଝିଅଟିଏର ମଧ୍ୟ ସମାନ ଅବଦାନ ରହିଛି । ପରିବାରରେ ପୁତ୍ର ସନ୍ତାନଟିଏ ଜନ୍ମ ନେଲେ ଯେଉଁ ଉଲ୍ଲାସ ଖେଳିଉଠେ, ସମାନ ଭାବେ କନ୍ୟା ସନ୍ତାନଟିଏ ଜନ୍ମ ନେଲେ ଉଲ୍ଲସିତ ହେବା ଉଚିତ୍ । ତେବେ ଯାଇ ଏ ସମାଜ ଏକ ସୁସ୍ଥ ସମାଜରେ ପରିଗଣିତ ହେବ । ଏପରି ବାର୍ତ୍ତାକୁ ପ୍ରତି ହୃଦୟକୁ ହୃଦବୋଧ କରାଇବା ପାଇଁ 2008 ରେ କନ୍ୟା ସନ୍ତାନ ଦିବସ ପାଳନ ନେଇ ନିଷ୍ପତ୍ତି ନେଲେ ଭାରତ ସରକାର । ସେବେଠାରୁ ଆଜିର ଦିନକୁ ଅର୍ଥାତ୍ ଜାନୁଆରୀ 24କୁ ଜାତୀୟ କନ୍ୟା ସନ୍ତାନ ଦିବସ ରୁପେ ପାଳନ କରାଯାଉଛି ।
2008 ରେ କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଦିବସ ପାଳନର ଶୁଭାରମ୍ଭ ହୋଇଥିଲା । ଝିଅମାନଙ୍କୁ ଜାଗ୍ରତ କରାଇବା, ଶିକ୍ଷିତ କରାଇବା ସମାଜର ସମସ୍ତ କାର୍ଯ୍ୟରେ କିପରି ସେମାନେ ସ୍ବତଃପ୍ରବୃତ ଭାବେ ଯୋଗଦାନ କରିପାରିବ ତାହାହିଁ ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ତା' ସହିତ ଏବେ ମଧ୍ୟ ପୁଅ-ଝିଅର ତାର-ତମ୍ୟ କରୁଥିବା, କନ୍ୟା ଭୃଣକୁ ମାଆ ପେଟରୁ ନଷ୍ଟ କରିଦେବା ଭଳି ଘୃଣ୍ୟ ଅପରାଧରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ସୂଚାଇ ଓ ଚେତାଇ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ସ୍କୁଲ୍ଠୁ କଲେଜ୍, ଗାଁରୁ ସହର ସବୁଠି ଜାତୀୟ କନ୍ୟା ସନ୍ତାନ ଦିବସର ଆୟୋଜନ ହେଉଛି । ଯେଉଁଥିରେ ସାଧାରଣ ଲୋକଙ୍କୁ କନ୍ୟା ସନ୍ତାନଙ୍କ ସୁରକ୍ଷା, ଲିଙ୍ଗଗତ ସମାନତା, ଉତ୍ତମ ସ୍ବାସ୍ଥ୍ୟ, ସୁରକ୍ଷିତ ବାତାବରଣ ଦିଆଯାଏ ।